ଅଷ୍ଟ୍ରେଲୀୟ ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା ବିଚାରାଧୀନ: ଏସିଏ ମୁଖ୍ୟ

ବିସିସିଆଇର ପ୍ରତିଶୃତି: ଖେଳାଳିମାନେ ନିରାପଦରେ ଘରେ ପହଞ୍ଚିବେ

ମେଲ୍‌ବର୍ଣ୍ଣ: ଆଇପିଏଲ୍‌ ସରିବା ପରେ ଭାରତରୁ ଅଷ୍ଟ୍ରେଲୀୟ କ୍ରିକେଟର୍‌ଙ୍କୁ ଫେରାଇ ଆଣିବା ପାଇଁ ଏକ ସ୍ବତନ୍ତ୍ର (ଚାର୍ଟର୍ଡ) ବିମାନ ବ୍ୟବସ୍ଥା ବିଚାରାଧୀନ ରହିଛି ବୋଲି ଅଷ୍ଟ୍ରେଲିଆର ଖେଳାଳିଙ୍କ ସଂଘ (ଏସିଏ) ବୁଧବାର କହିଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଭାରତରୁ ଯାତ୍ରୀବାହୀ ବିମାନ ସେବାକୁ ଅଷ୍ଟ୍ରେଲିଆ ସରକାର ବାତିଲ କରିଦେଇଥିବାରୁ ଅଷ୍ଟ୍ରେଲୀୟ ଖେଳାଳି, ପ୍ରଶିକ୍ଷକ ଓ ଭାଷ୍ୟକାରମାନେ ନିଜସ୍ବ ଯାତ୍ରା ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ଘୋଷଣା କରିଥିଲେ।

ସରକାରଙ୍କ ଦ୍ବାରା ଖେଳାଳିମାନଙ୍କୁ ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା ନେଇ କିଛି ବି ସ୍ପଷ୍ଟ କରାଯାଇନଥିବା କଥା ଅଷ୍ଟ୍ରେଲିଆର କ୍ରୀଡ଼ା ମନ୍ତ୍ରୀ ରିଚାର୍ଡ କୋଲ୍‌ବେକ୍‌ କହିବା ପରେ ଏସିଏ ମୁଖ୍ୟ ଟଡ୍‌ ଗ୍ରିନ୍‌ବର୍ଗଙ୍କ ବିବୃତ୍ତି ଖେଳାଳିଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି। ଗ୍ରିନ୍‌ବର୍ଗଙ୍କ କହିବା କଥା କ୍ରିକେଟ୍‌ ଅଷ୍ଟ୍ରେଲିଆ ଏଭଳି ବ୍ୟବସ୍ଥା ନେଇ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ସହ କଥାବାର୍ତା କରିବ। ହେଲେ ସାଂପ୍ରତିକ ସ୍ଥିତିରେ ଏହା କେତେଦୂର ସମ୍ଭବ ତାହା କହିହେବନାହିଁ। ତଥାପି ନିର୍ଦ୍ଦିଷ୍ଟ ବାଟ ବାହାରିବାର ଆଶା ରହିଥିବା ଗ୍ରିନ୍‌ବର୍ଗ କହିଛନ୍ତି। ତୁମେ ଯେପରି କଳ୍ପନା କରୁଛ ତାହା ଏତେ ସହଜ ନୁହେଁ। ଆଇପିଏଲ୍‌ ଖେଳାଳିମାନଙ୍କୁ ଭାରତରୁ ଦେଶକୁ ନିରାପଦରେ ଫେରାଇ ଆଣିବା ପାଇଁ ଖେଳାଳିଙ୍କ ସଂଘ ଏବଂ କ୍ରିକେଟ୍‌ ଅଷ୍ଟ୍ରେଲିଆ ମିଳିତ ଭାବେ ବାଟ ବାହାର କରିବେ ବୋଲି ସେ କହିଛନ୍ତି।

