ବେଲ୍‌ଜିୟମ ଗସ୍ତରେ ପ୍ରଥମ ଭାରତୀୟ ଫୁଟ୍‌ବଲ୍‌ ବିଶେଷଜ୍ଞ ଶୁଭେନ୍ଦୁ

ଭୁବନେଶ୍ୱର: କ୍ରୀଡ଼ା ବିଭାଗର ବୈଷୟିକ ନିର୍ଦେଶକ ତଥା କ୍ରୀଡ଼ା ବିଭାଗ ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା ଫୁଟ୍‌ବଲ୍‌ରେ ପରୀକ୍ଷାନିରୀକ୍ଷା କରିବା ପାଇଁ ବେଲ୍‌ଜିୟମ ଯିବେ। ସେ ବେଲ୍‌ଜିୟମର ସର୍ବୋତ୍କୃଷ୍ଠ କ୍ଲବ୍‌ ‘କ୍ଲବ ବ୍ରୁଜ’ରେ ତାଲିମ ଦେବେ। ଏଥିରେ ଯୋଗଦେବା ପାଇଁ ସେ ଆନ୍ତର୍ଜତୀୟ ଖ୍ୟାତନାମା ଫୁଟ୍‌ବଲ ପ୍ରଶିକ୍ଷକ ରେମଣ୍ଡ ଭର୍ଜେନ୍‌ଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି। ଏହି ତାଲିମ ପାଠ୍ୟକ୍ରମ ଆସନ୍ତା ୨୮ରୁ ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଶୁଭେନ୍ଦୁ ଆନ୍ତର୍ଜତୀୟ ଫୁଟ୍‌ବଲ ପ୍ରଶିକ୍ଷକ ଓ ଖେଳାଳିଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇବେ। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଶୁଭେନ୍ଦୁ ହେଉଛନ୍ତି ପ୍ରଥମ ଫୁଟ୍‌ବଲ ବିଶେଷଜ୍ଞ ଯିଏକି ଏହିପରି ଏକ ବିଶ୍ୱ ପ୍ରସିଦ୍ଧ ବିଶେଷଜ୍ଞ ପରୀକ୍ଷାନିରୀକ୍ଷା କାର୍ଯ୍ୟକ୍ରମରେ ନିଜର ପାରଦର୍ଶିତା ଦେଖାଇବେ। ଯଦି କୌଣସି ପ୍ରଶିକ୍ଷକ ନିିଜ ଆଡୁ ଇଛା ପ୍ରକାଶ କରିବେ ତାହା ହେଲେ ସେ ଏଭଳି ବିଶ୍ୱ ପ୍ରସିଦ୍ଧ ପରୀକ୍ଷାନିରୀକ୍ଷା ପାଠ୍ୟକ୍ରମରେ ଭାଗ ନେଇ ପାରିବେ ନାହିଁ। କାରଣ ଫୁଟ୍‌ବଲରେ ସେତିକି ଜ୍ଞାନ ଅର୍ଜନ କରିଲେ ଓ ରେମଣ୍ଡଙ୍କ ଦ୍ୱାରା ମନୋନୀତ ହେଲେ ହିଁ ତାହା ସମ୍ଭବ ହୋଇଥାଏ। ଏହି ପାଠ୍ୟକ୍ରମରେ ୩୫ ଦେଶର ୪୦ ଜଣ ବିଶେଷଜ୍ଞ ଅଂଶଗ୍ରହଣ କରି ସେମାନଙ୍କ ଅଭିଜ୍ଞତା ବାଣ୍ଟିବେ।
