ଅଲଗା ନେତୃତ୍ବ କଥା ବିଚାର କରୁଛି ବିସିସିଆଇ

କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଅଧିନାୟକତ୍ବ

ନୂଆଦିଲ୍ଲୀ: ବିଶ୍ବକପ୍‌ର ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ କ୍ରିକେଟ୍ ଦଳରେ ଥିବା ଦୋଷ ଦୁର୍ବଳତା ନେଇ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି। ଦଳ ମାତ୍ରାଧିକ ଭାବେ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ନିର୍ଭରଶୀଳ ବୋଲି କ୍ରିକେଟ୍ ପଣ୍ଡିତମାନେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି। କୋହଲିଙ୍କ ଉପରେ ଥିବା ମାତ୍ରାଧିକ ବୋଝକୁ ହାଲୁକା କରିବା ଲାଗି ବିସିସିଆଇ ବିଭାଜିତ ନେତୃତ୍ବ ଯୋଜନାକୁ ଗୁରୁତ୍ବର ସହ ବିଚାର କରୁଥିବା ଜଣାପଡ଼ିଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ରୋହିତଙ୍କୁ ଆଗାମୀ ସମୟରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇପାରେ। କୋହଲିଙ୍କ ପାଖରେ ପୂର୍ବବତ୍ ଟେଷ୍ଟ ଏବଂ ଟ୍ବେଣ୍ଟି-୨୦ ଅଧିନାୟକ ପଦ ରହିବ। ଏକ ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ‌ଦେଇ ସେ କହିଛନ୍ତି ଭଲ ଦଳଗୁଡ଼ିକ ଗୋଟିଏ ଅଭିଯାନ ଶେଷ ହେବା ପରେ ପରବର୍ତୀ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି। ଇଂଲଣ୍ଡ ରବିବାର ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବା ଏହାର ସବୁଠାରୁ ବଡ଼ ଉଦାହରଣ। ଭବିଷ୍ୟତକୁ ଆଖି ଆଗରେ ରଖି ଭାରତ ମଧ୍ୟ ରୋହିତଙ୍କୁ ୫୦ ଓଭରିଆ ଅଧିନାୟକ ଭାର ଦେବା କଥା ଚିନ୍ତା କରିବା ଉଚିତ। ‌କୋହଲି ଟେଷ୍ଟ ଏବଂ ଟ୍ବେଣ୍ଟି-୨୦ରେ ଅଧିନାୟକ ରହିଲେ ଅସୁବିଧା ନାହିଁ। ରୋହିତ ଦିନିକିଆ ଅଧିନାୟକ ପଦ ଗ୍ରହଣ କରିବାର ଏହା ହିଁ ସଠିକ୍ ସମୟ। କୋହଲି ଏବଂ ଦଳୀୟ ଅଧିକାରୀଙ୍କୁ ବୋର୍ଡ ସବୁବେଳେ ନିଃସର୍ତ୍ତ ସମର୍ଥନ ଦେଇଛି। ହେଲେ ଏବେ ଆସନ୍ତା ବିଶ୍ବକପ୍ ପାଇଁ ଯୋଜନା କରିବାର ସମୟ ଆସି ଯାଇଛି। ଏହା ଦ୍ବାରା ନୂଆ ରଣନୀତି ଏବଂ କୌଶଳ ପ୍ରସ୍ତୁତ କରିହେବ। ଆମେ ସମସ୍ତେ ଜାଣିଛେ, ଦଳରେ କିଛିଟା ଦୁର୍ବଳତା ରହିଛି। ରୋହିତ ଏସବୁ ଠିକ୍ କରିବାକୁ ପୂରା ସକ୍ଷମ। ତେବେ ଅଧିନାୟକ ଏବଂ ପ୍ରଶିକ୍ଷକଙ୍କ ସହ ସମୀକ୍ଷା ପରେ ଯାଇ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ କହି ସାରିଛନ୍ତି।

ସମ୍ବନ୍ଧିତ ଖବର