ବିସିସିଆଇ ବଢ଼ାଇପାରେ କୋଚିଂଙ୍ଗ ଷ୍ଟାଫ୍‌, ଭାରତକୁ ଆବଶ୍ୟକ କୋଚିଂ ଗୁରୁ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତ ଟି-୨୦ ଶୃଙ୍ଖଳା ଜିତି ବିଜୟ ଅଭିଯାନ ଆରମ୍ଭ କରିଥିଲା କିନ୍ତୁ ପରେ ଦିନିକିଆ ଓ ଟେଷ୍ଟ ଶୃଙ୍ଖଳାରେ ପରାଜୟ ସ୍ୱୀକାର କରିଥିଲା। ୧-୪ରେ ଟେଷ୍ଟ ଶୃଙ୍ଖଳା ହାରିବା ପରେ ଭାରତୀୟ ଟିମ୍‌ରେ କୋଚିଂଙ୍ଗ ଷ୍ଟାଫକୁ ନେଇ ଅନେକ ଅଲୋଚନା ଓ ସମାଲୋଚନା ହୋଇଥିଲା।

ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଗଠିତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି(ସିଓଏ) ମଧ୍ୟ ଏହି ପରାଜୟକୁ ଗମ୍ଭୀରତାର ସହିତ ନେଇଥିଲା। କମିଟି ଇଂଲଣ୍ଡରେ ଖରାପ ପ୍ରଦର୍ଶନ କାରଣ ଜାଣିବା ପାଇଁ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ପଚାରିଥିଲା।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏସିଆ କପ-୨୦୧୮ ପାଇଁ ଦୁବାଇ ଯିବା ପୂର୍ବରୁ ରବି ଶାସ୍ତ୍ରୀ ସିଓଏକୁ ଭେଟିଥିଲେ। ଏହି ସମୟରେ ବିବିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା, ଯେଉଁଥିରେ ଟିମ୍‌ ଇଣ୍ଡିଆ ପାଇଁ ଜଣେ ସ୍ପିନ ବୋଲର କୋଚକୁ ରଖାଯିବା ନେଇ ଆଲୋଚନା ହୋଇଥିଲା।

ବର୍ତ୍ତମାନ କୋଚିଂ ବିଭାଗରେ ରବି ଶାସ୍ତ୍ରୀଙ୍କ ସମେତ ୪ ଜଣ ସଦସ୍ୟ ସାମିଲ ଅଛନ୍ତି। ଅନ୍ୟ ୩ ଜଣ ସଂଜୟ ବାଙ୍ଗର(ବ୍ୟାଟିଂ କୋଚ), ଭରତ ଅରୁଣ(ବୋଲିଂ କୋଚ) ଓ ଆର ଶ୍ରୀଧର(ଫିଲ୍ଡିଙ୍ଗ କୋଚ) ଅଛନ୍ତି। କୁହାଯାଇଥାଏ ଯେ, ଏକ ବୈଠକରେ ରବି ଶାସ୍ତ୍ରୀ ବିଦେଶରେ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଅଧିକ ଅଭ୍ୟାସ ମ୍ୟାଚ ଉପରେ ଜୋର ଦିଆଯିବା ଦରକାର ବୋଲି କହିଥିଲେ।

ଭାରତୀୟ କୋଚିଂ ଷ୍ଟାଫକୁ ମଜବୁତ କରିବା ପାଇଁ ଏହି ଉଦ୍ୟମ ପଛର କାରଣ ହେଉଛି ଇଂଲଣ୍ଡରେ ଟେଷ୍ଟ ଶୃଙ୍ଖଳା ସମୟରେ ଭାରତୀୟ ସ୍ପିନରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ। ଭାରତର ଷ୍ଟାର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଜବେଷ୍ଟନ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି କାମକୁ ଜାରି ରଖିପାରି ନଥିଲେ।

ସମ୍ବନ୍ଧିତ ଖବର