ସଚିନଙ୍କ ଶତକୀୟ ଶତକର ପୂର୍ତ୍ତି

ନୂଆଦିଲ୍ଲୀ: ଠିକ୍ ଆଠ ବର୍ଷ ତଳେ ଆଜିର ଦିନ (ମାର୍ଚ ୧୬, ୨୦୧୨) ସଚିନ ତେନ୍ଦୁଲକର ତାଙ୍କ ୧୦୦ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଢ଼ାକା ନିକଟସ୍ଥ ମୀରପୁରର ସେର୍ ବାଂଲା‌ ନ୍ୟାସନାଲ୍ ଷ୍ଟାଡିୟମ୍‌ରେ ବାଂଲାଦେଶ ବିପକ୍ଷ ଏସିଆ କପ୍‌ ମ୍ୟାଚ୍‌ରେ ସଚିନ ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତ ସଅଳ ଗୌତମ ଗମ୍ଭୀରଙ୍କୁ ହରାଇଥିଲା। ସଚିନଙ୍କୁ କିନ୍ତୁ ବିରାଟ କୋହଲି ଭଲ ସହାୟତା ଦେଇ ୧୧୩ ରନ୍‌ ଭାଗୀଦାରି ପ୍ରତିଷ୍ଠା କରିଥିଲେ। ସୁରେଶ ରାଇନା ମଧ୍ୟ ଭାରତୀୟ ପାଳିରେ ଦୃଢ଼ତା ଆଣିବାରେ ଭଲ ଯୋଗଦାନ ରଖିଥିଲେ। ବାଂଲା ବୋଲିଂରୁ କିନ୍ତୁ ଫାଇଦା ଉଠାଇ ସଚିନ ୪୪ତମ ଓଭରରେ ନିଜ ଶତକ ହାସଲ କରିନେଇଥିଲେ। ଭାରତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୨୮୯ ରନ୍ କରିଥିଲା। ସଚିନ ୧୪୭ ବଲ୍‌ ଖେଳି ୧୧୪ ରନ୍ କରିଥିଲେ। ବାଂଲାଦେଶ କିନ୍ତୁ ୨୯୦ ରନ୍ ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ହାସଲ କରି ୫ ୱିକେଟ୍‌ ବ୍ୟବଧାନରେ ବିଜୟୀ ହୋଇଯାଇଥିଲା।

ମାତ୍ର ୧୬ ବର୍ଷ ବୟସରେ ୧୯୮୯ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣର କରିଥିବା ସଚିନ ସମସ୍ତ ଫର୍ମାଟରୁ ମୋଟ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ପୂର୍ବତନ ଶ୍ରୀଲଙ୍କା କ୍ରିକେଟର୍‌ କୁମାର ସାଙ୍ଗାକାରଙ୍କଠାରୁ ସେ ୬,୦୦୦ ରନ୍‌ ଆଗୁଆ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବକାଳୀନ କୀର୍ତ୍ତିମାନ ରଖିଥିବା ସଚିନ ଦିନିକିଆରେ ୧୮,୪୨୬ ଏବଂ ଟେଷ୍ଟ୍‌ରେ ୧୫,୯୨୧ ରନ୍‌ କରିଛନ୍ତି। ଦିନିକିଆରେ ୫୧ ଏବଂ ଟେଷ୍ଟ୍‌ରେ ୪୯ ଶତକ ମାରି ଅବସର ନେଇଥିଲେ ଏହି ମହାନ ଖେଳାଳି। ନିଜର ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ସଚିନ ମଧ୍ୟ ୧୬୪ ଅର୍ଧଶତକ ହାସଲ କରିଛନ୍ତି। ୨୦୧୧ ମସିହାରେ ବିଶ୍ବକପ୍‌ ବିଜୟ, ୨୦୧୨ରେ ୧୦୦ତମ ଅନ୍ତର୍ଜାତୀୟ ଶତକ ହାସଲ ପରେ ୨୦୧୩ ମସିହାରେ ଅବସର ନେଇଯାଇଥିଲେ। ବିଶ୍ବକପ୍‌ ବିଜୟ ଏବଂ ୨୦୦ତମ ତଥା ବିଦାୟୀ ଟେଷ୍ଟ୍‌ ନିଜ ସହର ମୁମ୍ବାଇର ୱାଙ୍ଖ୍‌ଡେରେ ଖେଳିବାର ସୌଭାଗ୍ୟ ମଧ୍ୟ ସଚିନଙ୍କୁ ମିଳିଥିଲା। ମୋଟ ଅନ୍ତର୍ଜାତୀୟ ଶତକ ତାଲିକାରେ ସଚିନଙ୍କ ତଳକୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୭୧) ଏବଂ ଭାରତୀୟ ଦଳର ବର୍ତମାନର ଅଧିନାୟକ ବିରାଟ କୋହଲି (୭୦) ରହିଛନ୍ତି। ସଚିନଙ୍କ କୀର୍ତ୍ତିମାନକୁ ଭାଙ୍ଗିବାର ସମ୍ଭାବନା ଓ ସୁଯୋଗ କେବଳ କୋହଲିଙ୍କ ପାଖରେ ରହିଛି।

ସମ୍ବନ୍ଧିତ ଖବର