ଚତୁର୍ଥରେ ରହିବା ‌ଛୋଟ କଥା‌ ନୁହେଁ: ରାଣୀ

ଟୋକିଓ : ଗ୍ରେଟ୍ ବ୍ରିଟେନ୍ ବିପକ୍ଷ ଦୁଃଖଦ ପରାଜୟ ପରେ ଅଧିନାୟିକା ରାଣୀ ରାମପାଲଙ୍କ ଦୁଇ ଆଖିରୁ ଧାର ଧାର ଲୁହ ବୋହିଆସୁଥିବାର ଆବେଗପୂର୍ଣ୍ଣ ଦୃଶ୍ୟକୁ କ୍ୟାମେରା‌ ତୋଳି ଧରିଥିଲା। ଅନ୍ୟ ଖେଳାଳିମାନେ ମଧ୍ୟ ହତାଶା ଓ ପରାଜୟ ଗ୍ଲାନିରେ ପଡ଼ିଆ ଭିତରେ ହିଁ କାନ୍ଦୁଥିବାର ଦୃଶ୍ୟ ଟେଲିଭିଜନ୍ ପରଦାରେ ସେମାନଙ୍କୁ ଦେଖୁଥିବା ସବୁ ଭାରତୀୟ ହକି ପ୍ରେମୀଙ୍କ ଆଖିକୁ ଭିଜାଇ ଦେଇଥିଲା। ମ୍ୟାଚ୍ ପରେ ଦେଇଥିବା ସାକ୍ଷାତକାରରେ ରାଣୀ କୋହ ଭରା କଣ୍ଠରେ କହିଥିଲେ ‘‘ ପଦକର ଅତି ନିକଟରେ ଥାଇ ମଧ୍ୟ ତାକୁ ହରାଇଥିବାରୁ ଆମ ମନରେ ଏଭଳି ହତାଶାଭାବ ଭରିଛି।

ସବୁଠାରୁ ବଡ଼ କଥା ହେଲା ଆମେ ୦-୨ରେ ପଛୁଆ ଥିଲୁ। ତା ପରେ ସ୍ଥିତି ବରାବର କରି ନେଇଥିଲୁ। ପୁଣି ୩-୨ରେ ଆଗୁଆ ହେଲୁ। ମୁଁ କ’ଣ କହିବି କିଛିଜାଣି ପାରୁନି। ସତ କହିବାକୁ ଗଲେ ପଦକ ଜିତି ନପାରିବାର ସତକୁ ସ୍ବୀକାର କରି ପାରୁନି। ବହୁତ କଷ୍ଟ ହେଉଛି। ହେଲେ ଆମେ ସମସ୍ତେ ନିଜ ନଜର ଶତ ପ୍ରତିଶତ ଦେଇଥିଲୁ। ଏଣୁ ମୋ ଖେଳାଳିଙ୍କ ପାଇଁ ମୁଁ ଅତ୍ୟନ୍ତ ଗର୍ବିତ। ଅଲିମ୍ପିକ୍ସ ଖେଳିବା‌ ଏବଂ ଚତୁର୍ଥ ସ୍ଥାନରେ ରହିବା ଆଦୗ ସହଜ କଥା‌ ନୁହେଁ। ଆମେକୁ ଏଥିଲାଗି ବହୁତ ବାଟ ଯାତ୍ରା କରିବାକୁ ପଡ଼ିଛି। ମୁଁ ଭାବୁଛି ଆମେ ପୂରା ନିକଟରେ ଥିଲୁ। ହେଲେ ବେଳେ ବେଳେ ନିକଟରେ ପହଞ୍ଚିଯିବା ବି ପର୍ଯ୍ୟାପ୍ତ ହୋଇ ନଥାଏ। ବ୍ୟକ୍ତିଗତ ଭାବେ କିନ୍ତୁ ମୁଁ ଦଳର ପ୍ରଦର୍ଶନରେ ଗର୍ବିତ। ସଂପୂର୍ଣ୍ଣ ପ୍ରତିଯୋଗିତାରେ ଆମେ କଠିନ ପରିଶ୍ରମ କରିବା ସହ ଏକାଠି ‌ହୋଇ ଖେଳିଥିଲୁ। ସହଯୋଗ, ଭଲପାଇବା ଓ ସମର୍ଥନ ଲାଗି ପ୍ରତ୍ୟେକ ଭାରତୀୟଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରୁଛି’’।

