ବିସିସିଆଇର ଐତିହାସିକ ନିଷ୍ପତ୍ତି: ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ପ୍ରାପ୍ୟ ସମାନ ହେଲା

ମୁମ୍ବାଇ: ପୁରୁଷ କ୍ରିକେଟର୍‌ଙ୍କ ଭଳି ଭାରତୀୟ ମହିଳା କ୍ରିକେଟର୍‌ମାନେ ସମାନ ପରିମାଣର ପାଉଣା ପାଇବେ। ଗୁରୁବାର ବିସିସିଆଇର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ରିକେଟ୍‌ର ବିକାଶ ପାଇଁ ବିସିସିଆଇ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ସଭାପତି ରୋଜର ବିନ୍ନି କହିଛନ୍ତି। ଏହି ନିଷ୍ପତ୍ତି ଫଳରେ ଭାରତୀୟ ମହିଳା କ୍ରିକେଟର୍‌ମାନେ ପ୍ରତି ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ ଟଙ୍କା, ଆନ୍ତର୍ଜାତିକ ଦିନିକିଆ ପିଛା ୬ ଲକ୍ଷ ଟଙ୍କା ଏବଂ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପିଛା ୩ ଲକ୍ଷ ଟଙ୍କା ପାଉଣା ପାଇବେ। ମହିଳା କ୍ରିକେଟର୍‌ଙ୍କୁ ପୁରୁଷଙ୍କ ଭଳି ପ୍ରାପ୍ୟ ଦେବାରେ ବିସିସିଆଇ ବିଶ୍ବରେ ତୃତୀୟ ବୋର୍ଡ ହୋଇପାରିଛି। ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ଏହାର ଖେଳାଳିମାନଙ୍କୁ ସମାନ ଧରଣର ପ୍ରାପ୍ୟ ଦେଇଆସୁଛନ୍ତି। ଭାରତୀୟ କ୍ରିକେଟ୍‌ରେ ଲିଙ୍ଗଗତ ସମାନତା ଭାବେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିବା ସମ୍ପାଦକ ଜୟ ଶାହ କହିଥିଲା ବେଳେ ଭେଦଭାବ ଦୂର କରିବା ପାଇଁ ଏହା ପ୍ରଥମ ପଦକ୍ଷେପ ମାତ୍ର ବୋଲି ଜୟ ସାମାଜିକ ଗଣମାଧ୍ୟମରେ ‌ଉଲ୍ଲେଖ କରିଛନ୍ତି।

ବିସିସିଆଇର ଏହି ନିଷ୍ପତ୍ତିକୁ ଭାରତୀୟ ମହିଳା ଦଳର ଅଧିନାୟିକା ହର୍ମନପ୍ରୀତ୍‌ କୌର ସ୍ବାଗତ କରିବା ସହ ଏହାକୁ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରିଛନ୍ତି। ସେହିପରି ପୂର୍ବତନ ଅଧିନାୟିକା ମିତାଲି ର‌ାଜ୍‌ କହିଛନ୍ତି ଯେ ପ୍ରଥମେ ମହିଳା ଆଇପିଏଲ୍‌ ଓ ଏବେ ସମାନ ପାଉଣା ଦିଆଯିବା ନିଷ୍ପତ୍ତି ‌ଯୋଗୁଁ ପୁରୁଷମାନଙ୍କ ପରି ମହିଳା କ୍ରିକେଟ୍‌ ମଧ୍ୟ ବହୁତ ଆଗକୁ ଯାଇପାରିବ। ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂହଙ୍କ ଭଳି ଆହୁରି ଅନେକ ବିସିସିଆଇର ଉକ୍ତ ନିଷ୍ପତ୍ତି ପାଇଁ ବଧେଇ ଜଣାଇଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ମହିଳା ଦଳ ନିକଟରେ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍‌ର ବିଜେତା ହୋଇଥିଲା ବେଳେ ପ୍ରଥମ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ପାଇଥିଲା।

ସମ୍ବନ୍ଧିତ ଖବର