ଫିଫା ମାନ୍ୟତା ଶୀର୍ଷରେ ବେଲ୍‌ଜିୟମ୍‌ର ହ୍ୟାଟ୍ରିକ୍

ବେଲଗ୍ରେଡ୍: ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଫୁଟ୍‌ବଲ୍ ମହାସଂଘ ବା ଫିଫା ମାନ୍ୟତାର ଶୀର୍ଷରେ ବର୍ଷ ଶେଷ କରିଛି ବେଲ୍‌ଜିୟମ୍‌। ଗୁରୁବାର ପ୍ରକାଶିତ ଫିଫା ବିଶ୍ବ ମାନ୍ୟତାରେ ବିଶ୍ବବିଜେତା ଫ୍ରାନ୍ସକୁ ପଛରେ ପକାଇ ବେଲ୍‌ଜିୟମ୍‌ ଏହି ‘ହ୍ୟାଟ୍ରିକ୍’ ସଫଳତା ଲାଭ କରିଛି। ତେବେ କୋଭିଡ୍-୧୯ ସଙ୍କଟ ଲାଗି ଚଳିତ ବର୍ଷ ମା‌ତ୍ର ୩୫୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବାର ପ୍ରଭାବ ଫୁଟବଲ୍ ପଡ଼ିଆ ସହ ଫିଫା ମାନ୍ୟତା ଉପରେ ପଡ଼ିଥିବାରୁ ଶକ୍ତିଶାଳୀ ଫ୍ରାନ୍ସ ହୁଏତ ଦ୍ବିତୀୟ ସ୍ଥାନରେ ରହିଥିବା ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି। ତେବେ ଯେତିକି ବି ମ୍ୟାଚ୍ ଖେଳାଯାଇଛି ସେଥିମଧ୍ୟରୁ ବେଲ୍‌ଜିୟମ୍‌ ସବୁଠୁ ଭଲ କରି ଶୀର୍ଷସ୍ଥାନ ଅଧିକାର କରିବାକୁ ପୂରା ହକଦାର ଥିଲା ବୋଲି ସେମାନେ ସ୍ପଷ୍ଟ କରି ଦେଇଛନ୍ତି। ଫିଫା ଦେଇଥିବା ସୂଚନା ଅନୁସାରେ ମାନ୍ୟତା ପ୍ରଣାଳୀ ଲାଗୁ ହେବାପରଠାରୁ ଗତବର୍ଷ ସର୍ବାଧିକ ୧୦୮୨ ଅନ୍ତର୍ଜାତୀୟ ଫୁଟ୍‌ବଲ୍ ମ୍ୟାଚ୍ ଖେଳା ଯାଇଥିଲା। ଅନ୍ୟପକ୍ଷରେ ଚଳିତବର୍ଷ ‌ଖେଳାଯାଇଥିବା ୩୫୨ ମ୍ୟାଚ୍ ୧୯୮୭ ମସିହାଠାରୁ କୌଣସି କ୍ୟାଲେଣ୍ଡର ବର୍ଷରେ ଖେଳାଯାଇଥିବା ମ୍ୟାଚ୍ ସଂଖ୍ୟାରେ ସବୁଠାରୁ କମ୍।

ରୋବେର୍ଟୋ ମାର୍ଟିନେଜ୍‌ଙ୍କ ବେଲ୍‌ଜିୟମ୍‌ ଦଳ ଚଳିତବର୍ଷ ଖେଳିଥିବା ୮ ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଥିଲା ବେଳେ ଆସନ୍ତାବର୍ଷର ୟୁଫା ନେସନ୍ସ ଲିଗ୍ ଫାଇନାଲ୍ସ ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ଶୀର୍ଷ ୪ସ୍ଥାନରେ ଥିବା ଦଳ କିନ୍ତୁ ଅପରିବର୍ତ୍ତିତ ରହିଛନ୍ତି। ପର୍ତ୍ତୁଗାଲ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଥିଲା ବେଳେ ସ୍ପେନ୍ (ଷଷ୍ଠ) ଓ ଆର୍ଜେଣ୍ଟିନା (ସପ୍ତମ) ପ୍ରତ୍ୟେକ ଗତବର୍ଷ ମାନ୍ୟତାଠାରୁ ଦୁଇଟି ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି। ସର୍ବାଧିକ ଉନ୍ନତି କିନ୍ତୁ ହଙ୍ଗେରୀ (୪୦)ର ହୋଇଛି। ଏହି ଦଳ ୧୨ ସ୍ଥାନ ଲମ୍ପମାରି ଶ୍ରେଷ୍ଠ ୫୦ ଦଳ ମଧ୍ୟରେ ପ୍ର‌େବେଶ କରିଛି। ହଙ୍ଗେରୀ ମଧ୍ୟ ୮ ମ୍ୟାଚ୍‌ରୁ ମାତ୍ର ଗୋଟିଏ ପରାଜୟ ବରଣ କରି ଆସନ୍ତାବର୍ଷ ଜୁନ୍-ଜୁଲାଇକୁ ସ୍ଥାନାନ୍ତର ହୋଇଥିବା ୟୁରୋ ୨୦୨୦ ଫାଇନାଲ୍ସ ଲାଗି ଟିକେଟ ହାସଲ କରିଛି।

ଫିଫାର ଶ୍ରେଷ୍ଠ ୨୦ ମାନ୍ୟତାରେ ଥିବା ଦଳ: ୧-ବେଲ୍‌ଜିୟମ୍, ୨-ଫ୍ରାନ୍ସ, ୩-ବ୍ରାଜିଲ, ୪-ଇଂଲଣ୍ଡ, ୫-ପର୍ତ୍ତୁଗାଲ୍‌, ୬-ସ୍ପେନ୍, ୭-ଆର୍ଜେଣ୍ଟିନା, ୮-ଉରୁଗୁଏ, ୯-ମେକ୍ସିକୋ, ୧୦-ଇଟାଲି, ୧୧-କ୍ରୋଏସିଆ, ୧୨-ଡେନମାର୍କ, ୧୩-ଜର୍ମାନୀ, ୧୪-ନେଦରଲାଣ୍ଡ୍ସ, ୧୫-କଲମ୍ବିଆ, ୧୬-ସ୍ବିଜରଲାଣ୍ଡ, ୧୭-ଚିଲି, ୧୮-ୱେଲ୍ସ, ୧୯-ପୋଲାଣ୍ଡ, ୨୦-ସେନେଗାଲ।

ସମ୍ବନ୍ଧିତ ଖବର