ମୋଦୀଙ୍କ ସହ କଥା ହେଲା ବେଳେ କାନ୍ଦି ପକାଇଲେ
କାଂସ୍ୟ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ହାତରୁ ଖସି ଯିବା ପରେ ଭାରତୀୟ ମହିଳା ଦଳର ସମସ୍ତ ଖେଳାଳି କୋହ ସମ୍ଭାଳି ନପାରି ପଡ଼ିଆ ଭିତରେ କାନ୍ଦିବା ଆରମ୍ଭ କରି ଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲା ବେଳେ ଭାବବିହ୍ବଳ ଭାରତୀୟ ଖେଳାଳିମା‌ନେ ‌ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ମୋଦି ସେମାନଙ୍କୁ ସାନ୍ତ୍ବନା ଦେବା ସହ ସମଗ୍ର ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି କହିଥିଲେ। ସେହିଭଳି ମନଦୁଃଖ ନକରି ନିଜ ପ୍ରଦର୍ଶନକୁ ନେଇ ଗର୍ବ କରିବାକୁ ମୋଦି ଭାରତୀୟ ଖେଳାଳିଙ୍କୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ ଆପଣମାନେ ସମସ୍ତେ ବହୁତ ଭଲ ଖେଳିଲେ। ଗତ ପାଞ୍ଚବର୍ଷ ଧରି ଆପଣମାନେ ଏଥିଲାଗି ଅନେକ କିଛି ତ୍ୟାଗ କରିଛନ୍ତି। ଆପଣଙ୍କ କଠିନ ପରିଶ୍ରମ ହୁଏତ ପଦକ ଦେଇ ନଥାଇପାରେ। ହେଲେ ଏହା ଦେଶର କୋଟି କୋଟି ଝିଅଙ୍କ ପାଇଁ ଆଜି ପ୍ରେରଣାର ଅସରନ୍ତି ଉତ୍ସ ପାଲଟିଛି। ଭାରତୀୟ ପ୍ରଶିକ୍ଷକ ଜୋଏଡ୍ ମାରିନ ମଧ୍ୟ ଭାରତୀୟ ଦଳର ଲଢ଼ୁଆ ପ୍ରବୃତ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ। ଭାରତୀୟ ମହିଳା ଦଳ ପଦକ ନୁହେଁ, ତାଠାରୁ ବହୁତ ବଡ଼ ସଫଳତା ଲାଭ କରିଛି ବୋଲି ସେ ମ୍ୟାଚ୍ ପରେ କହିଥିଲେ। ଦଳର ପ୍ରଦର୍ଶନରେ ସେ ଅତ୍ୟନ୍ତ ଗର୍ବିତ ‌ବୋଲି ଭାବବିହ୍ବଳ କଣ୍ଠରେ ମତ ରଖିଥିଲେ। ‘‘ ଭାରତ ଆଜି ଭିନ୍ନ ଏକ ଭାରତୀୟ ଦଳ ଦେଖିଲା, ମୁଁ ସେମାନଙ୍କୁ ନେଇ ବହୁତ ଗର୍ବିତ। ସେମାନେ ଲଢ଼ିବା ଛାଡ଼ି ନଥି‌ଲେ। ନିଜର ସବୁକିଛି ଦେଇଥିଲେ। ସେମାନଙ୍କ ସହ ସାଢ଼େ ଚାରିବର୍ଷ କାମ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ଭାରତ ଫେରିଲା ପରେ ମହିଳା ଦଳକୁ ନିଶ୍ଚିତ ଭାବେ ଭବ୍ୟ ସ୍ବାଗତ ମିଳିବ ବୋଲି ଆଶା କରୁଛି’’ ବୋଲି ମାରିନ ଆହୁରି ମତ ରଖିଥିଲେ।

ନମିତାଙ୍କ କାନ୍ଦ ବନ୍ଦ ହେଉନଥିଲା, ଭାଇ ସହ କଥା ହେବାବେଳେ ଭାଙ୍ଗିପଡ଼ିଲେ
ରାଉରକେଲା : ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ପଦକ ହରାଇବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅଲିମ୍ପିଆନ ନମିତା ଟପ୍ପୋ। ଆଜି ଗ୍ରେଟ୍‌ ବ୍ରିଟେନ୍‌ଠାରୁ ମ୍ୟାଚ୍‌ ହାରିବା ପରେ ନମିତା ପରିବାରବର୍ଗଙ୍କୁ ଫୋନ୍‌ କରିଥିଲେ। ପ୍ରାୟ ଅଧଘଣ୍ଟା ଧରି କଥା ହୋଇଥିଲେ। ମାତ୍ର ପରାଜୟ ବରଣ କରିଥିବାରୁ କଥାହେବା ବେଳେ ତାଙ୍କର କାନ୍ଦ ବନ୍ଦ ହୋଇନଥିଲା। ହାତରୁ ପଦକ ଖସିଯାଇଥିବାରୁ ସେ ବେଶ୍‌ ଦୁଃଖିତ ଥିବା କହିଥିଲେ। ନିଜ ଭାଇ ତଥା ପୂର୍ବତନ ଜାତୀୟ ହକି ଖେଳାଳି ଦିଲୀପ ଟପ୍ପୋଙ୍କ ସହ କଥାହେବା ବେଳେ କହିଥିଲେ, ‘‘ମୁଁ ବହୁମାତ୍ରାରେ ଦୁଃଖିତ। ଦଳ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିଛି। କିନ୍ତୁ ହାତପାଆନ୍ତାରେ ଥିବା ପଦକକୁ ହରାଇଥିବାରୁ ବେଶ୍‌ ଦୁଃଖିତ। ବହୁତ ଆଶା ଥିଲା, ଏଥର ପଦକ ଆଣିବି। ବାପା-ମା ସବୁବେଳେ କହୁଥିଲେ ଅଲିମ୍ପିକ୍‌ରେ ପଦକ ଆଣିବାକୁ। ବାପା-ମା, ଭାଇ-ଭଉଣୀ ଯେଉଁ ସ୍ବପ୍ନ ଦେଖିଥିଲେ, ତାକୁ ପୂରଣ କରିବି ବୋଲି ସର୍ବଦା ପ୍ରୟାସ କରିଥିଲି। ଆମ ପାଖରେ ସୁଯୋଗ ଥିଲା। ମାତ୍ର ଦୁର୍ଭାଗ୍ୟବଶତଃ ତାହା ପୂରଣ କରିପାରିଲିନି। ପଦକ ଆଣିପାରିଲିନି, ପରିବାରବର୍ଗଙ୍କ ଆଶା ପୂରଣ କରିପାରିଲିନି। ଏଥର ନ ହେଲା ନାହିଁ, ଆଗାମୀ ଅଲିମ୍ପିକ୍‌ରେ ପଦକ ନିଶ୍ଚିତ ଆଣିବି। ପୂରା ପରିବାର ସମେତ ଜନ୍ମମାଟି, ଜିଲ୍ଲା, ତଥା ରାଜ୍ୟର ନାଁ କରିବି।

