ଭାରତ-ବେଲ୍‌ଜିୟମ୍‌ ୧-୧

ବ୍ରେଦା (ନେଦରଲାଣ୍ଡ୍‌ସ): ଚଳିତ ଚାମ୍ପିଅନ୍‌ସ ଟ୍ରଫି ହକିରେ ଭାରତ ଗୁରୁବାର ବେଲ୍‌ଜିୟମ୍‌ ସହିତ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ୍‌ ଭାଗ କରିବାକୁ ବାଧ୍ୟ ହୋଇଛି। ମ୍ୟାଚ୍‌ ସାରା ୧-୦ ଗୋଲ୍‌ରେ ଆଗୁଆ ରହିବା ସତ୍ତ୍ୱେ ଦୁଇ ମିନିଟ୍‌ ପୂର୍ବରୁ ଗୋଲ୍‌ ବରଣ କରି ସୁଯୋଗ ହାତଛଡ଼ା କରିଥିଲା। ଭାରତ ୪ ମ୍ୟାଚ୍‌ରୁ ୭ ପଏଣ୍ଟ୍‌ ପାଇଥିବା ବେଳେ ବେଲ୍‌ଜିୟମ୍‌ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ତୃତୀୟ ଅମୀମାଂସିତ ଅର୍ଜନ କରିଥିଲା। ପଏଣ୍ଟ ବାଣ୍ଟିବାରୁ ଭାରତ ମଧ୍ୟ ଶୀର୍ଷକୁ ଉଠି ଆଗୁଆ ଫାଇନାଲ ସ୍ଥାନ ପକ୍କା କରିବାରୁ ବଞ୍ଚିତ ରହିଛି। ଭାରତ ନିଜର ଶେଷ ଲିଗ୍‌ରେ ନେଦରଲାଣ୍ଡ୍‌କୁ ଶନିବାର ଭେଟିବ। ସୂଚନାଯୋଗ୍ୟ, ଲିଗ୍‌ ଭିତ୍ତିରେ ଖେଳାଯାଉଥିବା ଏହି ୬ ଶୀର୍ଷ ଦଳୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ ଫାଇନାଲ୍‌ ଖେଳିବେ।

ବୁଧବାର ଅଷ୍ଟ୍ରେଲିଆ ନିକଟରୁ ହାରି ଆଶଙ୍କାରେ ପଡ଼ିଥିବା ଭାରତ ଗୁରୁବାର ପ୍ରଥମ କ୍ୱାର୍ଟରରୁ ହିଁ ଆଗୁଆ ହୋଇଯାଇଥିଲା। ୧୦ମ ମିନିଟ୍‌ରେ ହରମନପ୍ରୀତ୍‌ ସିଂହଙ୍କ ଶକ୍ତିଶାଳୀ ଡ୍ରାଇଭ୍‌ ବେଲ୍‌ଜିୟମ୍‌ ଗୋଲ ରକ୍ଷକ ଭିନେସଣ୍ଟ୍‌ ଭନାଂଶଙ୍କୁ ପରାସ୍ତ କରିଥିଲା। ଭାରତକୁ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ନରରୁ ହିଁ ଏହି ଗୋଲ୍‌ ମିଳିଥିଲା। ଅବଶ୍ୟ ଏହି ପେନାଲଟି କର୍ନର ଭିଡିଓ ରେଫେରାଲ୍‌ ଜରିଆରୁ ମିଳିଥିଲା। ହରମନପ୍ରୀତ୍‌ଙ୍କ ଡ୍ରାଗ୍‌ ଫ୍ଲିକ୍‌ ଭାରତକୁ ୧-୦ରେ ଆଗୁଆ କରାଇ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ପ୍ରାରମ୍ଭରୁ ବେଲ୍‌ଜିୟମ୍‌ ଆକ୍ରମଣାତ୍ମକ ଖେଳି ପେନାଲଟି କର୍ନର ଅର୍ଜନ କରିିଥିଲେ ମଧ୍ୟ ଅଧିନାୟକ ପିଆର ଶ୍ରୀଜେଶ ଏହାକୁ ପଣ୍ଡ କରି ଦେଇଥିଲେ। ପରେ ପରେ ଦିଲପ୍ରୀତ୍‌ଙ୍କୁ ମିଳିଥିବା ଏକ ସୁଯୋଗ ହାତଛଡ଼ା ହୋଇଥିଲା। ମ୍ୟାଚ୍‌ ଆଗକୁ ବଢ଼ିବା ସହିତ ବେଲଜିୟମ୍‌ ରକ୍ଷଣଭାଗ ଭେଦିବା ଭାରତୀୟଙ୍କ ପାଇଁ କଷ୍ଟକର ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀଜେଶଙ୍କ ସଫଳତା ଭାରତକୁ ଗୋଲ୍‌ବରଣରୁ ରୋକି ଚାଲିଥିଲେ ମଧ୍ୟ ଶେଷ କ୍ୱାର୍ଟରରେ ପରାସ୍ତ ହେବା ଭାରତ ହାତରୁ ୩ ପଏଣ୍ଟ୍‌ ଛଡ଼ାଇ ନେଇଥିଲା। ୫୯ତମ ମିନିଟ୍‌ରେ ଲୁଏପାର୍ଟଙ୍କ ପେନାଲଟି କର୍ନର ଗୋଲ୍‌ ମ୍ୟାଚ୍‌କୁ ୧-୧ ସ୍ତରକୁ ନେଇ ଆସିଥିଲା। ଅଧା ମିନିଟ୍‌ରୁ କମ୍‌ ସମୟ ଥିବାବେଳେ ମଧ୍ୟ ଭାରତ ଆଉ ଏକ ପେନାଲଟି କର୍ନର ସମର୍ପିଥିଲା। କିନ୍ତୁ ଶ୍ରୀଜେଶ ଏଥର ବଲ୍‌କୁ କ୍ଲିୟର୍‌ କରିଦେବାରେ ସକ୍ଷମ ହୋଇଥିଲେ। ଏଥି ସହିତ ଭାରତ ପୁଣି ଶେଷ କ୍ଷଣ ଗୋଲ୍‌ ବରଣ କରି ବିଜୟ ହାତଛଡ଼ା କରିଥିଲା। ଗୁରୁବାର ଅନ୍ୟ ଏକ ମ୍ୟାଚ୍‌ରେ ପାକିସ୍ତାନ ୪-୧ରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର