ବ୍ରାଜିଲକୁ ବିଦା କରିବାକୁ ବେଲଜିୟମ ବ୍ୟଗ୍ର

କାଜାନ ବିଶ୍ୱକପ୍‌ ଇତିହାସର ସଫଳତମ ଦଳ ବ୍ରାଜିଲ ମସ୍କୋରେ ଷଷ୍ଠ ଥର ପାଇଁ ବିଜେତା ହେବା ଅଭିଯାନରେ ରହିଛି। ହେଲେ ଶୁକ୍ରବାରର କ୍ୱାର୍ଟର ଫାଇନାଲରେ ବେଲଜିୟମ ତା’ର ଏହି ସ୍ୱପ୍ନକୁ ଭାଙ୍ଗିବା ଲାଗି ପୂରା ପ୍ରସ୍ତୁତ ହୋଇ ଅଛି। ନିଜ ଫୁଟବଲ୍‌ ଇତିହାସର ସ୍ୱର୍ଣ୍ଣିମ ସମୟ ଦେଇ ଗତି କରୁଥିବା ବେଲଜିୟମ ଚଳିତ ବିଶ୍ୱକପର ଲଗାତାର ଚାରିଟି ବିଜୟ ହାସଲ କରି ସାରିଛି। ବ୍ରାଜିଲକୁ ହରାଇ ପାରିଲେ ସେମାନେ ଏହି ସମୟକୁ ଅମର କରି ପାରିବେ। ସେହିଭଳି ୨୦୦୨ କୋରିଆ-ଜାପାନ ବିଶ୍ୱକପ କ୍ୱାର୍ଟର ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବେ। ସେହିବର୍ଷର କ୍ୱାର୍ଟର ଫାଇନାଲ୍‌ ଲଢ଼େଇରେ ବ୍ରାଜିଲ ରିଭାଲଡୋ ଏବଂ ରୋନାଲଡୋଙ୍କ ଗୋଲ୍‌ ବଳରେ ବେଲଜିୟମକୁ ହରାଇ ଦେଇଥିଲା। ପରେ ଯାଇ ବିଜେତା ମୁକୁଟ ମଧ୍ୟ ଜିତି ନେଇଥିଲା। ବେଲଜିୟମ ପାଖରେ ବ୍ରାଜିଲକୁ ବଡ଼ ଧକ୍କା ଦେବା ଲାଗି ଖେଳାଳି ମଧ୍ୟ ଅଛନ୍ତି। ଇଡେନ୍‌ ହାଜାର୍ଡ, କେଭିନ ଡି ବ୍ରୁନ୍‌ ଓ ରୋମେଲୁ ଲୁକାକୁ ଗତ ତିନିଟି ମ୍ୟାଚ୍‌ରେ ଗୋଟିଏ ହେଲେ ବି ଗୋଲ୍‌ ବରଣ କରି ନଥିବା ବ୍ରାଜିଲ ରକ୍ଷଣଭାଗକୁ ନିଶ୍ଚିତ ଭାବେ ପରୀକ୍ଷାରେ ପକାଇବେ।

ଉଭୟ ବ୍ରାଜିଲ ଏବଂ ବେଲଜିୟମ ଲଗାତାର ବିଶ୍ୱକପରେ କ୍ୱାର୍ଟର ଫାଇନାଲ୍‌ ଖେଳିବେ। ସେଥିପାଇଁ ପରସ୍ପରକୁ କଡ଼ା ଟକ୍କର ଦେବେ। ଜାପାନ ବିପକ୍ଷ ପ୍ରି-କ୍ୱାର୍ଟରରେ ବେଲଜିୟମ ଦୁଇଟି ଗୋଲ୍‌ରେ ପଛୁଆ ଥିଲା। ତଥାପି ୩-୨ରେ ମ୍ୟାଚ୍‌ ଜିତି ନେଇଥିଲା। ସେହି ମ୍ୟାଚ୍‌ରେ ବଦଳ ଖେଳାଳି ଭାବେ ଆସି ମରୌନେ ଫେଲାନି ଏବଂ ନାସେର ଚାଡି ବେଲଜିୟମକୁ ବଞ୍ଚାଇ ଦେଇଥିଲେ। ବ୍ରାଜିଲ ବିପକ୍ଷରେ ଏହି ଦୁଇ ଜଣ ଆରମ୍ଭ ଏକାଦଶରେ ରହିବାର ଆଶା ଅଧିକ। ସେପଟେ ମେକ୍ସିକୋ ବିପକ୍ଷରେ ବ୍ରାଜିଲ ଜବରଦସ୍ତ ପ୍ରଦର୍ଶନ କରିଥିଲା। ସେହି ମ୍ୟାଚ୍‌ ଭଳି ଶୁକ୍ରବାରର ମୁକାବିଲାରେ ମଧ୍ୟ ନେମାର, କୁଟିନୋ, ପୌଲିନୋଙ୍କ ପ୍ରଦର୍ଶନ ବ୍ରାଜିଲ ପାଇଁ ବେଶ୍‌ ମହତ୍ୱପୂର୍ଣ୍ଣ ହେବ। କାସେମିରୋଙ୍କ ଅନୁପସ୍ଥିତି ଅବଶ୍ୟ ଏହି ଦଳକୁ ଟିକିଏ ଚିନ୍ତାରେ ପକାଇବ। ତେବେ ଫର୍ନାଣ୍ଡିନୋ ତାଙ୍କ ଅନୁପସ୍ଥିତି ଅନୁଭବ ହେବାକୁ ଦେବେ ନାହିଁ ବୋଲି ପ୍ରଶଂସକ ଆଶା ରଖିଛନ୍ତି।

ମିରଣ୍ଡା ବ୍ରାଜିଲ ଅଧିନାୟକ
ମସ୍କୋର ବିଶ୍ୱକପରେ ବ୍ରାଜିଲ ପ୍ରଶିକ୍ଷକ ଟିଟେ ପ୍ରତି ମ୍ୟାଚ୍‌ରେ ଅଧିନାୟକ ବଦଳାଉଛନ୍ତି। ସେହି ନୀତିକୁ ଆଗକୁ ନେଇ ବେଲଜିୟମ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଲାଗି ସେ ମିରଣ୍ଡାଙ୍କୁ ଅଧିନାୟକ ନିଯୁକ୍ତ କରିଛନ୍ତି। ୩୩ ବର୍ଷୀୟ ଇଣ୍ଟର ମିଲାନ ତାରକା ମିରଣ୍ଡା କେନ୍ଦ୍ରୀୟ ରକ୍ଷଣଭାଗରେ ଖେଳୁଥିଲା ବେଳେ ୫୧ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବ୍ରାଜିଲର ପ୍ରତିନିଧିତ୍ୱ କରିଛନ୍ତି। ସେଥିମଧ୍ୟରେ ସେ ଦୁଇଟି ଗୋଲ୍‌ ଦେଇଛନ୍ତି। ବ୍ରାଜିର ସ୍ୱିଜରଲାଣ୍ଡ ବିପକ୍ଷ ପ୍ରଥମ ମୁକାବିଲାରେ ମାର୍ସିଲୋ, କୋଷ୍ଟାରିକା ବିପକ୍ଷରେ ଥିଏଗୋ ସିଲଭା, ସବିଆ ବିପକ୍ଷରେ ମିରଣ୍ଡା ଏବଂ ମେକ୍ସିକୋ ବିପକ୍ଷ ପ୍ରି-କ୍ୱାର୍ଟରରେ ସିଲଭା ବ୍ରାଜିଲ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର