ସେଣ୍ଟ୍ ପିଟର୍ସବର୍ଗ: ଚଳିତ ଏକବିଂଶ ଫିଫା ବିଶ୍ୱକପ୍ର କାଂସ୍ୟ ପଦକ ଜିତି ବେଲ୍ଜିୟମ୍ ଦଳ ଐତିହାସିକ ସଫଳତା ଅର୍ଜନ କରିଛି। ପ୍ରଥମ ଥର ପାଇଁ ବିଶ୍ୱକପ୍ କାଂସ୍ୟ ପଦକ ହାସଲ କରି ବେଲ୍ଜିୟମ୍ ମଧ୍ୟ ନିଜ ଫୁଟ୍ବଲ୍ ଇତିହାସରେ ନୂଆ ଫର୍ଦ ଯୋଡ଼ି ନେଇଛି। ଶନିବାରର ମୁକାବିଲାରେ ବେଲ୍ଜିୟମ୍ ୨-୦ ଗୋଲ୍ରେ ୧୯୬୬ ବିଜେତା ଇଂଲଣ୍ଡକୁ ହରାଇ ଦେଇଥିଲା। ଫଳରେ ବିଶ୍ୱକପ୍ର ସବୁଠୁ ଶାଣିତ ଦଳ ଭାବେ ଖ୍ୟାତି ଅର୍ଜନ କରିଥିବା ବେଲ୍ଜିୟମ୍ ମଧ୍ୟ ଖାଲି ହାତରେ ଫେରିବାର ଦୁଃଖରୁ ବର୍ତିଗଲା। ଫ୍ରାନ୍ସ ନିକଟରୁ ସେମିଫାଇନାଲ୍ରେ ହାରିଯିବା ପରେ ମର୍ମାହତ ଇଡେନ୍ ହାଜାର୍ଡଙ୍କ ଦଳ ଏବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅର୍ଜନ କରି ସ୍ୱଦେଶ ଫେରିବ। ୧୯୮୬ ମେକ୍ସିକୋ ବିଶ୍ୱକପ୍ରେ ବେଲ୍ଜିୟମ୍ ନିଜର ପୂର୍ବ ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ରହିଥିଲା। ରୁଷିଆରେ ସେମିଫାଇନାଲ୍ ବାଟରେ ବ୍ରାଜିଲକୁ ବିଦା କରିଥିବା ବେଲ୍ଜିୟମ୍ ମଧ୍ୟ ଏଥର ବିଜୟର ହକ୍ଦାର ଥିଲା। ଅନ୍ୟପକ୍ଷରେ ଗ୍ୟାରେଥ୍ ସାଉଥ୍ଗେଟ୍ ଏବଂ ହ୍ୟାରି କେନ୍ଙ୍କ ଇଂଲଣ୍ଡ ଦଳକୁ ଖାଲି ହାତରେ ଫେରିବାକୁ ପଡ଼ିଲା।
ଅର୍ଧାଧିକ ଇଂଲିସ୍ ପି୍ରିମିୟର୍ ଲିଗ୍ ଖେଳାଳିଙ୍କୁ ନେଇ ସମୃଦ୍ଧ ବେଲ୍ଜିୟମ୍ ପାଇଁ ଶନିବାର ମ୍ୟାଚ୍ ପ୍ରାରମ୍ଭରୁ ଗୋଲ୍ ମିଳିଯିବା ଇଂଲଣ୍ଡ ଉପରେ ଚାପ ପକାଇଥିଲା। ଇଂଲଣ୍ଡ ସୃଷ୍ଟି କରିଥିବା ସୁଯୋଗକୁ ବି ହାତଛଡ଼ା କରିଥିଲା। ଚତୁର୍ଥ ମିନିଟ୍ରେ ଥମାସ୍ ମୁନିଏର୍ଙ୍କ ଗୋଲ୍ ହିଁ ବେଲ୍ଜିୟମ୍କୁ ମ୍ୟାଚ୍ ସାରା ନିୟନ୍ତ୍ରଣରେ ରଖିଥିଲା। ନିଲମ୍ବନ କାରଣରୁ ସେମିଫାଇନାଲରୁ ବଞ୍ଚିତ ମୁନିଏର୍ ସ୍ମରଣୀୟ ପ୍ରତ୍ୟାବର୍ତନ କରିଥିଲେ। ନାସେର୍ ଚାଡ୍ଲିଙ୍କ କ୍ରସ୍କୁ ସେ ଅତି ପାଖରୁ ଜୋର୍ଡାନ୍ ପିକ୍ଫୋର୍ଡଙ୍କୁ ପରାସ୍ତ କରିଥିଲେ। ୮୨ତମ ମିନିଟ୍ରେ ଅଧିନାୟକ ଇଡେନ୍ ହାଜାର୍ଡଙ୍କ ଗୋଲ୍ ବେଲଜିୟମ୍ ବିଜୟକୁ ନିଶ୍ଚିତ କରି ଦେଇଥିଲା। କେଭିନ୍ ଡୁ ବ୍ରୁଇନ୍ଙ୍କ ସହ ମିଶି ସେ ବଲ୍କୁ ବାମ କର୍ନରକୁ ପଠାଇ ଦେଇଥିଲେ। ଏଥି ସହିତ ହାଜାର୍ଡ ଦେଶର ଶେଷ ୨୫ ମ୍ୟାଚ୍ରେ ୨୫ ଗୋଲ୍ରେ ନିଜ ଯୋଗଦାନ ରଖିଲେ। ୧୨ ଗୋଲ୍ ସେ ଦେଇଥିବା ବେଳେ ୧୩ଟିରେ ସହାୟତା କରିଥିଲେ। ଅନ୍ୟପକ୍ଷରେ ଲୁକାକୁ ଅଧାରୁ ଯିବା ଏବଂ ଗୋଲ୍ ନଦେବା କିନ୍ତୁ ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍ଙ୍କୁ ସୁନା ଜିତିବା ସାନ୍ତ୍ୱନା ଦେବା ଏକ ପ୍ରକାର ନିଶ୍ଚିତ କରିଦେଲା। ସୂଚନାଯୋଗ୍ୟ, ଗ୍ରୁପ୍ ପର୍ଯ୍ୟାୟରେ ମଧ୍ୟ ବେଲଜିୟମ୍ ଇଂଲଣ୍ଡକୁ ୧-୦ରେ ହରାଇଥିଲା।
ଏହି ମ୍ୟାଚ୍ରେ ଗୋଲ ବରଣ ନ କରି ବେଲଜିୟମ୍ ମଧ୍ୟ ୧୪ ନକ୍ ଆଉ୍ଟ ବିଶ୍ୱକପ୍ ମ୍ୟାଚ୍ରେ ରଖିଥିବା ଧାରାକୁ ଭାଙ୍ଗିଥିଲା। ସେହିଭଳି ଚଳିତ ବିଶ୍ୱକପ୍ରେ ମଧ୍ୟ ସର୍ବାଧିକ ୧୬ ଗୋଲ୍ ଦେଇ ବେଲ୍ଜିୟମ୍ ଆଗରେ ରହିଲା। ଶନିବାର ପୂର୍ବରୁ ଉଭୟ ବେଲ୍ଜିୟମ୍ ଏବଂ ଇଂଲଣ୍ଡ ୨୨ ଥର ମୁହାଁମୁହିଁ ହୋଇଥିଲେ ମଧ୍ୟ ଇଂଲଣ୍ଡ ୧୫ ଥର ଜିତି ମାତ୍ର ୨ ଥର ହାରିଥିଲା। ତୃତୀୟ ପରାଜୟ ଦଳକୁ କିନ୍ତୁ ବିଶ୍ୱକପ୍ କାଂସ୍ୟରୁ ବଞ୍ଚିତ ରଖିଲା। ଶେଷ ଦୁଇ ମୁକାବିଲାରେ ବେଲ୍ଜିୟମ୍ ଜିତି ଅତୀତକୁ ଅତୀତ କରିଦେଲା। ଉଭୟ ଇଂଲଣ୍ଡ ଓ ବେଲଜିୟମ୍ ବିଶ୍ୱକପ୍ରେ ସମାନ ଦ୍ୱିତୀୟ ଥର କାଂସ୍ୟ ପ୍ରୟାସ କରିଥିଲେ। ବେଲଜିୟମ୍ କିନ୍ତୁ ସଫଳ ହେଲା। ୧୯୮୬ରେ ଫ୍ରାନ୍ସ ନିକଟରୁ ଦଳ ଅତିରିକ୍ତ ସମୟରେ ୨-୪ରେ ହାରି ଚତୁର୍ଥ ରହିଥିଲା। ଅନ୍ୟପକ୍ଷରେ ୧୯୬୬ ବିଜେତା ଇଂଲଣ୍ଡ ୧୯୯୦ରେ ଇଟାଲି ନିକଟରୁ ୧-୨ରେ ହାରି ଚତୁର୍ଥରେ ରହିଥିଲା। ଏଥର ଜିତିଥିଲେ ଇଂଲଣ୍ଡ ଦେଶ ବାହାରେ ଶ୍ରେଷ୍ଠ ପ୍ରଦର୍ଶନ କରିପାରିଥାନ୍ତା।