ଆଜି ପହଞ୍ଚିବେ ବେଲଜିୟମ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଲାଗି ରବିବାରଠାରୁ ଅନ୍ତର୍ଜାତୀୟ ଦଳ ପହଞ୍ଚିବା ଆରମ୍ଭ କରିବେ। ଆସନ୍ତାକାଲି ଗତଥରର ବିଜେତା ଅଷ୍ଟ୍ରେଲିଆ ସହ ଇଂଲଣ୍ଡ ଏବଂ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଭୁବନେଶ୍ୱରରେ ପାଦ ଥାପିବେ। ବେଲଜିୟମ ଦଳର ଖେଳାଳିମାନେ ପ୍ରଥମେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅପରାହ୍ନ ୧୨ଟା ୪୫ରେ ଅବତୀର୍ଣ୍ଣ ହେବେ। ତା’ ପରେ ଅଷ୍ଟ୍ରେଲିଆ ଗୋଟାଏ ୧୦ରେ ପହଞ୍ଚିବ। ଇଂଲଣ୍ଡ ଖେଳାଳିମାନେ ସଂଧ୍ୟା ୮ଟା ୫୦ରେ ଓହ୍ଲାଇବେ। ଅନ୍ୟ ପକ୍ଷରେ ବିଶ୍ୱ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଆର୍ଜେଣ୍ଟିନା, ଜର୍ମାନି ଏବଂ ନେଦରଲାଣ୍ଡ ସୋମବାର ଏବଂ ସ୍ପେନ୍‌ ମଙ୍ଗଳବାର ପହଞ୍ଚିବ।
ଷ୍ଟାର୍‌ ସ୍ପୋର୍ଟସ୍‌ରେ ସିଧା ପ୍ରସାରଣ

ହକି ବିଶ୍ୱ ଲିଗ୍‌ର ଫାଇନାଲରେ ୮ ଦଳ ଅଂଶ ଗ୍ରହଣ କରିବେ। ହେଲେ ଏହାର ସିଧା ପ୍ରସାରଣ ୧୦୦ରୁ ଅଧିକ ଦେଶରେ କରାଯିବ। ଭିନ୍ନ ଭିନ୍ନ ମହାଦେଶରେ ଭିନ୍ନ ଭିନ୍ନ ଟେଲିଭିଜନ୍‌ ଚ୍ୟାନେଲ ଏହି ସମ୍ମାନଜନକ ପ୍ରତିଯୋଗିତାର ସିଧା ପ୍ରସାରଣ କରିବେ। କେତେକ ଦେଶରେ ମଧ୍ୟ ୟୁଟ୍ୟୁବରେ ବଛା ବଛା ମ୍ୟାଚ୍‌ ପ୍ରସାରିତ ହେବ। ଭାରତରେ ଷ୍ଟାର ସ୍ପୋର୍ଟସ ଏହି ଦାୟିତ୍ୱରେ ରହିଛି। ଷ୍ଟାର ସ୍ପୋର୍ଟସ ଏଚ୍‌ଡି ଓ୍ଵାନ୍‌, ଷ୍ଟାର ସ୍ପୋର୍ଟସ ଓ୍ଵାନ୍‌ ଏବଂ ହଟ୍‌ଷ୍ଟାରରେ ହକି ବିଶ୍ୱ ଲିଗ୍‌ ଫାଇନାଲର ସିଧା ପ୍ରସାରଣ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଜର୍ମାନିକୁ ଇଂଲଣ୍ଡ ଏବଂ ଦ୍ୱିତୀୟରେ ଆୟୋଜକ ଭାରତକୁ ଗତଥରର ବିଜେତା ଅଷ୍ଟ୍ରେଲିଆ ଭେଟିବ।

ସ୍ୱେଚ୍ଛାସେବୀ ଦଳରେ ବିଶ୍ୱ, ନିଶାନ, ରାଜିନ

ହକି ବିଶ୍ୱ ଲିଗ୍‌ ଫାଇନାଲ ପ୍ରତିଯୋଗିତାର ସୁ ଆୟୋଜନ ଲାଗି ପ୍ରସ୍ତୁତ ୨୦ ଜଣିଆ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ଦଳରେ ଓଡ଼ିଶାର ତିନି ଉଦୀୟମାନ ଅମ୍ପାୟାର ନିଶାନଜ୍ୟୋତି ମହାନ୍ତି, ବିଶ୍ୱ ରଂଜନ ଷଡ଼ଙ୍ଗୀ ଏବଂ ରାଜିନ ଏକ୍କା ସ୍ଥାନ ପାଇଛନ୍ତି। ଏମାନଙ୍କ ସହ ଅନ୍ତର୍ଜାତୀୟ ହକି ତାରକା ନୀଲମ ସଂଜୀବ ଖେସ୍‌ ଓ ଯୁବ ହକି ପ୍ରତିଭା ବିନିତ ଏକ୍କା, ଅଶ୍ୱିନ କୁଜୁର, ଚନ୍ଦ୍ରକାନ୍ତ ବାରିକ ଓ ଅଶୋକ ଲାକ୍ରାଙ୍କୁ ମଧ୍ୟ ସ୍ୱେଚ୍ଛାସେବୀ ରୂପରେ ଦେଖିବାକୁ ମିଳିବ। ମୋ ନିଜ ସହରରେ ବିଶ୍ୱର ଶ୍ରେଷ୍ଠ ହକି ଦଳ ଖେଳିବା ଗର୍ବର ବିଷୟ। ଆଜି ପର୍ଯ୍ୟନ୍ତ ମୁଁ ହକିର ଯେତିକି ଜ୍ଞାନ ଆହରଣ କରିଛି ସେସବୁକୁ ସ୍ୱେଚ୍ଛାସେବୀ କାର୍ଯ୍ୟ କଲା ବେଳେ ଉପଯୋଗ କରିବି। ଏହି ପ୍ରତିଯୋଗିତାରୁ ବଡ଼ ଆୟୋଜନ ପ୍ର୍ରକ୍ରିୟା ନେଇ ମୋତେ ଅନେକ କିଛି ଶିଖିବାକୁ ମିଳିବ ବୋଲି ବିଶ୍ୱ କହିଛନ୍ତି।

ସମ୍ବନ୍ଧିତ ଖବର