ନମିତାଙ୍କ ଭାଇ ଦିଲୀପ ‘ସମ୍ବାଦ ସହ କଥାହେବା ବେଳେ କହିଥିଲେ, ‘‘ଏଥର ଭାରତୀୟ ଦଳ ଉପରେ ବହୁତ ଆଶା ଥିଲା। ଦଳର ଚମତ୍କାର ପ୍ରତ୍ୟାବର୍ତ୍ତନ ପରେ ପଦକ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଗ୍ରେଟ୍‌ ବ୍ରିଟେନ‌ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଆଶାନୁରୂପକ ଫଳ ମିଳିନଥିଲା। ପ୍ରକୃତରେ ମ୍ୟାଚ୍‌ ଜିତିବା, ହାରିବା ଅପେକ୍ଷା ଖେଳାଳି କିଭଳି ପ୍ରଦର୍ଶନ କଲେ ତାହା ଗୁରୁତ୍ବପୂର୍ଣ୍ଣ। ଦଳ ଆଜି ଯେଭଳି ଲଢ଼ୁଆ ପ୍ରଦର୍ଶନ କଲା, ତାହା ଅବର୍ଣ୍ଣନୀୟ। ଏହି ଦଳର ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍‌ ହେବ। ଏହାସହ କହିଲେ, ‘‘ଭାରତୀୟ ଦଳର ଖେଳାଳିଙ୍କ ତାଳମେଳ, ରକ୍ଷଣଭାଗ, ଆକ୍ରମଣ, ପ୍ରତି ଆକ୍ରମଣ ବେଶ୍‌ ଉଚ୍ଚକୋଟୀର ଥିଲା।

ଉଲ୍ଲେଖନୀୟ ଯେ ଆହତ ଜନିତ ସମସ୍ୟାରୁ ସୁସ୍ଥ ହେବା‌ପରେ ନମିତା ଅଲିମ୍ପିକ୍‌ ଦଳରେ ସାମିଲ ହୋଇଥିଲେ, ଯାହାକି ଏକ ବଡ଼ ଉପଲବ୍ଧିର ବିଷୟ। ଆହତ ପରେ ପୁନର୍ବାର ଦଳରେ ସାମିଲ ହେବା ଏତେ ସହଜ ନୁହେଁ। କିନ୍ତୁ ନିଜର ନିଷ୍ଠାପର ପରିଶ୍ରମ ବଳରେ ନମିତା ଏହାକୁ ସମ୍ଭବ କରିପାରିଥିଲେ ବୋଲି କହିଛନ୍ତି। ଝିଅ ପାଇଁ ନମିତାଙ୍କ ବାପା ଠବୋ ଟପ୍ପୋ ମଧ୍ୟ ବେଶ୍‌ ଖୁସିଥିବା କହିଛନ୍ତି। ‘‘ଅଲିମ୍ପିକ୍‌ରେ କେବଳ ମୋ ଝିଅ ନମିତା ଖେଳୁନଥିଲେ। ବରଂ ମୋର ୧୬ଟି ଝିଅ ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ମୁଁ ମୋ ଝିଅମାନଙ୍କ ପାଇଁ ଗର୍ବିତ। ଯାହା କେହି ଆଶା କରୁନଥିଲେ, ଏମାନେ ତାହା କରିକି କରିଦେଖାଇଛନ୍ତି। ପଦକ ନ ମିଳିବାରୁ ଦୁଃଖ ବି ଲାଗୁଛି; କିନ୍ତୁ ଯେଭଳି ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ତାହା ଆନନ୍ଦିତ କରିଛି।

ସମ୍ବନ୍ଧିତ ଖବର