ବିସିସିଆଇର ଦ୍ବୈତ ସ୍ବାର୍ଥ ନିୟମ କାହାପାଇଁ? ଭାରତୀୟଙ୍କ ପାଇଁ ପ୍ରତିବନ୍ଧକ, ବିଦେଶୀଙ୍କୁ ସବୁ ସୁଯୋଗ

ଗାଭାସ୍କର କେବଳ ଭାଷ୍ୟକାର ହୋଇପାରିବେ, ମ୍ୟାକଲମ ସବୁକିଛି କରିପାରିବେ

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜଷ୍ଟିସ୍‌ ଆର୍ ‌ଏମ୍‌ ଲୋଧାଙ୍କ ନେତୃତ୍ବରେ ଗଠିତ ହୋଇଥିବା ସମିତିର କିଛି ନିୟମକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ବିସିସିଆଇରେ ଦ୍ବୈତ ସ୍ବାର୍ଥକୁ ନେଇ ସମିତି କରିଥିବା କଡ଼ା କଟକଣା ଯୋଗୁଁ ବର୍ତ୍ତମାନ ଭାରତୀୟମାନେ ଏବେ ଏହାର ପରିଣାମ ଭୋଗୁଛନ୍ତି। ଭାରତୀୟ କ୍ରିକେଟରେ ସଂସ୍କାର ପାଇଁ ହୋଇଥିବା ଏହି ନିୟମର ଫାଇଦାକୁ ବିଦେଶୀମାନେ ଲାଭ ଉଠାଇବାରେ ଲାଗିଛନ୍ତି। ଯାହାଫଳରେ ଭାରତୀୟଙ୍କ ପ୍ରତି ପାତରଅନ୍ତର ହେଉଥିବା ଦର୍ଶାଉଛି।

ଦ୍ବୈତ ସ୍ବାର୍ଥ ନିୟମ ଅଧୀନରେ ଯେକୌଣସି ପେସାଦାର ବ୍ୟକ୍ତି ଗୋଟିଏ ବର୍ଷ ମଧ୍ୟରେ ଏକରୁ ଅଧିକ ଦାୟିତ୍ବରେ ରହିପାରିବେନି। ଭାରତରେ ଭାଷ୍ୟକାର, ଫ୍ରାଞ୍ଚାଇଜିଙ୍କ ସହ ଜଡ଼ିତ କାର୍ଯ୍ୟ, ପ୍ରଶିକ୍ଷକ, ମେଣ୍ଟର, ବିଶ୍ଲେଷକ, ପ୍ରଶିକ୍ଷଣ, ଫିଜିଓଥେରାପି ଓ ବିସିସିଆଇ କିମ୍ବା ଏହାର ସଦସ୍ୟ ସଂଘମାନଙ୍କ ସହିତ ସିଧାସଳଖ ସମ୍ପର୍କ ରଖିପାରିବେ ନାହିଁ। ଏପରିସ୍ଥଳେ ଭାରତ ଏକ ବୃହତ୍‌ କ୍ରିକେଟ୍‌ପ୍ରବଣ ଦେଶ ହୋଇଥିଲେ ବି ଏଠାରେ ଭାରତୀୟମାନେ ବିସିସିଆଇ ନିୟମ ଅଧୀନରେ ଏକ ବନ୍ଦୀ ଭାବେ ସମୟ କାଟୁଛନ୍ତି। ତେଣୁ ନ୍ୟାୟିକ ବ୍ୟବସ୍ଥାରେ ଏହାକୁ ପୁଣିଥରେ ତର୍ଜମା କରାଯିବା ଆବଶ୍ୟକ ରହିଛି।

