ବିସିସିଆଇ ମହିଳା ଦିନିକିଆ, ସରିତାଙ୍କ ଅର୍ଧଶତକ ସତ୍ତ୍ବେ ଓଡ଼ିଶା ପରାସ୍ତ

କଟକ: ସରିତା ମେହେରଙ୍କ ଅର୍ଧଶତକୀୟ ପାଳି ସତ୍ତ୍ବେ ଓଡ଼ିଶା ମହିଳା ଦଳ ଚଳିତ ବିସିସିଆଇ ଅନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍‌ରେ ଦ୍ବିତୀୟ ପରାଜୟର ସାମ୍ନା କରିଛି। ସୋମବାର ଶେଷ ହୋଇଥିବା ଷଷ୍ଠ ମୁକାବିଲାରେ ପଞ୍ଜାବ ୩ ଵିକେଟ୍‌ରେ ଓଡ଼ିଶାକୁ ହରାଇଦେଇଛି। ମୁମ୍ବାଇର ବିକେସି ପଡ଼ିଆରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପଞ୍ଜାବ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଦ୍ବିତୀୟ ଓଭରରେ ମାଧୁରି ମେହେଟ୍ଟା ୫ ରନ୍‌ କରି ଆଉଟ୍ ହେବା ପରେ ସରିତା ମେହେର ଓ ଅଞ୍ଜଳି ସି˚ହ ପାଳି ସମ୍ଭାଳିଥିଲେ। ରକ୍ଷଣାତ୍ମକ ଖେଳୁଥିବା ସତ୍ତ୍ବେ ଅଞ୍ଜଳି ୧୫ରନ୍‌ କରି ବୋଲ୍ଡ ହୋଇଯାଇଥିଲେ। ତୃତୀୟ ଵିକେଟ୍‌ରେ ସରିତା ଓ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ମଧ୍ୟରେ ୯୬ ରନ୍‌ର ଭାଗୀଦାରି ହୋଇଥିଲା। ସରିତା ୬୪ ରନ୍‌ ସ˚ଗ୍ରହ କରିଥିବାବେଳେ ଆଉଟ୍‌ ହୋଇଯିବାରୁ ଯୋଡ଼ି ଭାଙ୍ଗିଥିଲା। ପଛକୁ ପଛ ମଧୁସ୍ମିତା ମଧ୍ୟ ୪୬ ରନ୍‌ରେ ଆଉଟ୍ ହୋଇଥିଲେ। ନିମ୍ନକ୍ରମରେ ଆଉ କେହି ବିଶେଷ ଯୋଗଦାନ ନକରିବାରୁ ଓଡ଼ିଶା ନିର୍ଧାରିତ ଓଭର ସୁଦ୍ଧା ୯ ଵିକେଟ୍ ବିନିମୟରେ ୧୯୮ ରନ୍‌ ସ˚ଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଏଣ୍ଟ୍‌ ତାଲିକାର ସବୁଠୁ ତଳେ ରହିଥିବା ପଞ୍ଜାବ ଆରମ୍ଭରୁ ଆକ୍ରମଣ ଆରମ୍ଭ କରିଥିଲା। ରିଧିମା ଅଗ୍ରଵାଲ ଓ ଜସିଆ ଅଖତର ଦ୍ରୁତ ଖେଳିବାକୁ ଯାଇ ୧୭ ଓଭରରେ ୯୩ ରନ୍‌ ସ˚ଗ୍ରହ କରିଥିଲେ। ତେବେ ରିଧିମା (୪୦) ଙ୍କୁ ରୋସନାରା ପରବିନ୍‌ ବୋଲ୍ଡ କରି ଯୋଡ଼ି ଭାଙ୍ଗିଥିଲାବେଳେ ଦୁଇ ବଲ୍‌ ବ୍ୟବଧାନ ପରେ ଜସିଆ (୪୨)ଙ୍କୁ ସୁଶ୍ରୀ ଦିବ୍ୟଦର୍ଶିନୀ ଆଉଟ୍‌ କରିଥିଲେ। ଦୃଢ ମୂଳଦୁଆ ପଡ଼ିଯାଇଥିବାରୁ ପରବର୍ତ୍ତୀ ଖେଳାଳିଙ୍କୁ ରନ୍‌ ବାହାର କରିବାରେ କୌଣସି ସମସ୍ୟା ହୋଇନଥିଲା। ପ୍ରବୀଣ ଖାନ୍‌ ୨୪, ପ୍ରିୟଙ୍କା ମଲ୍ଲିକ ୨୦, ବିଏନ୍‌ ମିନା ୨୬, ହରପ୍ରୀତ୍‌ ଢିଲନ୍‌ ୨୨, ନୀଲମ ବିସ୍ତ ୧୦ ରନ୍‌ କରି ଆଉଟ ହୋଇଥିଲେ। ଦଳ ୩୯.୫ ଓଭରରେ ୭ ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଓଡ଼ିଶା ପାଇଁ ସୁଶ୍ରୀ ସର୍ବାଧିକ ୪, ରୋସନାରା, ମଧୁସ୍ମିତା, ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ ବୁଧବାର ଛତିଶଗଡ଼ ବିପକ୍ଷରେ ଖେଳିବ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ୫୦ ଓଭରରେ ୧୯୮/୯ (ସରିତା ମେହେର-୬୪, ମଧୁସ୍ମିତା ବେହେରା-୪୬, ପ୍ରଜ୍ଞା ପାରମିତା ମହାନ୍ତି-୨୦, ସଙ୍ଗୀତା ଖଡ଼ିଆ-୨୩*, ହରପ୍ରୀତ୍‌ ଢିଲନ୍‌-୩/୩୧, ବିଏନ୍‌ମୀନା-୨/୩୨)। ପଞ୍ଜାବ ୩୯.୫ ଓଭରରେ ୨୦୨/୭ (ରିଧିମା ଅଗ୍ରଵାଲ-୪୦, ଜସିଆ ଅଖତର-୪୨, ବିଏନ୍‌ ମୀନା-୨୬, ସୁଶ୍ରୀ ଦିବ୍ୟଦର୍ଶିନୀ ୪/୪୩)।

ସମ୍ବନ୍ଧିତ ଖବର