୧୯୯୦ ମସିହାରେ ଇଟାଲିରେ ଜର୍ମାନି ଅଧିନାୟକ ଲୋଥାର ମାଥାଉସ୍ ଫିଫା ବିଶ୍ୱକପ୍ ହାତେଇ ନେବା କ୍ଷଣି ଫ୍ରାଙ୍କ ବେକନ୍ବରଙ୍କ ପାଇଁ ଏହା ଐତିହାସିକ ମୁହୁର୍ତ ଆଣିଥିଲା। ଉଭୟ ଖେଳାଳି ଓ ପ୍ରଶିକ୍ଷକ ଭାବେ ବେକନବର ଦ୍ଵିତୀୟ ଥର ବିଶ୍ୱଟ୍ରଫିର ସ୍ପର୍ଶ ପାଇଥିଲେ। ଫାଇନାଲରେ ଜର୍ମାନି ପୂର୍ବ ବିଜେତା ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ହରାଇଥିଲା। ଗତ ସଂସ୍କରଣ ଫାଇନାଲର ମଧୁର ପ୍ରତିଶୋଧ ମଧ୍ୟ ନେଇଥିଲା। ତୃତୀୟ ଥର ପାଇଁ ଜର୍ମାନି ବିଶ୍ୱକପ୍ ବିଜେତା ହୋଇଥିଲା। ଏହି ସଂସ୍କରଣରେ ଗୋଲ ହାର ୨.୨ (୫୨ ମ୍ୟାଚ୍ରୁ ୧୧୫)କୁ ଖସି ନିମ୍ନତମ କୀର୍ତିମାନ ପ୍ରତିଷ୍ଠା କରିଥିବା ବେଳେ ୧୯୯୦ ଇଟାଲିଆ ନାଟକର ଅନ୍ତ ଘଟିଥିଲା। ଘରୋଇ ଇଟାଲି ଦଳର ଟୋଟୋ ସାଲଭାଟୋର୍ ଉଭୟ ସ୍ୱର୍ଣ୍ଣିମ ଜୋତା ଏବଂ ବଲ୍ ବିଜେତା ହୋଇଥିବା ବେଳେ ତାଙ୍କ ଦଳ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା। ଟୋଟୋ କିନ୍ତୁ ବିଶ୍ୱକପ୍ ପୂର୍ବରୁ ଗୋଟିଏ ବି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରି ନ ଥିଲେ। ଇଂଲଣ୍ଡ ଚତୁର୍ଥ ହୋଇଥିଲା। ଉଭୟ ଇଟାଲି ଓ ଇଂଲଣ୍ଡ ପେନାଲ୍ଟି ସୁଟ୍ଆଉଟ୍ରେ ସେମିଫାଇନାଲ୍ ହାରିଥିଲେ। ଇଂଲଣ୍ଡର ପଲ୍ ଗାସ୍କୋଇନ୍ଙ୍କ ଆଖିର ଲୁହ ସାଙ୍ଗକୁ କ୍ୱାର୍ଟର ଫାଇନାଲ୍ରୁ ରୋଜର ମିଲାଙ୍କ କାମେରୁନ୍ର ବିଦାୟ ଭଳି ନାଟକୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଇତିହାସରେ ପ୍ରଥମ ଥର ଭାବେ କାମେରୁନ୍ ନକାରାତ୍ମକ ଗୋଲ୍ ବ୍ୟବଧାନ ସହ ଗ୍ରୁପ୍ ବିଜେତା ହୋଇଥିଲା। ଦୁଇଟି ମ୍ୟାଚ୍ରେ ଦଳ ୧-୦ରେ ବିଜୟୀ ହୋଇଥିବା ବେଳେ ସୋଭିଏତ ୟୁନିୟନଠାରୁ ୦-୪ରେ ହାରିଥିଲା।