ପଣ୍ଟିଂ, ମ୍ୟାକଡୋନାଲ୍ଡଙ୍କୁ ଅନୁମତି ଅଛି କିନ୍ତୁ ସଚିନ, ଦ୍ରାବିଡ଼, ଲକ୍ଷ୍ମଣଙ୍କୁ ନାହିଁ
ଏହି ନିୟମ ଅଧୀନରେ ରାହୁଲ ଦ୍ରାବିଡ଼ଙ୍କ ଉଦାହରଣକୁ ନିଆଯାଇପାରେ। ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ହୋଇଥିବାରୁ ସେ ଭାରତୀୟ କ୍ରିକେଟ କିମ୍ବା ବିଦେଶରେ ଅନ୍ୟ କୌଣସି ଦାୟିତ୍ବ ନେଇପାରିବେନି। ଏପରିକି ଜଣେ ପରାମର୍ଶଦାତା କିମ୍ବା ଭାଷ୍ୟକାର ମଧ୍ୟ ହୋଇପାରିବେନି। ସେହିପରି ଯଦି ଭିଭିଏସ୍‌ ଲକ୍ଷ୍ମଣ ଭାଷ୍ୟକାର ଦାୟିତ୍ବ ଗ୍ରହଣ କରିବାକୁ ଯାଆନ୍ତି, ସେଠାରେ ତାଙ୍କ ବିରୋଧରେ ଦ୍ବୈତ ସ୍ବାର୍ଥ ଅଭିଯୋଗ ଉଠିବ। କାରଣ ଲକ୍ଷ୍ମଣ ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ଦଳର ମେଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ସହିତ ସଚିନ ତେନ୍ଦୁଲକରଙ୍କ ୧୨ ବର୍ଷର ସମ୍ପର୍କ ଏବେ ଅନାବଶ୍ୟକ ହୋଇଯାଇଛି। କାରଣ ସଚିନ କ୍ରିକେଟ ପରାମର୍ଶଦାତା ସମିତିର ସଦସ୍ୟ ଅଛନ୍ତି। ଏପରିସ୍ଥଳେ ବିଦେଶର କୌଣସି ଟ୍ବେଣ୍ଟି-୨୦ ଲିଗ୍‌, ଆଇସିସି କିମ୍ବା ଏମ୍‌ସିସି ସହିତ ଜଡ଼ିତ ଥିବା କୌଣସି ପେସାଦାର ବ୍ୟକ୍ତି ସହଜରେ ଭାରତୀୟ କ୍ରିକେଟରେ ସମ୍ପର୍କ ସ୍ଥାପନ କରିପାରିବେ। ଏଥିପାଇଁ ବିସିସିଆଇ ସମ୍ବିଧାନର ଧାରା ୩୮କୁ ଦାୟୀ କରାଯାଇପାରେ। ଯେତେବେଳେ ଦ୍ରାବିଡ଼, ସଚିନ, ଲକ୍ଷ୍ମଣ ଦ୍ବୈତ ସ୍ବାର୍ଥ ପରିଧିରେ ଆସିଯାଉଛନ୍ତି, ସେତେବେଳେ ଅଷ୍ଟ୍ରେଲିଆର ସହକାରୀ ପ୍ରଶିକ୍ଷକ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି।

କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ଭାରତୀୟ କ୍ରିକେଟର ଅନ୍ୟ କୌଣସି କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିବେନି। କାରଣ ସେ ଏବେ ଭାଷ୍ୟକାର ଭାବେ ନିଯୁକ୍ତ ଅଛନ୍ତି। ଏପରିକି ଭାରତୀୟ କ୍ରିକେଟରଙ୍କ ସହ ସପ୍ତାହେ ବିତାଇବା ପାଇଁ ବି ତାଙ୍କୁ ଅନୁମତି ନାହିଁ। କିନ୍ତୁ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକଲମ୍‌ କୋଲକାତା ନାଇଟ୍‌ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ବିଦେଶରେ ଯେକୌଣସି ସ୍ଥାନରେ ଭାଷ୍ୟକାର ଦାୟିତ୍ବ ଗ୍ରହଣ କରିବାକୁ ସ୍ବାଧୀନତା ପାଇଛନ୍ତି।

