ଆର୍ମ ଫୋର୍ସ ପାଣ୍ଠିକୁ ୨୦ କୋଟି ଟଙ୍କା ସହାୟତା ପ୍ରଦାନ କରିବ ବିସିସିଆଇ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗତ ଫେବ୍ରୁଆରି ୧୪ରେ ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ସହିଦ ହୋଇଥିବା ଯବାନଙ୍କ ମଙ୍ଗଳ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆର୍ମ ଫୋର୍ସକୁ ୨୦ କୋଟି ଟଙ୍କା ଦାନ କରିବ। ସୂଚନାଯୋଗ୍ୟ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ପୁଲଓ୍ଵାମା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ଆର୍ମ ଫୋର୍ସ (ଆର୍ମି, ବାୟୁସେନା ଓ ଜଳସେନା)ର ବରିଷ୍ଠ ଅଧିକାରୀଙ୍କୁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୧୯) ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ ପାଇଁ ଡାକିଛି। ବେଙ୍ଗାଲୁରୁରେ ଆଗାମୀ ମାର୍ଚ୍ଚ ୨୩ରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ପ୍ରଥମ ମୁକାବିଲା ହେବ।

ଆର୍ମି ମଙ୍ଗଳ ପାଣ୍ଠିକୁ ଦାନ କରିବା ପାଇଁ ପ୍ରଶାସନ କମିଟି ପକ୍ଷରୁ ୨୦ କୋଟି ଟଙ୍କା ମଂଜୁରୀ ହୋଇଛି। ଆଇପିଏଲ୍‌ର ଆରମ୍ଭରେ ଉଭୟ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ଉପସ୍ଥିତ ରହିବେ। ଉଭୟ କ୍ରିକେଟ ଷ୍ଟାର ଏହି ଟଙ୍କା ଦାନ କରିବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଆଇପିଏଲ୍‌ର ଗତ ସଂସ୍କରଣରେ ଉଦ୍‌ଘାଟନୀ ସମାରୋହ ପାଇଁ ୧୫ କୋଟି କୋଟି ଟଙ୍କା ବଜେଟ ରଖାଯାଇଥିଲା। ବିସିସିଆଇ ଚଳିତ ଥର ପାଇଁ ୨୦ କୋଟି ଟଙ୍କା ବଜେଟ ରଖିଥିଲା। ମାତ୍ର ପୁଲଓ୍ଵାମା ଆକ୍ରମଣ ପରେ ଆଇପିଏଲ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିଲା ଏବଂ ଏହି ଟଙ୍କାକୁ ଯବାନଙ୍କ ଉଦ୍ଦେଶ୍ୟରେ ଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର