ବେଲଜିୟମ୍‌ ୩ରୁ ୩

କଲିନଗ୍ରାଡ୍‌/ସାରାଂସ୍କ: ମସ୍କୋ ଫିଫା ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ଗୁରୁବାର ଶେଷ ହୋଇଛି। ଗ୍ରୁପ୍‌-ଜିର ବଳକା ଥିବା ଶେଷ ଦୁଇଟି ମ୍ୟାଚ୍‌ରେ ବେଲଜିୟମ ଓ ଟ୍ୟୁନିସିଆ ବିଜୟୀ ହୋଇଛନ୍ତିି। ତେବେ ଏହି ଗ୍ରୁପ୍‌ରୁ ପୂର୍ବରୁ ବେଲଜିୟମ ଏବଂ ଇଂଲଣ୍ଡ ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଥିବାରୁ ଆଜିର ଫଳାଫଳ କେବଳ ଯାହା ଗ୍ରୁପ୍‌ ବିଜେତା ବାଛିବାରେ ସହାୟକ ହୋଇଛି। କଲିନଗ୍ରାଡ୍‌ରେ ଖେଳା ଯାଇଥିବା ବେଲଜିୟମ-ଇଂଲଣ୍ଡ ମ୍ୟାଚ୍‌କୁ ୧-୦ରେ ଜିତି ନେଇ ଲଗାତାର ତୃତୀୟ ବିଜୟ ସହ ବେଲଜିୟମ (୯) ଗ୍ରୁପ୍‌ ବିଜେତା ହୋଇଛି। ଅନ୍ୟପକ୍ଷରେ ଅଧିନାୟକ ହାରି କେନ୍‌ଙ୍କ ବିନା ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ (୬) ମାତ୍ରାଧିକ ପରୀକ୍ଷା ନିରୀକ୍ଷା ପାଇଁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି। ଅନ୍ୟପକ୍ଷରେ ସାରାଂସ୍କରେ ଟ୍ୟୁନିସିଆ (୩) ୨-୧ ଗୋଲ୍‌ରେ ପାନାମା (୦) କୁ ହରାଇ ପ୍ରଥମ ବିଜୟ ପାଇଛି। ଶୁକ୍ରବାରର ବିଶ୍ରାମ ଦିବସ ପରେ ଶନିବାରଠାରୁ ପ୍ରି-କ୍ୱାର୍ଟର ପର୍ଯ୍ୟାୟ ଆରାମ୍ଭ ହେବ। ପ୍ରି-କ୍ୱାର୍ଟରରେ ବେଲଜିୟମ ଏସୀୟ ଶକ୍ତି ଜାପାନ ଏବଂ କଲମ୍ବିଆକୁ ଇଂଲଣ୍ଡ କୁ ଭେଟିବ।

ବେଲଜିୟମ-ଇଂଲଣ୍ଡ ମ୍ୟାଚ୍‌ ପ୍ରଥମାର୍ଧରେ ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଧରେ ବେଲଜିୟମ ଅଦନାନ ଜାନୁଜାଜ (୫୧ ମିନିଟ୍‌)ଙ୍କ ଗୋଲ୍‌ ବଳରେ ବିଜୟର ସ୍ୱାଦ ଚାଖିଥିଲା। ବହୁ ଚେଷ୍ଟା ପରେ ମଧ୍ୟ ଇଂଲଣ୍ଡ ଗୋଲ୍‌ ଖାତା ଖୋଲି ପାରି ନଥିଲା। ସମାନ୍ତରାଳ ଭାବେ ଖେଳା ଯାଇଥିବା ଏହି ଗ୍ରୁପର ଶେଷ ଲିଗ୍‌ ମ୍ୟାଚ୍‌ରେ ଟ୍ୟୁନିସିଆ ୨-୧ ଗୋଲରେ ପାନାମାକୁ ହରାଇଥିଲା। ପାନାମା ୟାସିନ ମେରିଆଙ୍କ ୩୩ ମିନିଟ୍‌ ଗୋଲ୍‌ ବଳରେ ପ୍ରଥମାର୍ଧରେ ୧-୦ରେ ଆଗୁଆ ରହିଥିଲା। ହେଲେ ଟ୍ୟୁନିସିଆ ଦ୍ୱିତୀୟାର୍ଧରେ ଦୁଇଟି ଗୋଲ୍‌ ଦେଇ ସାନ୍ତ୍ୱନାମୂଳକ ବିଜୟ ସହ ଅଭିଯାନ ଶେଷ କରିଥିଲା। ସେପଟେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିଥିବା ପାନାମା ତିନିଟିରୁ ତିନିଟି ମ୍ୟାଚ୍‌ ହାରି ଖାତି ହାତରେ ସ୍ୱଦେଶ ଫେରିଥିଲା। ଟ୍ୟୁନିସିଆ ପକ୍ଷରୁ ଫକରିଦିନ ୟୁସୁଫ ପ୍ରଥମ ଗୋଲ୍‌ ୫୩ ମିନିଟ୍‌ରେ ଦେବା ପରେ ୮ ମିନିଟ୍‌ ପରେ ଓ୍ଵାହବି ଖଜ୍ରି ବିଜୟ ସୂଚକ ଗୋଲ୍‌ କରିଥିଲେ।

ସମ୍ବନ୍ଧିତ ଖବର