ବିଶ୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଆମକୁ ପାକିସ୍ତାନ ପ୍ରଶଂସକ ଆକ୍ଷେପ କରିଥିଲେ: ଶଙ୍କର

ନୂଆଦିଲ୍ଲୀ: ଗତବର୍ଷର ବିଶ୍ବକପ୍‌ ବେଳେ ପାକିସ୍ତାନ ବିପକ୍ଷ ହାଇ ଭୋ‌ଲ୍‌ଟେଜ୍‌ ମ୍ୟାଚ୍‌ ପୂର୍ବରୁ ଜଣେ ପ୍ରଶଂସକ କିଭଳି ଭାରତୀୟଙ୍କୁ ଆକ୍ଷେପ କରିଥିଲେ ତା’ ଉପରୁ ପରଦା ଉଠାଇଛନ୍ତି ଅଲରାଉଣ୍ଡର୍‌ ବିଜୟ ଶଙ୍କର। ମା‌ଞ୍ଚେଷ୍ଟର୍‌ରେ ୨୦୧୯ ଜୁନ୍‌ ୧୬ ତାରିଖରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଶଙ୍କରଙ୍କୁ ପଦାର୍ପଣ ସୁଯୋଗ ମିଳିବାର ସଙ୍କେତ ମିଳିଯାଇଥିଲା। ନିଜ ଉପରୁ ଚାପ ହଟାଇବା ଲାଗି ସେ ଦୀ‌ନେଶ କାର୍ତିକଙ୍କ ସହ କଫି ପିଇବା ପାଇଁ ଯାଇଥିଲେ। କିନ୍ତୁ ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ପାଖକୁ ଆସି ଖରାପ ଭାଷାରେ କିଛି କହିଥିଲେ। ଏହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରିଚାଲିଥିଲୁ ଏବଂ ଆମେ ନିରବ ରହି କେବଳ ତାଙ୍କୁ ଦେଖୁଥିଲୁ’ ବୋଲି ଶଙ୍କର ପ୍ରକାଶ କରିଛନ୍ତି। ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ପ୍ରଥମ ଅନୁଭୂତିକୁ ମୁଁ ଏଭଳି ରଖିଛି ବୋଲି ସେ କହିଥିଲେ।

ନିଜର ବିଶ୍ବକପ୍‌ ପଦାର୍ପଣକୁ ମଧ୍ୟ ସ୍ମରଣୀୟ ରଖିଥିଲେ ଶଙ୍କର। ବ୍ୟାଟିଂ‌ରେ ୧୫ ବଲ୍‌ରୁ ୧୫* ରନ୍ କରିବା ପରେ ବୋଲିଂ ବେଳେ ପ୍ରଥମ ବଲ୍‌ରେ ୱିକେଟ୍ ନେଇଥିଲେ। ଭୁବନେଶ୍ବର କୁମାର ଆହତ ହୋଇ ‌ପଡିଆ ଛାଡ଼ିବାରୁ ବିରାଟ କୋହଲି ବଲ୍‌କୁ ଶଙ୍କରକୁ ଦେଇ ଓଭର ସମ୍ପୂର୍ଣ୍ଣ କରିବାକୁ କହିଥିଲେ। ଶଙ୍କରଙ୍କ ବଲ୍‌ ହାପ୍‌ ଭଲିରେ ପଡ଼ିଥିବା ବେ‌ଳେ ପାକିସ୍ତାନୀ ବ୍ୟାଟସମ୍ୟାନ୍‌ ଇମାମ୍‌ ଉଲ୍ ହକ୍‌ ବ୍ୟାଟ୍ ସଂଯୋଗ କରିବାକୁ ବିଫଳ ହୋଇ ଲେଗ୍‌ ବିଫୋର ୱିକେଟ୍‌ ‌ଘୋଷିତ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୮୯ ରନ୍‌ (ଡିଏଲ୍‌)ରେ ଜିତିଥିବା ବେଳେ ଶଙ୍କର (୫.୨-୦-୨୨-୨) ଚମତ୍କାର ବୋଲିଂ ଚିତ୍ର ପାଇଥିଲେ। ବିଶ୍ବକପ୍‌ରେ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ‌ବେଳେ ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡ୍‌ରୁ ନିକଟରୁ ହାରିଯାଇଥିଲା। ନାଟକୀୟ ଫାଇନାଲରେ ନ୍ୟୁଜିଲାଣ୍ଡ୍‌କୁ ବାଉଣ୍ଡରି ଗଣନାରେ ହରାଇ ଇଂଲଣ୍ଡ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଜିତିଥିଲା।

ସମ୍ବନ୍ଧିତ ଖବର