ବର୍ତମାନ ସୁଦ୍ଧା ଚଳିତ ଆଇପିଏଲ୍‌ରେ ଷ୍ଟିଭ୍‌ ସ୍ମିଥ୍‌ ଓ ମାର୍କସ ଷ୍ଟୋଇନିସ୍‌ (ଦିଲ୍ଲୀ କ୍ୟାପିଟାଲ୍‌ସ), ଡେଭିଡ୍‌ ୱାର୍ଣ୍ଣର (ସନ୍‌ରାଇଜର୍ସ ହାଇଦ୍ରାବାଦ), ପ୍ୟାଟ୍‌ କମିନ୍ସ (କୋଲ୍‌କାତା ନାଇଟ୍‌ରାଇଡର୍ସ), ଗ୍ଲେନ୍‌ ମ୍ୟାକ୍ସୱୋଲ୍‌ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)ଙ୍କ ସମେତ ମୋଟ ୧୪ ଅଷ୍ଟ୍ରେଲୀୟ ଖେଳାଳି ସାମିଲ ଅଛନ୍ତି। ଏମାନଙ୍କ ବ୍ୟତୀତ ରିକି ପଣ୍ଟିଂ (ଦିଲ୍ଲୀ), ସାଇମନ କାଟିଚ୍ (ବାଙ୍ଗାଲୋର)ଙ୍କ ଭଳି ଅଷ୍ଟ୍ରେଲୀୟ ପ୍ରଶିକ୍ଷକ, ମାଥ୍ୟୁ ହେଡେନ୍‌, ବ୍ରେଟ୍‌ ଲି, ଲିସା ସ୍ଥାଲେକର (ଭାଷ୍ୟକାର) ଆଇପିଏଲ୍‌ରେ ଅଂଶଗ୍ରହଣ କରିଛନ୍ତି। ଏସମସ୍ତଙ୍କୁ ଫେରାଇନେବା ପାଇଁ ଯୋଜନା କରାଯିବ ବୋଲି ଗ୍ରିନ୍‌ବର୍ଗ କହିଛନ୍ତି। ଅଧିକାଂଶ ଖେଳାଳି ଆଇପିଏଲ୍‌ର ଜୈବ ବଳୟରେ ରହିବାକୁ ସୁରକ୍ଷିତ ମଣିଛନ୍ତି। ତେଣୁ ସେମାନେ ଆଇପିଏଲ୍‌ରେ ନିଜ ନିଜର ଦାୟିତ୍ବ ଶେଷ କରିବାକୁ ଆଗ୍ରହୀ ରହିଛନ୍ତି ବୋଲି ଗ୍ରିନ୍‌ବର୍ଗ କହିଛନ୍ତି। ଫଳରେ ଆଇପିଏଲ୍‌ ସରିବା ମାତ୍ରେ ସେମାନଙ୍କ ସ୍ବଦେଶ ଫେରିବା ଚିନ୍ତା କରାଯିବ ବୋଲି ସେ କହିଛନ୍ତି।

ବିସିସିଆଇର ପ୍ରତିଶୃତି: ଖେଳାଳିମାନେ ନିରାପଦରେ ଘରେ ପହଞ୍ଚିବେ
ମେ’ ୩୦ ତାରିଖରେ ଆଇପିଏଲ୍‌ ସରିବା ପରେ ପରେ ବିଦେଶୀ ଖେଳାଳିମାନଙ୍କୁ ନିରାପଦରେ ସ୍ବଦେଶ ଫେରିବାର ଦାୟିତ୍ବ ଆମର ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ପ୍ରତିଶୃତି ଦେଇସାରିଛି। ବୁଧବାର ପୁଣି ଥରେ ବିସିସିଆଇ ତା’ର ପ୍ରତିଶୃତିକୁ ଦୋହରାଇଛି। ଆଇପିଏଲ୍‌ ଏବେ ଶେଷ ହୋଇନି। କିନ୍ତୁ ଏହା ସରିବା ପରେ ପ୍ରତ୍ୟେକ ଖେଳାଳି ଯେପରି ସୁରକ୍ଷିତ ଭାବେ ନିଜ ନିଜ ଦେଶକୁ ଫେରିବେ ସେନେଇ ଆମେ ପ୍ରତିଶୃତି ରଖୁଛୁ ବୋଲି ବିସିସିଆଇର ସିଓଓ ହେମାଙ୍ଗ ଅମିନ ଏକ ଚିଠିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର