ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ପାଇଁ ବିସିସିଆଇର ଅନୁରୋଧ

ନୂଆଦିଲ୍ଲୀ : ମ୍ୟାଚ୍‌ ଅଭ୍ୟାସର ଅଭାବ ଯୋଗୁଁ ଗତ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପରାଜୟରୁ ଶିକ୍ଷା ଲାଭ କରିଥିବା ବିସିସିଆଇ ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଟେ‌ଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଅତିକମ୍‌ରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଆୟୋଜନ ପାଇଁ ଇଂଲଣ୍ଡ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି)କୁ ଅନୁରୋଧ କରିବ। ଅଗଷ୍ଟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବାକୁ ସୂଚୀ ରହିଛି। ଭାରତୀୟ ଦଳ ଶେଷ ଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ହିଁ ଟେ‌ଷ୍ଟ୍‌ ଖେଳିଥିଲା। ଏବେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ଯଥେଷ୍ଟ ସମୟ ରହିଥିବାରୁ ସେମଧ୍ୟରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଭାରତୀୟ ଦଳ ପାଇଁ ବ୍ୟବସ୍ଥା କରିବାକୁ ଇସିବିକୁ ବିସିସିଆଇ ଅନୁରୋଧ କରିବାକୁ ସ୍ଥିର କରିଛି। ବିସିସିଆଇ ସଂପାଦକ ଜୟ ଶାହା ଇସିବି ଓ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ୍‌ ହାରିସନ୍‌ଙ୍କ ସହ ଏନେଇ କଥାବାର୍ତା କରିବେ ବୋଲି କୋଷାଧ୍ୟକ୍ଷ ଅରୁଣ ଧୁମାଲ ସୂଚନା ଦେଇଛନ୍ତି। ଅଭ୍ୟାସ ମ୍ୟାଚ୍‌ ମିଳିଲେ କୋହଲିଙ୍କ ଦଳ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭଲ ପ୍ରସ୍ତୁତି କରିପାରିବ ବୋଲି ଶାହା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପରାଜୟ ପରେ ଭାରତୀୟ ଦଳ ଗୁରୁବାର ଲଣ୍ଡନ ଅଭିମୁଖେ ଯାତ୍ରା କରିଛି। ଆଗାମୀ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତୀୟ ଦଳକୁ ୨୦ ଦିନର ବିରତି ମିଳିବ। ଏହି ଶୃଙ୍ଖଳା ଅବସରରେ ଖେଳାଳିମାନେ ମଧ୍ୟ ଇଂଲଣ୍ଡର ବିଭିନ୍ନ ସ୍ଥାନକୁ ଭ୍ରମଣ କରିବାର ଆଶା ରହିଛି। ଏମାନଙ୍କ ମଧ୍ୟରୁ କେତେକ ୱିମ୍ବଲଡନ୍‌ ଦେଖିବାକୁ ଯାଇପାରନ୍ତି। ତେବେ ଲଣ୍ଡନରେ ଦଳ ଜୁଲାଇ ୧୪ରେ ଏକାଠି ହେବା ପରେ ନଟିଂହାମ୍‌ ଅଭିମୁଖେ ଯିବ। ସେଠାରେ ଅଗଷ୍ଟ ୪ରୁ ପ୍ରଥମ ଟେଷ୍ଟ୍‌ ଖେଳାଯିବ।

ସମ୍ବନ୍ଧିତ ଖବର