ଏଭଳି କିଛି ଉଦାହରଣ ନିମ୍ନରେ ଦିଆଗଲା
୨୦୧୯ରେ କୋଲକାତା ନାଇଟ୍‌ ରାଇଡର୍ସର ଦଳୀୟ ବିଶ୍ଲେଷକ ଏଆର୍‌ ଶ୍ରୀକାନ୍ତଙ୍କୁ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଏହାର ବିଶ୍ଲେଷକ ଭାବେ ଦୁଇ ବର୍ଷିଆ ଚୁକ୍ତି ସ୍ବାକ୍ଷର କରିଛି।
ଦିଲ୍ଲୀ କ୍ୟାପିଟାଲ୍ସର ବିଶ୍ଲେଷକ ସୋମାୟାଜୁଲା ଶ୍ରୀରାମ ଆଫଗାନିସ୍ଥାନ ଜାତୀୟ ଦଳର ବିଶ୍ଲେଷକ ଭାବେ କାର୍ଯ୍ୟ କରୁଛନ୍ତି
ସନରାଇଜର୍ସ ହାଇଦ୍ରାବାଦର ବି‌ଶ୍ଲେଷକ ଶ୍ରୀନିବାସ ଚନ୍ଦ୍ରଶେଖରନ୍‌ ବାଂଲାଦେଶ ଜାତୀୟ ଦଳର ଉଚ୍ଚକ୍ଷମତା ସମ୍ପନ୍ନ ବିଶ୍ଲେଷକ ଭାବେ କାର୍ଯ୍ୟ କରୁଛନ୍ତି
ଚେନ୍ନାଇ ସୁପରକିଙ୍ଗ୍ସରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀ ନାରାୟଣନ୍‌ ବାଂଲାଦେଶ ପ୍ରିମିୟର ଲିଗ୍‌ର କୋମିଲା ଭିକ୍ଟୋରିଆନ୍ସ ଦଳର ପରିଚାଳନା ଓ ବିଶ୍ଲେଷଣ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସହ କାର୍ଯ୍ୟ କରୁଥିବା ନବନିତ କ୍ରିଷ୍ଣା ଆଇସିସି ସହ ଡିଜିଟାଲ୍‌ ବ୍ରଡକାଷ୍ଟରେ କାର୍ଯ୍ୟ କରୁଛନ୍ତି