ଏ-ଲାଇସେନ୍ସ ପ୍ରାପ୍ତ ପ୍ରଶିକ୍ଷକ ଶୁଭେନ୍ଦୁ ଏହା ପୂର୍ବରୁ ୨୦୧୬ରେ ନେଦରଲାଣ୍ଡ୍‌ରେ ଅନୁଷ୍ଠିତ ଫୁଟ୍‌ବଲ କଣ୍ଡିସନିଂ ଆଣ୍ଡ ପିରିୟୋଡାଇଜେସନ ଶିବିରରେ ଯୋଗଦେଇ ନିଜର କରିସ୍ମା ଦେଖାଇଥିଲେ। ସେହି ସମୟରେ ମଧ୍ୟ ଶୁଭେନ୍ଦୁ ରେମଣ୍ଡ ଭର୍ଜେନ୍‌ଙ୍କ ଦ୍ୱାରା ମନୋନୀତ ହୋଇଥିଲେ। ସେହି ଶିବିରରେ ଶୁଭେନ୍ଦୁଙ୍କ ବଳିଷ୍ଠ ଉପସ୍ଥାପନା ରେମଣ୍ଡଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତେଣୁ ଆସନ୍ତା ପ୍ରଶିକ୍ଷକ ପାଠ୍ୟକ୍ରମ ପାଇଁ ଶୁଭେନ୍ଦୁଙ୍କୁ ରେମଣ୍ଡ ମନୋନୀତ କରିଛନ୍ତି। ପ୍ରଥମ ଓଡିଆ ଭାବେ ଶୁଭେନ୍ଦୁ ଏଏଫସି ଏ-ଲାଇସେନ୍ସ ସାର୍ଟିଫିକେଟ୍‌ ହାସଲ କରିଛନ୍ତି। ଏହି ସାର୍ଟିଫିକେଟ୍‌ ସେ ସ୍କଟ୍‌ ଓଡନେଲଙ୍କ ଅଧିନରେ ତାଲିମ ନେଇ ହାସଲ କରିଥିଲେ। ଏହି ସାର୍ଟିଫିକେଟ୍‌ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ବିଶେଷଜ୍ଞ ପ୍ରଶିକ୍ଷକ। ସେହିପରି ସେ ହେଉଛନ୍ତି ଏଆଇଏଫଏଫ ଡି-ଲାଇସେନ୍ସର ତାଲିମଦାତା (ଇନ୍‌ଷ୍ଟ୍ରକ୍ଟର)। ସେହିପରି ଶୁଭେନ୍ଦୁ ୧୪ ଓ ୧୬ ବର୍ଷରୁ କମ୍‌ ସନ୍ତୋଷ ଟ୍ରଫିରେ ଜଣେ ଯୁବ ପ୍ରଶିକ୍ଷକ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ୧୬ ବର୍ଷରୁ କମ ଭାରତୀୟ ଦଳରେ ଜଣେ ସ୍କାଉଟ୍‌ ଭାବେ ନିଜର ପାରଦର୍ଶିତା ମଧ୍ୟ ପ୍ରତିପାଦନ କରିପାରିଛନ୍ତି। କେବଳ ସେତିକି ନୁହେଁ ୧୭ ବର୍ଷରୁ କମ ଫୁଟ୍‌ବଲ ବିଶ୍ୱକପ୍‌ ଦଳ ଓ ଭାରତୀୟ ମହିଳା ଦଳରେ ମଧ୍ୟ ସ୍କାଉଟ୍‌ ଭାବେ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ନିଜେ ଜଣେ ଲଢ଼ୁଆ ଖେଳାଳି ଭାବେ ସନ୍ତୋଷ ଟ୍ରଫିରେ ଅନେକ ଥର ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଛନ୍ତି। ଏବେ ବେଲ୍‌ଜିୟମରେ ଅଭିଜ୍ଞତା ହାସଲ କରିବା ପାର ତାହାକୁ ଶୁଭେନ୍ଦୁ ଓଡ଼ିଶା କ୍ରୀଡ଼ା ଛାତ୍ରାବାସରେ କାର୍ଯ୍ୟରତ ପ୍ରଶିକ୍ଷକ ଓ ଖେଳାଳିମାନଙ୍କ ମଧ୍ୟରେ ବାଣ୍ଟି ପାରିବେ। ଶୁଭେନ୍ଦୁ ନିଜର ସାମଥ୍ୟର୍ ପାଇଁ ନିକଟରେ ଓଡ଼ିଶା କ୍ରୀଡ଼ା ବିଭାଗର ଆଇ-ଲିଗ୍‌ ଦଳର ବୈଷୟିକ ନିର୍ଦେଶକ ଭାବେ ମନୋନୀତ ହୋଇ ସଫଳତାର ସହ କାର୍ଯ୍ୟ ତୁଲାଉଛନ୍ତି ।

ସମ୍ବନ୍ଧିତ ଖବର