ମୁମ୍ବାଇ : ଯଦି ଭାରତ ସରକାର କର ଛାଡ୍‌ ନକରନ୍ତି ତାହେଲେ ୨୦୨୩ ବିଶ୍ବକପ୍‌ ଆୟୋଜନରୁ ଭାରତ ୯୫୫ କୋଟି ଟଙ୍କା ହରାଇପାରେ। ବିସିସିଆଇର ଏକ ରିପୋର୍ଟ ଅନୁଯାୟୀ, ବିଶ୍ବକପ୍‌ରେ ଆଇସିସିର ପ୍ରସାରଣ ଅଧିକାର ଆୟ ଉପରେ କେନ୍ଦ୍ର ସରକାର ୨୧.୮୪ ପ୍ରତିଶତ କର ଲାଗୁ କରୁଛନ୍ତି। କିନ୍ତୁ ଆଇସିସି ନିୟମ ଅନୁସାରେ ଏହି ବିଶ୍ବସ୍ତରୀୟ ସଂଘ ଦ୍ବାରା କୌଣସି ବଡ଼ ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଘରୋଇ ବୋର୍ଡକୁ ସୋମାନଙ୍କ ସରକାରଙ୍କଠୁ କର ଛାଡ୍‌ କରିବାକୁ ହେବ। କିନ୍ତୁ ଭାରତର କର ଆଇନ୍ ଏଭଳି ଛାଡ୍‌କୁ ଅନୁମତି ଦେଉନାହିଁ। ଏଥିଯୋଗୁଁ ୨୦୧୬ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ବେଳେ ବିସିସିଆଇକୁ ୧୯୩ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏହା ବିରୋଧରେ ଆଇସିସି ଟ୍ରିବୁନାଲ୍‌ରେ ଏବେ ବି ବିସିସିଆଇର ଲଢେଇ ଜାରି ରହିଛି। ତେଣୁ ଆଗକୁ ୨୦୨୩ ବିଶ୍ବକପ୍‌ ଆୟୋଜନ ବେଳେ କର ଛାଡ୍‌ ମାମଲାର ସମାଧାନ ବାହାର କରିବାକୁ ବିସିସିଆଇ ଆଇସିସିକୁ ଅନୁରୋଧ କରିଛି। ଏକ ସୂଚନା ଅନୁଯାୟୀ, ପ୍ରସାରଣ ଅଧିକାର ଆୟ ଉପରେ କେନ୍ଦ୍ର ସରକାରଙ୍କ କରକୁ ୧୦ ପ୍ରତିଶତକୁ ହ୍ରାସ କରିବା ପାଇଁ ବିସିସିଆଇ ଉଦ୍ୟମ ଆରମ୍ଭ କରିଛି। ଏହା ହୋଇପାରିଲେ ବୋର୍ଡର କ୍ଷତି ୪୩୦ କୋଟି ଟଙ୍କାକୁ ହ୍ରାସ ପାଇପାରିବ।