ଯଦି ଏହି ବ୍ୟକ୍ତିମାନେ ଦୁଇଟି ସ୍ଥାନରେ କାର୍ଯ୍ୟ କରିବା ବେଳେ କୌଣସି ସମସ୍ୟା ହେଉନାହିଁ, ତାହେଲେ ବିସିସିଆଇ ସମ୍ବିଧାନରେ ଦର୍ଶାଯାଇଥିବା କଟକଣା କାହା ପାଇଁ ଉଦ୍ଧିଷ୍ଟ। ତେଣୁ ଧାରା ୩୮କୁ ପୁଣି ଥରେ ବିଚାରକୁ ନିଆଯିବା ଆବଶ୍ୟକତା ରହିଥିବା କୁହାଯାଉଛି। ଆଇପିଏଲ୍‌ରେ ବିସିସିଆଇ ନିୟମାବଳୀ ଭାରତୀୟଙ୍କ ‌ପାଇଁ ଯେତିକି ପ୍ରଜୁର୍ଯ୍ୟ ହେଉଛି, ବିଦେଶୀଙ୍କ ପାଇଁ ସୁଯୋଗର ବାଟ ଖୋଲିଦେଇଛି। ଅନ୍ୟପକ୍ଷରେ ବିସିସିଆଇ ସମ୍ବିଧାନ ଧାରା ୩୮ (୩)ରେ ଦ୍ବୈତ ସ୍ବାର୍ଥକୁ ଟ୍ରାକ୍ଟେବଲ୍‌ ଓ ଇନ୍‌ଟ୍ରାକ୍ଟେବଲ୍‌ ଭାବେ ବ୍ୟାଖ୍ୟା କରାଯାଇଥିଲା ବେଳେ ୩୮ (୪)ରେ ନିର୍ଦ୍ଧିଷ୍ଟ ପଦ ଓ ସ୍ଥାନ ପାଇଁ କଟକଣା ଲଗାଯାଇଛି। ଏହି ଉପଧାରା ଅନୁଯାୟୀ, କୌଣସି ବ୍ୟକ୍ତି ଏକ ସମୟରେ ନିମ୍ନରେ ଦିଆଯାଇଥିବା ପଦ ଓ ସ୍ଥାନ ବ୍ୟତୀତ ଦ୍ବିତୀୟ ଦାୟିତ୍ବ ନେଇପାରିବନି। ତାହା ମଧ୍ୟରେ ଜଣେ ଖେଳାଳି, ଚୟନକର୍ତ୍ତା, କ୍ରିକେଟ ସମିତି ସଦସ୍ୟ, ଦଳୀୟ ଅଧିକାରୀ, ଭାଷ୍ୟକାର, ମ୍ୟାଚ ପରିଚାଳନା ଅଧିକାରୀ, ପ୍ରଶାସକ, କର୍ମକର୍ତ୍ତା, ନିର୍ବାଚନ ଅଧିକାରୀ, ଅମ୍ବୁଡ୍ସମ୍ୟାନ, ଏଥିକ୍ସ ଅଧିକାରୀ, ଅଡିଟର, ଫ୍ରାଞ୍ଚାଇଜିଙ୍କ ପରିଚାଳନା, ପ୍ରଶାସନ କିମ୍ବା କର୍ମଚାରୀ ଭାବେ ଜଡ଼ିତ ହେବା, ଷ୍ଟାଣ୍ଡିଂ କମିଟି ସଦସ୍ୟ, ସିଇଓ ଓ ପ୍ରବନ୍ଧକ, ସଦସ୍ୟ ସଂଘର କର୍ମକର୍ତ୍ତା, ସେବା ଯୋଗାଉଥିବା ସଂସ୍ଥା (ଆର୍ଥିକ କିମ୍ବା ନ୍ୟାୟିକ), ଚୁକ୍ତି ଭିତ୍ତିକ ସଂସ୍ଥା (ବ୍ରଡକାଷ୍ଟ, ସିକ୍ୟୁରିଟି, ଠିକାଦାର ଇତ୍ୟାଦି) ଏବଂ କ୍ରିକେଟ ଏକାଡେମୀର ମାଲିକଙ୍କୁ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆର ଜାତୀୟ ପ୍ରଶିକ୍ଷକ ଆଇପିଏଲ୍‌ରେ କାର୍ଯ୍ୟ କରିପାରିବେ, କିନ୍ତୁ ଭାରତୀୟ ପ୍ରଶିକ୍ଷକଙ୍କୁ ମନା
ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ, କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧର ଓ ଅନ୍ୟାନ୍ୟ ସହକାରୀ କର୍ମଚାରୀମାନେ ଯେତେବେଳେ ଫାଙ୍କା ଥିଲେ ବି ଅନ୍ୟ‌ କୌଣସି କ୍ରିକେଟ କାର୍ଯ୍ୟରେ ଜଡ଼ିତ ହୋଇପାରିବେନି। ହେଲେ ଅଷ୍ଟ୍ରେଲିଅର ବ୍ୟାଟିଂ ପ୍ରଶିକ୍ଷକ ରିକି ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇପାରୁଛନ୍ତି। ଏପରିକି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ପ୍ରଶିକ୍ଷକ ସାଇମନ କାଟିଚଙ୍କୁ ପର୍ଥ ସ୍କର୍ଚର୍ସ ପକ୍ଷରୁ ବିଗ୍‌ ବାସ୍‌ ଲିଗ୍‌ରେ ରଣନୀତି ପରିଚାଳନା ଓ ମାର୍ଗଦର୍ଶନ କରାଇବା ପାଇଁ ନିଯୁକ୍ତ କରାଯାଇଛି। ଏପରିକି ବିସିସିଆଇର ଏଭଳି କଠୋର ଦ୍ବୈତ ସ୍ବାର୍ଥ ନିୟମ ଯୋଗୁଁ ଭାରତର ପ୍ରଥମ ଶ୍ରେଣୀ କ୍ରିକେଟ୍‌ର କୌଣସି ପ୍ରଶିକ୍ଷକ କିମ୍ବା ଏନ୍‌ସିଏ ସହ ଜଡ଼ିତ ଥିବା ପ୍ରଶିକ୍ଷକଙ୍କୁ ଆଇପିଏଲ୍‌ରେ କୌଣସି ଫ୍ରାଞ୍ଚାଇଜିରେ କାର୍ଯ୍ୟ କରିବାକୁ ଅନୁମତି ମିଳିପାରୁନାହିଁ। ଆଇପିଏଲ୍‌ରେ ମଧ୍ୟ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠାରେ ଜଣେ ବ୍ୟକ୍ତି ବିଦେଶରେ କାର୍ଯ୍ୟ କରୁଥିଲେ ବି ଏହି ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ସାମିଲ ହୋଇପାରୁଛନ୍ତି। କିନ୍ତୁ ଭାରତ ଭିତରେ ଜଣେ ପ୍ରଶିକ୍ଷକ ଯଦି ଏକ ଛୋଟ କ୍ଲବ୍‌ କିମ୍ବା ଏକ‌ାଡେମୀ ଚଲାଉଛି ଏବଂ ଆଇପିଏଲ୍‌, ରାଜ୍ୟ ସଂଘ କିମ୍ବା କୌଣସି ପଦପଦବି ପାଇଁ ଆବେଦନ କରୁଛି, ତାହେଲେ ତାଙ୍କୁ ଏଥିରୁ ଅଲଗା ରଖାଯାଉଛି।

ସମ୍ବନ୍ଧିତ ଖବର