କ୍ରିକେଟର୍ ଋଦ୍ଧିମାନ ସାହାଙ୍କୁ ଧମକ ମାମଲା, ସାମ୍ବାଦିକ ବୋରିଆ ମଜୁମଦାରଙ୍କ ନାମରେ ଅଭିଯୋଗ, ବିସିସିଆଇ କହିଲା ଯିଏ ବି ହେଉ କାର୍ଯ୍ୟାନୁଷ୍ଠାନ ନେବୁ

ନୂଆଦିଲ୍ଲୀ: କ୍ରିକେଟର ଋଦ୍ଧିମାନ ସାହାଙ୍କୁ ଧମକ ଦେବା ଅଭିଯୋଗରେ ଖେଳ ସାମ୍ବାଦିକ ବୋରିଆ ମଜୁମଦାରଙ୍କ ନାମ ଆସିଛି। ଲୋକେ ସାମାଜିକ ଗଣମାଧ୍ୟମରେ ବୋରିଆ ମଜୁମଦାରଙ୍କୁ ହିଁ ଏହି ଧମକ ଦେଇଥିବା ସାମ୍ବାଦିକ କହୁଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ବିସିସିଆଇର ଏକ ସୂତ୍ରରୁ ଜଣା ପଡିଛି ଯେ ବୋରିଆ ମଜୁମଦାରଙ୍କ ନାମ ହିଁ ସାମନାକୁ ଆସିଛି। ତେବେ ଋଦ୍ଧିମାନ ସାହା ଏ ବିଷୟରେ କୌଣସି ଲିଖିତ  ଅଭିଯୋଗ କରିନାହାନ୍ତି କିମ୍ବା ସାମ୍ବାଦିକଙ୍କ ନାମ ମଧ୍ୟ ପ୍ରକାଶିତ କରିନାହାନ୍ତି। ବିସିସିଆଇର କୋଷାଧ୍ୟକ୍ଷ କହିଛନ୍ତି, ଏହି ମାମଲାର ଅଭିଯୁକ୍ତ ଯିଏ ବି ହେଉ, ସାହାଙ୍କ ଲିଖିତ ଅଭିଯୋଗ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ବୋରିଆ ମଜୁମଦାରଙ୍କ ନାମ କାହିଁକି ଆସୁଛି ? ମଜୁମଦାରଙ୍କ ନାମ ଏଥିପାଇଁ ଆସୁଛି କାରଣ ମଜୁମଦାର ପ୍ରସିଦ୍ଧ ଭାଷ୍ୟକାର ହର୍ଷ ଭୋଗଲେ ଓ ଅନ୍ୟ ଜଣେ ୟୁଜରଙ୍କୁ ସୋସିଆଲ୍ ମିଡିଆରେ ଦେଇଥିବା ରିପ୍ଲାଏରେ YOU କୁ YPU ଲେଖିଛନ୍ତି। ସାହାଙ୍କୁ ଧମକାଯାଇଥିବା ପୋଷ୍ଟର ସ୍କ୍ରିନସଟ୍ ସାହା ଶେୟାର୍ କରିଛନ୍ତି, ଏଥିରେ ମଧ୍ୟ YOU କୁ YPU ଲେଖାଯାଇଛି। ତେଣୁ ଆଲୋଚନା ହେଉଛି ଯେ ସାହାଙ୍କ ସହ କଥାବାର୍ତ୍ତା କରିଥିବା ସାମ୍ବାଦିକ  ବୋରିଆ ମଜୁମଦାର ହିଁ ହୋଇପାରନ୍ତି।

ସଂପୂର୍ଣ୍ଣ ମାମଲାଟି ଏହିପରି ।୧୯ ଫେବ୍ରୁଆରିରେ ଜଣେ ସାମ୍ବାଦିକଙ୍କ ସହ ହ୍ଵାଟ୍ସଆପରେ କଥୋପକଥନର ସ୍କ୍ରିନସଟ୍ ଋଦ୍ଧିମାନ ସାହା ଶେୟାର କରି ଅଭିଯୋଗ କରିଥିଲେ ଯେ ସାମ୍ଵାଦିକ ସାକ୍ଷାତକାର ପାଇଁ  ତାଙ୍କ ଉପରେ ଚାପ ପକାଇଥିଲେ। ସାହାଙ୍କ ଦ୍ଵାରା ଜାରି କରାଯାଇଥିବା ସ୍କ୍ରିନସଟରେ ଲେଖା ହୋଇଥିଲା-ଆପଣ ମୋ ସହିତ ଏକ ସକ୍ଷାତକାର(ଇଣ୍ଟରଭ୍ୟୁ) କରନ୍ତୁ। ଏହା ବଢିଆ ହେବ। ଯଦି ଆପଣ ଯଦି ସମସ୍ତଙ୍କ ଲାଗି ସମାନ ଆଭିମୁଖ୍ୟ ଗ୍ରହଣ କରି ସେଇ ଅନୁଯାୟୀ ସାକ୍ଷାତକାର ଦେବାକୁ ଚାହୁଁଛନ୍ତି ତେବେ ମୁଁ ଆପଣଙ୍କ ଉପରେ ଚାପ ପକାଇବି ନାହିଁ। ଟିମ୍ ମ୍ୟାନେଜମେଣ୍ଟ ଶ୍ରୀଲଙ୍କା ବିରୋଧରେ ସିରିଜ୍ ପାଇଁ ଜଣେ ଓ୍ଵିକେଟ ରକ୍ଷକଙ୍କୁ ବାଛିଛନ୍ତି, ଯାହା ମୋ ହିସାବରେ ଉତ୍ତମ। ଆପଣ ବି ୧୧ ଜଣ ସାମ୍ବାଦିକ ବାଛିଲେ ଯାହା ମୋ ଅନୁସାରେ ଠିକ୍ ନ ଥିଲା। ଆପଣ ସେମାନଙ୍କୁ ବାଛନ୍ତୁ ଯେଉଁମାନେ ସବୁଠୁ ଅଧିକ ସାହାଯ୍ୟ କରିପାରିବେ।

ଏହାପରେ ସେହି ସାମ୍ବାଦିକ ତାଙ୍କୁ ପରବର୍ତ୍ତୀ ଦିନ ହ୍ଵାଟ୍ସଆପରେ ଫୋନ୍ କରିଥିଲେ। ସାହା ଫୋନ୍ ନ ଉଠାଇବାକୁ ସେହିଦିନ ବିଳମ୍ବିତ ରାତ୍ରିରେ ମେସେଜେ ପଠାଇ ଲେଖିଥିଲେ, ଆପଣ ଫୋନ୍ ଉଠେଇଲେ ନାହିଁ,ମୁଁ ଆଉ କେବେ ବି ଆପଣଙ୍କ ସାକ୍ଷାତକାର ନେବି ନାହିଁ। ମୁଁ ଏପରି ଅପମାନ ସହି ପାରିବି ନାହିଁ ଓ ଏହାକୁ ମୁଁ ମନେ ରଖିବି। ଆପଣଙ୍କୁ ଏପରି କରିବାର ନଥିଲା।

ସମ୍ବନ୍ଧିତ ଖବର