ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ପଦବୀ ଲାଗି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଯୋଶୀଙ୍କ ନାମ ସୁପାରିସ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଟିମ୍‌ ଇଣ୍ଡିଆର ଖେଳାଳି ଚୟନ କମିଟିରେ ଖାଲି ହେଉଥିବା ଦୁଇଟି ପଦବି ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିସ୍‌ କରିଛି। ଏହି କମିଟି ପକ୍ଷରୁ ପୂର୍ବତନ କ୍ରିକେଟର ସୁନୀଲ ଯୋଶୀ ଓ ହରବିନ୍ଦର ସିଂହଙ୍କ ନାମ ସୁପାରିସ କରାଯାଇଛି । କ୍ରିକେଟ ପରାମର୍ଶଦାତା କମିଟି ପୂର୍ବତନ ବାମହାତୀ ସ୍ପିନର ସୁନୀଲ ଯୋଶୀଙ୍କୁ ରାଷ୍ଟ୍ରୀୟ ଚୟନ କମିଟି (ପୁରୁଷ ଟିମ୍‌)ର ଅଧ୍ୟକ୍ଷ କରିବାକୁ ସୁପାରିସ୍‌ କରିଛି।

ସୂଚନାଯୋଗ୍ୟ, ଟିମ୍‌ ଇଣ୍ଡିଆର ଚୟନ କମିଟିର ଦୁଇ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି। କାର୍ଯ୍ୟକାଳ ଶେଷ ହୋଇଥିବା ସଦସ୍ୟମାନେ ହେଲେ ଏମ୍‌ଏସ୍‌କେ ପ୍ରସାଦ ଓ ଗଗନ ଖୋଡା। ଏମ୍‌ଏସ୍‌କେ ପ୍ରସାଦ ଚୟନ କମିଟିର ଅଧ୍ୟକ୍ଷ ଥିଲେ। ତାଙ୍କ ସ୍ଥାନରେ ନିଯୁକ୍ତି ଲାଗି  ସିଏସି ବୋର୍ଡକୁ ସୁନୀଲ ଯୋଶୀଙ୍କ ନାମ ସୁପାରିସ୍‌ କରିଛି।

ସିଏସି ଏହି ଦୁଇ ପଦ ପାଇଁ ୫ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ଲାଗି ମୁମ୍ବାଇସ୍ଥିତ  ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଥିଲା। ଯୋଶୀ ଓ ହରବିନ୍ଦରଙ୍କ ବ୍ୟତୀତ ଅନ୍ୟମାନେ ହେଲେ ଭେଙ୍କଟେଶ ପ୍ରସାଦ, ଶିବରାମକ୍ରିଷ୍ଣନ୍ ଓ ରାଜେଶ ଚୌହାନ। ଚୟନକର୍ତ୍ତାଙ୍କ ଚୟନ କରିବା ପାଇଁ ତିନି ଜଣ ସଦସ୍ୟବିଶିଷ୍ଟ ପରାମର୍ଶ କମିଟିରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ମଦନ ଲାଲ, ଆର ପି ସିଂହ ଓ ସୁଲକ୍ଷଣା ନାୟକ ସାମିଲ ଥିଲେ।

୪୯ ବର୍ଷିଅ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଯୋଶୀ ନିଜ ସମୟରେ ବାମହାତୀ ବୋଲର ଥିଲେ। ସେ ୧୫ଟି ଟେଷ୍ଟ ଓ ୬୯ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହା ପୂର୍ବରୁ ସେ ବାଂଲାଦେଶର ଜାତୀୟ ଟିମ୍‌ର ସ୍ପିନ ବୋଲିଂ କୋଚ ଥିଲେ। ଯୋଶୀ ଘରୋଇ ସ୍ତରରେ କର୍ଣ୍ଣାଟକ ପାଇଁ କ୍ରିକେଟ ଖେଳିଥିଲେ। ହରବିନ୍ଦର ସିଂହଙ୍କ କଥା ଯଦି କହିବା, ସେ ଅନ୍ତର୍ଜାତୀୟସ୍ତରରେ ୩ଟି ଟେଷ୍ଟ ଓ ୧୬ଟି ଦିନିକିଆ ଖେଳିଥିଲେ।

ସମ୍ବନ୍ଧିତ ଖବର