ଅଭ୍ୟାସରେ ଚମକିଲେ ବେଲଜିୟମ, ଆର୍ଜେଣ୍ଟିନା

କ୍ରୀଡ଼ାମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର: ବୁଧବାରଠାରୁ ଆରମ୍ଭ ହେଉଥିବା କନିଷ୍ଠ ପୁରୁଷ ହକି ବିଶ୍ବକପ୍ ଲାଗି ବିଦେଶୀ ଦଳଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାରଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି। ଶନିବାର ପିଚ୍-୧ରେ ଆୟୋଜକ ଭାରତ ସମେତ, ଚିଲି, ପୋଲାଣ୍ଡ, ମାଲେସିଆ, ଜର୍ମାନି, କାନାଡା, ନେଦରଲାଣ୍ଡ୍ସ ଏବଂ ପିଚ୍‌-୨ରେ ଆର୍ଜେଣ୍ଟିନା ଓ କୋରିଆ ପ୍ରମୁଖ ଅଭ୍ୟାସ କରିଥିଲେ। କିଛି ଦଳ ନିଜ ନିଜ ଭିତରେ ମ୍ୟାଚ୍ ମଧ୍ୟ ଖେଳିଥିଲେ। ରବିବାର ଏହି ଧାରାକୁ ଜାରି ରଖି ବେଲଜିୟମ ଓ ଆର୍ଜେଣ୍ଟିନା ନିଜ ନିଜ ଅଭ୍ୟାସ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ। ପିଚ୍‌-୨ରେ ପାକିସ୍ତାନ ମଧ୍ୟ ଅଭ୍ୟାସ ଆରମ୍ଭ କରିଥିବାର ସୂଚନା ମିଳିଛି। ଅଭ୍ୟାସ ମ୍ୟାଚ୍‌କୁ ସ୍ଥାନୀୟ ଅମ୍ପାୟାର ନିଶାନଜ୍ୟୋତି ମହାନ୍ତି ଓ ରାଜିନ ଏକ୍କା ପରିଚାଳନା କରିଥିଲେ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବ୍ୟକ୍ତିଗତ ଭାବେ ବିଶ୍ବକପ୍‌ ପ୍ରସ୍ତୁତିର ସମୀକ୍ଷା କରିଥିଲେ। କ୍ରୀଡ଼ା ମନ୍ତ୍ରାଳୟ ଓ ହକି ଇଣ୍ଡିଆ ଅଧିକାରୀଙ୍କ ସହ ଏଥିନେଇ ଆଲୋଚନା କରିଥିଲେ। ଏଥିନେଇ ଆତ୍ମସନ୍ତୋଷ ଜାହିର କରିଥିଲେ। ଏହାପରେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ସେ କହିଥିଲେ ଯେ ସମସ୍ତ ଜରୁରୀକାଳୀନ ପ୍ରସ୍ତୁତି ଏବଂ ପଦକ୍ଷେପ ନିଆଯାଇ ସାରିଛି। ନିର୍ଦ୍ଧାରିତ ସମୟ ଭିତରେ ଏସବୁ କାର୍ଯ୍ୟ ଶେଷ ହୋଇଥିବାରୁ ମୁଁ ବେଶ୍ ଖୁସି। ଏକ ସୁରକ୍ଷିତ ଏବଂ ସଫଳ ପ୍ରତିଯୋଗିତା ଆୟୋଜନ ହେଉଛି ଆମର ଲକ୍ଷ୍ୟ। ମୁଁ ସ୍ଥିର ନିଶ୍ଚିତ ଯେ ହକି ଇଣ୍ଡିଆ ଏବଂ ଓଡ଼ିଶା ପୁଣି ଥରେ ସଫଳ ଆୟୋଜକ ହୋଇ ପ୍ରଶଂସା ସାଉଣ୍ଟିବେ।

ସମ୍ବନ୍ଧିତ ଖବର