ପ୍ରଶିକ୍ଷକ ପାଇଁ ବିଜ୍ଞପ୍ତି ପ୍ରକାଶ କରିବ ବିସିସିଆଇ

ମୁମ୍ବାଇ: ଆଗାମୀ ବିଶ୍ବକପ୍‌ ପୂର୍ବରୁ ଭାରତର ସମସ୍ତ ଶୃଙ୍ଖଳା ଏବଂ ପରୀକ୍ଷାନିରୀକ୍ଷା ପ୍ରାୟତଃ ଶେଷ ହୋଇଯାଇଛି। ଏବେ କେବଳ ଆଇପିଏଲ୍‌ରେ ଖେଳାଳିମାନଙ୍କ ପ୍ରଦର୍ଶନ ଦେଖିବାକୁ ବାକି ରହିଛି। ଏପରିସ୍ଥଳେ ବିଶ୍ବକପ୍‌ ପରେ ଦଳର ପ୍ରଶିକ୍ଷକ କିଏ ରହିବ, ରବି ଶାସ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ବଢ଼ିବ ନା ନାହିଁ ବିଭିନ୍ନ ପ୍ରଶ୍ନ ଉଙ୍କି ମା‌ରିଛି। ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମଧ୍ୟ ଏହାକୁ ନେଇ କସରତ ଆରମ୍ଭ କରିଦେଇଛି। ୨୦୧୭ ଜୁଲାଇରେ ନିଯୁକ୍ତି ପାଇଥିବା ଶାସ୍ତ୍ରୀ ଏବଂ ତାଙ୍କ ସହଯୋଗୀମାନଙ୍କ କାର୍ଯ୍ୟକାଳ ବିଶ୍ବକପ୍‌ ପରେ ପରେ ପୂରିଯିବ। ହେଲେ ବିଶ୍ବକପ୍‌ ପରେ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ସମ୍ଭବତଃ ବିଜ୍ଞପ୍ତି ପ୍ରକାଶ କରିପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଖୁବ୍‌ ଶୀଘ୍ର ବିସିସିଆଇ ଏହି ପଦ ପାଇଁ ବିଜ୍ଞାପନ ପ୍ରକାଶ କରିବ ଏବଂ ବିଶ୍ବକପ୍‌ ଶେଷ ହେବାର ଦୁଇ ସପ୍ତାହ ମଧ୍ୟରେ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ବିଶ୍ବକପ୍‌ ଜୁଲାଇ ୧୪ ତାରିଖରେ ଶେଷ ହେବାକୁ ଥିଲା ବେଳେ ସମ୍ଭବତଃ ସେହି ମାସ ଶେଷରେ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନୂ୍ଆ ପ୍ରଶିକ୍ଷକ ନିଯୁକ୍ତ ହୋଇଯାଇଥିବେ ବୋଲି ବିସିସିଆଇ ଚିନ୍ତା କରିଛି।

ଦରକାର ପଡ଼ିଲେ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ମଧ୍ୟବର୍ତୀକାଳୀନ ପ୍ରଶିକ୍ଷକ ନିଯୁକ୍ତ ମଧ୍ୟ ହୋଇପାରେ। ନଚେତ୍‌ ଶାସ୍ତ୍ରୀ (ପ୍ରଶିକ୍ଷକ), ସଞ୍ଜୟ ବାଙ୍ଗର (ସହକାରୀ ପ୍ରଶିକ୍ଷକ), ଭରତ ଅରୁଣ (ବୋଲିଂ ପ୍ରଶିକ୍ଷକ) ଏବଂ ଆର୍‌ ଶ୍ରୀଧର (କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ)ଙ୍କ କାର୍ଯ୍ୟକାଳ ବଢ଼ାଯିବାର ମଧ୍ୟ ସମ୍ଭାବନା ରହିପାରେ ବୋଲି କୁହାଯାଉଛି। ନୂ୍ଆ ପ୍ରଶିକ୍ଷକ ନିଯୁକ୍ତି ପାଇଁ ବିସିସିଆଇ ପୁନର୍ବାର ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ ତିନି ଜଣିଆ କ୍ରିକେଟ୍‌ ପରାମର୍ଶଦାତା ସମିତି (ସିଏସି)କୁ ଦାୟିତ୍ବ ଦେବ। ଏହି ସମିତି ଆଶାୟୀ ପ୍ରାଥୀଙ୍କ ସାକ୍ଷାକାର ନେଇ ତାଲିକା କାଣ୍ଟ୍‌ଛାଣ୍ଟ୍‌ କରିବା ସହିତ ଚୂଡାନ୍ତ ପସନ୍ଦ ମଧ୍ୟ ଘୋଷଣା କରିବ। ଏଥିପାଇଁ ଶାସ୍ତ୍ରୀଙ୍କୁ ସିଧାସଳଖ ଚୂଡାନ୍ତ ପର୍ଯ୍ୟାୟରେ ସୁଯୋଗ ଦିଆଯିବ। ଏହା ପୂର୍ବରୁ ଅନିଲ କୁମ୍ବଲେଙ୍କୁ ଏହି ସୁଯୋଗ ମିଳିଥିଲା। ହେଲେ କୁମ୍ବଲେ ପୁନର୍ବାର ଆବେଦନ କରିଥିଲେ। କୁମ୍ବଲେ ମଧ୍ୟ ସିଏସିର ପ୍ରଥମ ପସନ୍ଦ ରହିଥିଲା ବେଳେ ବିବାଦୀୟ ପରିସ୍ଥିତିରେ ସେ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ହିଁ ଶାସ୍ତ୍ରୀଙ୍କୁ ସମର୍ଥନ ଦେଇଥିଲେ। ଯାହାଫଳରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଶାସ୍ତ୍ରୀ-କୋହଲିଙ୍କ ପରିଚାଳନାରେ ଚାଲିଆସିଛି।

ସମ୍ବନ୍ଧିତ ଖବର