ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଏସୀୟ କ୍ରୀଡ଼ା-୨୦୨୩ରେ ଭାଗ ନେବା ପାଇଁ ତା'ର ପୁରୁଷ ଓ ମହିଳା କ୍ରିକେଟ୍ ଦଳକୁ ପଠାଇବ। ପୂର୍ବରୁ ବିସିସିଆଇ ଏସିଆଡ୍ (୨୦୨୩)କୁ ଦଳ ପଠାଇବାକୁ ମନା କରିଦେଇଥିଲା, କିନ୍ତୁ ଏବେ ରାଜି ହୋଇଛି । ଚୀନର ହାଙ୍ଗଜୋରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଟି-୨୦ ଫର୍ମାଟରେ କ୍ରିକେଟ  ପ୍ରତିଯୋଗିତା ଖେଳାଯିବ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସିଆନ ଗେମ୍ସ ବେଳେ ଦିନିକିଆ ବିଶ୍ବକପ୍ କ୍ରିକେଟ ବି ଚାଲିଥିବ । ଏଣୁ ବିସିସିଆଇ ଏସୀୟ କ୍ରୀଡ଼ା ପାଇଁ ନିଜର ବି-ଟିମ୍ ପଠାଇବ । କିନ୍ତୁ ଭାରତର ମହିଳା କ୍ରିକେଟ ଦଳ ଏଥିରେ ଭାଗ ନେବ । ଏସୀୟ କ୍ରୀଡ଼ା ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଇନାର ହାଙ୍ଗଜୋରେ ଅନୁଷ୍ଠିତ ହେବ। ଏହି ଏସୀୟ କ୍ରୀଡ଼ା ଗତ ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଥିବାବେଳେ ଚୀନରେ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଆଇସିସି ବିଶ୍ୱକପ୍ ଅକ୍ଟୋବର ୫ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଖେଳାଯିବ। ବିସିସିଆଇ ଜୁନ୍ ୩୦ ସୁଦ୍ଧା ଭାରତୀୟ ଅଲିମ୍ପିକ୍ ସଂଘକୁ ଖେଳାଳିଙ୍କ ତାଲିକା ପଠାଇବ ।

ଏହା ପୂର୍ବରୁ ୨୦୧୦ ଓ ୨୦୧୪ ଏସୀୟ କ୍ରୀଡ଼ାରେ କ୍ରିକେଟ ସାମିଲ ହୋଇଥିଲେ ବି ଭାରତୀୟ ବୋର୍ଡ ନିଜ ଦଳ ପଠାଇ ନଥିଲା । କିନ୍ତୁ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ମଧ୍ୟ କ୍ରିକେଟକୁ ସାମିଲ କରାଯାଇନଥିଲା ।