ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍ ପୂର୍ବରୁ ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ କିଣିବିକା ନେଇ ଚାଲିଥିବା ଦ୍ବନ୍ଦ୍ବ ଦୂର ହୋଇଛି। କିଙ୍ଗ୍ସ ଇଲେଭେନ୍ ପଞ୍ଜାବଠାରୁ ସଂପର୍କ ତୁଟାଇ ଶେଷରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେଇଛନ୍ତି। ଏହି କିଣାବିକାରେ ଅଶ୍ବିନ୍ଙ୍କ ମୂଲ୍ୟ ୭.୬ କୋଟି ଟଙ୍କା (୨୦୧୮ର ନିଲାମି ଦର ସାଙ୍ଗକୁ ତାଙ୍କ ସେବା ପାଇଁ ଅତିରିକ୍ତ ଅଘୋଷିତ ଅର୍ଥକୁ ମିଶାଇ) ରହିଥିବା ଗୁରୁବାର ସ୍ପଷ୍ଟ ହୋଇଛି। ଅଶ୍ବିନ୍ଙ୍କୁ କିଣିବା ପାଇଁ ଦିଲ୍ଲୀ ଚାହିଁଥିଲା। ହେଲେ ଅନିଲ କୁମ୍ବଲେଙ୍କୁ କିଙ୍ଗ୍ସ ଇଲେଭେନ୍ ତା’ର ନର୍ଦେଶକ ନିଯୁକ୍ତ କରିବା ପରେ ସମୀକରଣ ବଦଳି ଯାଇଥିଲା। କାରଣ ଅଶ୍ବିନ୍ଙ୍କୁ ଦଳରେ ରଖିବା କୁମ୍ବଲେଙ୍କ ପ୍ରଥମ ପସନ୍ଦ ଥିଲା। ହେଲେ ଅଶ୍ବିନ୍ ନିଜେ ଦିଲ୍ଲୀ କ୍ୟାପିଟାଲ୍ସକୁ ଯିବା ପାଇଁ ଆଗ୍ରହ ଦେଖାଇଥିଲେ। ଶେଷରେ ତାହା ହିଁ ହେଲା। ଅଶ୍ବିନ୍ଙ୍କ ସାମିଲ ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ୬ ଜଣ ଆଗଧାଡ଼ିର ସ୍ପିନର ରହିଲେ। ଅନ୍ୟମାନେ ହେଲେ ରାହୁଲ ତେୱାଟିଆ, ଅମିତ ମିଶ୍ରା, ସନ୍ଦୀପ ଲାମିଚାନେ, ଜଳଜ ସାକ୍ସେନା ଓ ଅକ୍ଷର ପଟେଲ। ଅଶ୍ବିନ୍ ଆଇପିଏଲ୍ରେ ୧୩୯ ମ୍ୟାଚ୍ ଖେଳି ୧୨୫ ୱିକେଟ୍ ନିଜ ନାମରେ ରଖିଛନ୍ତି। ତାଙ୍କ ଇକୋନୋମି ରେଟ୍ ୬.୭୯ ରହିଛି। ଯାହାକି ୫୦ରୁ ଅଧିକ ୱିକେଟ୍ ଅକ୍ତିଆର କରିଥିବା ଯେକୌଣସି ଭାରତୀୟ ବୋଲରଙ୍କ ତୁଳନାରେ ସର୍ବଶ୍ରେଷ୍ଠ। ଏଠାରେ ସୂଚନାଯୋଗ୍ୟ, ଆଗାମୀ ଆଇପିଏଲ୍ ଖେଳାଳି ନିଲାମ ପୂର୍ବରୁ କିଣାବିକା ପ୍ରକ୍ରିୟା ପାଇଁ ଚଳିତ ମାସ ୧୪ ତାରିଖକୁ ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଫଳରେ ଅଶ୍ବିନ୍ଙ୍କୁ ପାଇବା ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର କର୍ଣ୍ଣାଟକ ସ୍ପିନର ଜେ ସୁଚିତଙ୍କୁ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ବିକ୍ରି କରିଛି। ପୁଣି ସୁଚିତଙ୍କ ପାଇବା ପରେ କିଙ୍ଗ୍ସ ଇଲେଭେନ୍ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସହ କଥାବାର୍ତା ଚଳାଇଛି। ହେଲେ ନିଜେ ବୋଲ୍ଟ ଏଥିରେ ରାଜିନଥିବା ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp