ସୌନ୍ଦର୍ଯ୍ୟ ଜିତିଲେ ସ୍ବର୍ଣ୍ଣ ଓ ରୌପ୍ୟ

ଭୁବନେଶ୍ବର: ହାଂଝୌ ଏସୀୟ ପାରା କ୍ରୀଡ଼ାର ଚେସ୍‌ ଇଭେଣ୍ଟରେ ଭାଗ ନେଇଥିବା ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ କୁମାର ପ୍ରଧାନ ଯୁଗଳ ପଦକ ଜିତି ଐତିହାସିକ ସଫଳତା ପାଇଛନ୍ତି। ଦଳଗତ ବର୍ଗରେ ସ୍ବର୍ଣ୍ଣ ଏବଂ ବ୍ୟକ୍ତିଗତ ବର୍ଗରେ ସେ ରୌପ୍ୟ ପଦକ ସହ ହାଂଝୌରୁ ଓଡ଼ିଶା ଫେରୁଛନ୍ତି। ବ୍ୟକ୍ତିଗତ ବର୍ଗରେ ସେ ୭ ରାଉଣ୍ଡରୁ ୫.୫ ପଏଣ୍ଟ ପାଇଥିଲେ। ଦ୍ବିତୀୟ ରାଉଣ୍ଡରେ ପରାଜୟ ବରଣ କରିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି‌ ସୌନ୍ଦର୍ଯ୍ୟ ପଦକ ସୁଯୋଗକୁ ହା‌‌ତେଇଥିଲେ। ଦଳଗତ ବର୍ଗରେ ଦର୍ପଣ ଈରାନୀ ଓ ଅଶ୍ବିନ ମାକ୍ବାନା (ଉଭୟ ଗୁଜରାଟ)ଙ୍କୁ ସାଥୀ କରି ସୌନ୍ଦର୍ଯ୍ୟ ଭାରତକୁ ସ୍ବର୍ଣ୍ଣ ପଦକ ବିଜେତା କରାଇଥିଲେ। ଉଭୟ ପ୍ରତିଯୋଗିତା ରୢାପିଡ୍‌ ଭିଆଇ ବି୧ ଇଭେଣ୍ଟ ସୁଇସ୍ ସିଷ୍ଟମରେ ଖେଳାଯାଇଥିଲା। ୫ ବର୍ଷ ତଳେ ସୌନ୍ଦର୍ଯ୍ୟ ଜାକର୍ତ୍ତା ପାରା ଏସୀୟ କ୍ରୀଡ଼ାରେ କେବଳ ଦଳଗତ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଏବେ ତାଙ୍କ ପାରା ଏସିଆଡ୍ ସ୍ବର୍ଣ୍ଣ ପଦକ ଜିତି ସ୍ବପ୍ନକୁ ସାକାର କରିଛନ୍ତି।

ଏହି ୨୪ ବର୍ଷୀୟ ବରଗଡ଼ ଯୁବକ ପୂର୍ବରୁ ବିଶ୍ବ ଦୃଷ୍ଟିହୀନ ଚେସ୍‌ ପ୍ରତିଯୋଗିତାରୁ ସ୍ବର୍ଣ୍ଣ, ବିଶ୍ବ କନିଷ୍ଠ ଦୃଷ୍ଟିହୀନ ଚେସ୍‌ରୁ କାଂସ୍ୟ ଏବଂ ଏସୀୟ ଦୃଷ୍ଟିହୀନ ଚେସ୍‌ରୁ କାଂସ୍ୟ ପଦକ ଜିତି ମଧ୍ୟ ରାଜ୍ୟ ଓ ଦେଶର ଗୌରବ ବଢ଼ାଇଥିଲେ। ଜାତୀୟ ସ୍ତରରେ ମଧ୍ୟ ସେ ଏକାଧିକ ଥର ସଫଳତା ଅର୍ଜନ କରିଥିଲେ। ତାଙ୍କ ଭାଇ ପ୍ରାଚୁର୍ଯ୍ୟ କୁମାର ପ୍ରଧାନ ମଧ୍ୟ ଜଣେ ସଫଳ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଚେସ୍‌ ଖେଳାଳି। ଗତବର୍ଷ ପ୍ରାଚୁର୍ଯ୍ୟ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର