୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ :ଓଡ଼ିଶାର ଚତୁର୍ଥ ବିଜୟ

ଭୁବନେଶ୍ବର: ରାଜକୋଟରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ଓଡ଼ିଶା ଚତୁର୍ଥ ବିଜୟ ପାଇଛି। ଗ୍ରୁପ୍‌-ଇ’ର ନିଜର ପଞ୍ଚମ ମ୍ୟାଚ୍‌ରେ ଓଡ଼ିଶା ୮୬ ରନ୍‌ରେ ଜମ୍ମୁ କଶ୍ମୀରକୁ ପରାସ୍ତ କରି ବିଜୟ ଧାରାକୁ ଫେରିଛି। ଏହି ପ୍ରତିଯୋଗିତାର ପ୍ରଥମ ୩ ମ୍ୟାଚ୍‌ରେ ମଧ୍ୟପ୍ରଦେଶ, ମିଜୋରାମକୁ ଏବଂ ସୌରାଷ୍ଟ୍ରକୁ ହରାଇ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲା। ‌ହେ‌ଲେ ଶନିବାର ଓଡ଼ିଶା ବିଜୟରେ ରୋକ ଲାଗିଥିଲା। ବିଦର୍ଭଠୁ ୬ ଵିକେଟ୍‌ ଓଡ଼ିଶା ହାରି ଯାଇଥିଲା।
ସୋମବାର ଟସ୍‌ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ବିନା କ୍ଷତିରେ ୧୬୦ ରନ୍‌ କରିଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ କାଜଲ ଜେନା (୫୬, ୪୨ ବଲ୍‌) ଏବଂ ଅଞ୍ଜଳି ସିଂହ (୯୭, ୭୮ ବଲ୍‌) ଅପରାଜିତ ଅର୍ଧଶତକ ହାସଲ କରିଥିଲେ। ଜମ୍ମୁ କଶ୍ମୀର ୧୯.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୪ ରନ୍‌ କରି ପାରିଥିଲା। ଜମ୍ମୁ କଶ୍ମୀର ପକ୍ଷରୁ ହୁମାଇରା ଫାରୁକ୍‌ (୪୧) ଏକ ମାତ୍ର ବ୍ୟାଟର୍‌ ଭାବେ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ‌ହୋଇଥିଲେ। ଓଡ଼ିଶା ପକ୍ଷରୁ ବର୍ଷାରାଣୀ ସିଂହ ୩, ଶୁଭ୍ରା ନିର୍ଝରିଣୀ ସ୍ବାଇଁ, ରାଜଶ୍ରୀ ସ୍ବାଇଁ ୨ ଲେଖାଏଁ ଏବଂ ଇନ୍ଦ୍ରାଣୀ ଛତ୍ରିଆ, ସୁଶ୍ରୀ ଦିବ୍ୟଦର୍ଶିନୀ ଓ ଲୌଇଶା ଦାଶ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥି‌ଲେ। ମଙ୍ଗଳବାର ଦ୍ବିତୀୟ ସ୍ଥାନରେ ଥିବା‌ ଓଡ଼ିଶା (୧୬ ପଏଣ୍ଟ୍‌) ଶୀର୍ଷ ଦଳ ରେଳବାଇ (୨୦ ପଏଣ୍ଟ୍‌)କୁ ଭେଟିବ।

ସମ୍ବନ୍ଧିତ ଖବର