ୟୁଏଇ ଗସ୍ତ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ୫ ଥର ହେବ କରୋନା ପରୀକ୍ଷା

ମୁମ୍ବାଇ: ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୟୁଏଇରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେଠାକୁ ଯିବା ପୂର୍ବରୁ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଖେଳାଳିମାନଙ୍କ ୫ ଥର କରୋନା ପରୀକ୍ଷା କରାଯିବ। ଦଳର କିଛି ଘରୋଇ ଖେଳାଳି ମୁମ୍ବାଇରେ ପହଞ୍ଚି ସାରିଥିଲା ବେଳେ ଆଉ କିଛି ଦୁଇ ତିନି ଦିନ ମଧ୍ୟରେ ପହଞ୍ଚିଯିବେ। ଭାରତୀୟ ତାରକା ଖେଳାଳିମାନେ ଆଗାମୀ ୭ରୁ ୮ ଦିନ ମଧ୍ୟରେ ଦଳ ସହ ଯୋଗଦେବାର ସମ୍ଭାବନା ରହିଛି।

କରୋନା ନିୟମାବଳି ମାନି ଆମ ଘରୋଇ ଖେଳାଳିମାନେ ମୁମ୍ବାଇରେ ପହଞ୍ଚିବା ଆରମ୍ଭ କଲେଣି। ସମସ୍ତଙ୍କୁ ୧୪ ଦିନିଆ କ୍ବାରେଣ୍ଟାଇନ୍‌ରେ ରଖାଯିବ। ଏହାପରେ ‌ସେମାନଙ୍କୁ ପଡ଼ିଆରେ ଅଭ୍ୟାସ କରିବାକୁ ସୁଯୋଗ ଦିଆଯିବ। ୟୁଏଇ ଗସ୍ତ ପୂର୍ବରୁ ଖେଳାଳିମାନଙ୍କ ୫ ଥର କରୋନା ପରୀକ୍ଷା କରାଯିବ। ମୁମ୍ବାଇ ଆସିବା ପୂର୍ବରୁ ସେମାନଙ୍କ ନିଜ ନିଜ ରାଜ୍ୟରେ ଦୁଇ ଥର କରୋନା ପରୀକ୍ଷା ହେବ। ଏଠାରେ ପହଞ୍ଚିବା ପରେ ଆଉ ୩ ଥର କରାଯିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ କହିଛନ୍ତି। ଆମେ ବିସିସିଆଇର ସାଧାରଣ ପରିଚାଳନା ପ୍ରଣାଳୀ (ଏସ୍‌ଓପି)କୁ ଅପେକ୍ଷା କରିଛୁ। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଆମକୁ ମିଳିଯିବ ବୋଲି ଆଶା ରଖିଛୁ। ମିଳିଲା ପରେ ଏସ୍‌ଓପି ଅନୁଯାୟୀ ପ୍ରସ୍ତୁତ ହେବୁ। ଅଗଷ୍ଟ ୨୦-୨୨ ମଧ୍ୟରେ ଦଳ ୟୁଏଇ ଗସ୍ତ କରିବାର ସମ୍ଭାବନା ରହିଛି ‌ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର