ବିଭାଜିତ ନେତୃତ୍ବ ସୂତ୍ର ଆପଣାଇବ ବିସିସିଆଇ!

ମୁମ୍ବାଇ : ଆଉ ଏକ ବିଶ୍ବକପ୍‌ ବିଫଳତା ପରେ ଏବେ ଆକ୍ସନ୍ ମୁଡ୍‌ରେ ରହିଛି ବିସିସିଆଇ। ଶୁକ୍ରବାର ରାତିରେ ବିସିସିଆଇ ଏହାର ବରିଷ୍ଠ ଚୟନ ସମିତିକୁ ଭାଙ୍ଗି ଦେଇଥିଲା। ଏବେ ପ୍ରତି ଫର୍ମାଟ୍ ପାଇଁ ଅଲଗା ଅଲଗା ଅଧିନାୟକ ନିଯୁକ୍ତ କରିବା ପ୍ରସଙ୍ଗକୁ ବିସିସିଆଇ ଗୁରୁତର ସହ ବିଚାର କରୁଛି। ଟେଷ୍ଟ୍‌, ‌ଦିନିକିଆ ଓ ଟ୍ବେଣ୍ଟି-୨୦ ଲାଗି ୩ ଅଲଗା ଅଧିନାୟକଙ୍କୁ ଦାୟିତ୍ବ ଦେବାକୁ ନବନିର୍ବାଚିତ ବିସିସିଆଇ ସଭାପତି ରୋଜର ବିନ୍ନି ଗମ୍ଭୀରତାର ସହ ବିଚାର କରୁଛନ୍ତି।

ପୂର୍ବରୁ ଏଭଳି ପ୍ରଥାକୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆପଣାଇ ସାରିଥିଲେ ମଧ୍ୟ ବିଭିନ୍ନ ସମୟରେ ଆସୁଥିବା ପ୍ରସ୍ତାବକୁ ବିସିସିଆଇ ଏଡ଼ାଇ ଯାଉଥିଲା। ଭାରତୀୟ ସଂସ୍କୃତି ଏବଂ ଚରିତ୍ର ଦୃଷ୍ଟିରୁ ଏହା ଦଳ ଭିତରେ ବିଭେଦ ଓ ବିଭାଜନର ସୂତ୍ରପାତ କରିପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଭାରତୀୟ ଦଳ ବଡ଼ବଡ଼ ପ୍ରତିଯୋଗିତାରେ ନିୟମିତ ବିଫଳ ହେବା ପରେ ଏବେ ସମସ୍ତ ୩ ଫର୍ମାଟରେ ଅଲଗା ନେତୃତ୍ବ ଅର୍ପଣ ଲାଗି ଚିନ୍ତା କରାଯାଇଛି। ଏଭଳି କ୍ଷେତ୍ରରେ ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା ଦୌଡ଼ରେ ରହିଛନ୍ତି। ଆସନ୍ତାବର୍ଷ ଭାରତରେ ଦିନିକିଆ ବିଶ୍ବକପ୍‌ ଥିବାରୁ ରୋହିତଙ୍କୁ ସମ୍ଭବତଃ ଏହି ଫର୍ମାଟରେ ଅଧିନାୟକ ରଖାଯିବ। କିନ୍ତୁ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନଜରରେ ରଖି ହାର୍ଦିକ ପାଣ୍ଡ୍ୟାଙ୍କୁ ଏବେଠାରୁ ସ୍ଥାୟୀ ଭାବେ ଦାୟିତ୍ବ ଦେବାର ଯୋଜନା କରାଯାଉଛି। ହାର୍ଦିକ ମଧ୍ୟ ଏବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ନେତୃତ୍ବ‌ ନେଇ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଅଛନ୍ତି।

ସୂଚନାଯୋଗ୍ୟ, ବିସିସିଆଇ ଶୁକ୍ରବାର ରାତିରେ ଚେତନ ଶର୍ମାଙ୍କ ନେତୃତ୍ବାଧିନ ବରିଷ୍ଠ ଚୟନ ସମତିକୁ ବରଖାସ୍ତ କରି ଦେଇଥିଲା। ସାଧାରଣତଃ ଚୟନକର୍ତାଙ୍କ କାର୍ଯ୍ୟକାଳ ୪ ବର୍ଷିଆ ହୋଇଥିବା ବେଳେ ଚେତନଙ୍କ ସମିତିର ସଦସ୍ୟମାନେ ଦୁଇ ବର୍ଷ ନ ପୁରୁଣୁ ବିଦା ହୋଇଛନ୍ତି। ବିସିସିଆଇ ମଧ୍ୟ ଏହାର ବରିଷ୍ଠ ପୁରୁଷ ଚୟନ ସମିତି ପାଇଁ ନୂଆ ସଦସ୍ୟଙ୍କଠାରୁ ଦରଖାସ୍ତ ଆହ୍ବାନ କରିଛି। ନଭେମ୍ବର ୨୮ ତାରିଖକୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଚେତନ ଶର୍ମାଙ୍କ ସମିତି ବାଛିଥିବା ଭ‌ାରତୀୟ ଦଳ ୨୦୨୧ରେ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରିଯିବା ପରେ ସେହି ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ସଦ୍ୟ ସମାପ୍ତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ମଧ୍ୟ ଦଳ ସେମିଫାଇନାଲ୍‌ରେ ଇଂଲଣ୍ଡଠୁ ହାରି ବିଦାୟ ନେଇଥିଲା। ଏସିଆ କପ୍‌ରେ ମଧ୍ୟ ବିଫଳ ହୋଇଥିଲା। ଏଥିପାଇଁ ଖେଳାଳି ଚୟନକୁ ନେଇ ବହୁ ଅଭିଯୋଗ ହୋଇ ଆସୁଥିଲା। ଏପରିକି ଗତବର୍ଷ ବିରାଟ କୋହଲି ଟ୍ବେଣ୍ଟି-୨୦ ନେତୃତ୍ବ ଛାଡ଼ିବା ପରେ ତାଙ୍କ ସହ ଆଲୋଚନା ନ କରି ଟେଷ୍ଟ୍ ଓ ଦିନିକିଆରୁ ତାଙ୍କଠାରୁ ଅଧିନାୟକତ୍ବ ଛଡ଼ାଇ ନିଆଯାଇଥିଲା। ଦଳ ଚୟନର ମାତ୍ର ଦେଢ଼ ଘଣ୍ଟା ପୂର୍ବରୁ ତାଙ୍କୁ ଅବଗତ କରାଯାଇଥିବା ସେ ଅଭିଯୋଗ ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର