ବିସିସିଆଇ ଏସ୍ଜିଏମ୍ ଆଜି
ଟ୍ବେଣ୍ଟି-୨୦ ବିଶ୍ବକପ୍, ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍, ଘରୋଇ ଖେଳାଳିଙ୍କୁ ଆର୍ଥିକ ସହାୟତା ନେଇ ଆଲୋଚନା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସ୍ବତନ୍ତ୍ର ସାଧାରଣ ବୈଠକ (ଏସ୍ଜିଏମ୍) ସଭାପତି ସୌରଭ ଗାଙ୍ଗୁଲିଙ୍କ ନେତୃ୍ତ୍ବରେ ମୁମ୍ବାଇରେ ଶନିବାର ଅନୁଷ୍ଠିତ ହେବ। ଏହି ବୈଠକରେ ଭାରତରେ ଟି-୨୦ ବିଶ୍ବକପ୍, ସ୍ଥଗିତ ଥିବା ଆଇପିଏଲ୍ର ଦ୍ବିତୀୟ ପର୍ଯ୍ୟାୟ ଏବଂ ଘରୋଇ ଖେଳାଳିଙ୍କୁ ଅର୍ଥିକ ସହାୟତା ପ୍ରଦାନ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି। ୟୁଏଇ ବିଶ୍ବ କପ୍ ଆୟୋଜନ ପାଇଁ ସୁରକ୍ଷିତ ସ୍ଥାନ ହେଲେ ମଧ୍ୟ ଏହା ଦ୍ବିତୀୟ ବିକଳ୍ପ ଭାବେ ରହିଛି। ଦେଶର କରୋନା ପରିସ୍ଥିତିକୁ ନଜରରେ ରଖି ବିସିସିଆଇ ଜୁଲାଇରେ ଏହା ଉପରେ ଶେଷ ନିଷ୍ପତ୍ତି ନେବ।
‘‘ଏବେ ଭାରତ ବିଶ୍ବକପ୍ର ଭେନ୍ୟୁ ହୋଇ ରହିଛି। ବୋର୍ଡ ବି ପ୍ରସ୍ତୁତ ଅଛି। କରୋନା ସ୍ଥିତି ଦେଖି ଜୁନ୍ ପରେ ନିଷ୍ପତ୍ତି ନିଆଯିବ। ଜୁନ୍ ୧ ତାରିଖରେ ଆଇସିସି ବୈଠକରେ ବିସିସିଆଇ ଏହି ପ୍ରସ୍ତାବ ଦେବା ନେଇ ଏସ୍ଜିଏମ୍ରେ ଆଲୋଚନା ହେବ। ଏଥିସହ ସ୍ଥଗିତ ଥିବା ଆଇପିଏଲ୍ର ଦ୍ବିତୀୟ ପର୍ଯ୍ୟାୟ ୟୁଏଇର ୩ଟି ସହର ଆବୁଧାବି, ଦୁବାଇ ଓ ସାର୍ଜାରେ ସେପ୍ଟେମ୍ବର ୧୮ରୁ ୨୦ ମଧ୍ୟରେ ଆରମ୍ଭ ଏବଂ ଅକ୍ଟୋବର ୯ କିମ୍ବା ୧୦ରେ ଫାଇନାଲ୍ ମ୍ୟାଚ୍ ନେଇ ଆଲୋଚନା ହେବ। ଏଥିସହ ବାତିଲ ହୋଇଥିବା ଗତ ରଣଜୀ ଟ୍ରଫି ଋତୁ ଲାଗି ଘରୋଇ କ୍ରିକେଟର୍ଙ୍କ ପାଇଁ କ୍ଷତିପୂରଣ ସହାୟତା ପ୍ରଦାନ ନେଇ ଆଲୋଚନା ହେବ।’’ ବୋଲି ବିସିସିଆଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭାରତରେ ମହାମାରୀକୁ ଦୃଷ୍ଟିରେ ରଖି ଆଗାମୀ କ୍ରିକେଟ୍ ଋତୁ ଉପରେ ଆଲୋଚନା ଏହି ବୈଠକର ଅନ୍ୟତମ ଏଜେଣ୍ଡା ବୋଲି ସେ କହିଛନ୍ତି। ଗତ ଋତୁରେ ରଣଜୀ କ୍ରିକେଟ୍ ବାତିଲ ହେବା ଦ୍ବାରା ପାଖାପାଖି ୭୦୦ ଘରୋଇ ଖେଳାଳି କ୍ଷତିଗ୍ରସ୍ତ ହୋଇଥିଲେ। ବିସିସିଆଇ ଗତ ବର୍ଷ ଜାନୁଆରି ସେମାନଙ୍କ ପ୍ୟାକେଜ୍ ପ୍ରଦାନ କରିବାକୁ ରାଜି ହେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରିନାହିଁ।