ବେଳାଭୂମି ଫୁଟ୍‌ବଲ୍‌ର ଓଡ଼ିଶା ପ୍ରବେଶ

ଭୁବନେଶ୍ବର : ପ୍ରଥମ ଥର ଲାଗି ଓଡ଼ିଶାରେ ବେଳାଭୂମି ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଚଳିତ ମାସ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଅନୁ‌ଷ୍ଠିତ ହେବ। ଏହାର ବୈଷୟିକ ସହଯୋଗୀ ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ୍‌ (ଓଏଫ୍‌ସି) ରହିଛି। ଏଥିରେ ମୋଟ ୧୦ ଦଳ (ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର, ନାଲ୍‌କୋ, ଟାଟା ଷ୍ଟିଲ, ଗୁପ୍ତା ପାୱାର, ଇଣ୍ଡିଆନ୍‌ ଅଏଲ, ସିଏସ୍‌ଏମ୍‌, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌, ପାରାଦୀପ ପୋର୍ଟ ଟ୍ରଷ୍ଟ, ଗ୍ରିଡ୍‌କୋ ଓ କ୍ୟାପ୍‌ଜେମିନି) ଭାଗନେବେ।

ଏହି ୧୦ ଦଳକୁ ଦୁଇଟି ଗ୍ରୁପ୍‌ରେ‌ ବିଭକ୍ତ କରାଯାଇଛି। ମ୍ୟାଚ୍‌ଗୁଡ଼ିକ ୧୨ ମିନିଟ୍‌ ବିଶିଷ୍ଟ ଓ ପ୍ରତି ୩ ମିନିଟ୍‌ରେ ଅନ୍ତରାଳ ରହିବ ଏବଂ ଫ୍ଲଡଲାଇଟ୍‌ରେ ଖେଳାଯିବ। ମ୍ୟାଚ୍‌ ଅପରାହ୍‌ଣ ୪ଟାରେ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ୍‌ ୨୩ ତାରିଖ ୬.୩୦ରେ ଖେଳାଯିବା ଲାଗି ସୂଚୀ ପ୍ରସ୍ତୁତ ହୋଇଛି। ‘ମୁଁ ଦୃଢ଼ ଭାବେ ବିଶ୍ବାସ କରୁଛି ଏହି ପ୍ରତିଯୋଗିତା ଓଡ଼ିଶାର ପର୍ଯ୍ୟଟନ ଓ କ୍ରୀଡ଼ାକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଦ୍ବୈତ ଭୂମିକା ତୁଲାଇବ’ ବୋଲି କହିଛନ୍ତି ବିଭାଗୀୟ ସଚିବ ବିଶାଲ କୁମାର ଦେବ। ଆମେ ଏଭଳି ଏକ ଅନନ୍ୟ ଇଭେଣ୍ଟର ଅଂଶବି‌ଶେଷ ହୋଇଥିବାରୁ ଖୁସି। ଏହା ଓଡ଼ିଶାର ସୌନ୍ଦର୍ଯ୍ୟଭରା ଉପକୂଳ ଓ ସୁନ୍ଦର ଖେଳ ଫୁଟ୍‌ବଲ୍‌କୁ ଏକାଠି କରିଛି। ଓଡ଼ିଶା ଏଫ୍‌ସି ଏଭଳି କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ ଏବଂ ସିଆଇଆଇ ଏବଂ ଓଡ଼ିଶା ପର୍ଯ୍ୟଟନ ନିକଟରେ ଋଣି ବୋଲି ପ୍ରକାଶ କରିଥିଲେ ଓଏଫ୍‌ସିର ତୃଣମୂଳ ପ୍ରବନ୍ଧକ ଶୁଭମ ଦାସ।

ସମ୍ବନ୍ଧିତ ଖବର