ଆରମ୍ଭ ହେଲା ବେଜିଂ ଶୀତକାଳୀନ ଅଲିମ୍ପିକ୍ସ, ଭାରତୀୟ ଦଳରେ ଅଛନ୍ତି ଜଣେ ମାତ୍ର ଖେଳାଳି

ବେଜିଂ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ବେଜିଂ ଶୀତକାଳୀନ ଅଲିମ୍ପିକ୍ସ । ବେଜିଂରେ ଥିବା ପ୍ରସିଦ୍ଧ ବାର୍ଡସ ନେଷ୍ଟ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଷ୍ଟାଡିୟମରେ ହିଁ ୨୦୦୮ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଭାରତ ପକ୍ଷରୁ ଜଣେ ମାତ୍ର ଆଥଲେଟ ଏହି ଅଲିମ୍ପିକ୍ସରେ ଯୋଗ ଦେଇଛନ୍ତି । ସେ ହେଉଛନ୍ତି ଆରିଫ ଖାଁ । ସେ ହାତରେ ତ୍ରିରଙ୍ଗା ଧରି ଭାରତର ପ୍ରତିନିଧିତ୍ବ କରିଥିଲେ । ତାଙ୍କ ସହିତ ଦୁଇଜଣ ସପୋର୍ଟ ଷ୍ଟାଫ ଥିଲେ । ଆରିଫ ଖାଁ ହେଉଛନ୍ତି କଶ୍ମୀରର ବାସିନ୍ଦା ।

ଏହି ଅଲିମ୍ପିକ୍ସଟି ବେଶ ବିବାଦୀୟ ହୋଇପଡ଼ିଛି । ବିଶ୍ବର କେତେକ ପ୍ରମୁଖ ଦେଶ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କରିଛନ୍ତି । ଏସବୁ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜାପାନ, ନେଦରଲାଣ୍ଡସ,ଡେନମାର୍କ ଇତ୍ୟାଦି । ଚୀନରେ ଉଇଘୁର ମୁସଲମାନଙ୍କ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ଏପରି ବହିଷ୍କାର କରାଯାଉଛି । ଭାରତ ବି ଏହାକୁ କୂଟନୈତିକ ବହିଷ୍କାର କରିଛି । ଗଲଓ୍ବାନ ସଂଘର୍ଷରେ ଭାଗ ନେଇଥିବା ଚୀନ ସୈନ୍ୟଙ୍କୁ ଅଲିମ୍ପିକ୍ସ ମସାଲ ଧରାଯିବା ପ୍ରତିବାଦରେ ଭାରତ ଏପରି ପଦକ୍ଷେପ ନେଇଛି ।

ସମ୍ବନ୍ଧିତ ଖବର