କ୍ରାଏଷ୍ଟଚର୍ଚ: ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ମଙ୍ଗଳବାର ଦୁଇ ପୁରୁଣା ଶତ୍ରୁ ଭାରତ ଏବଂ ପାକିସ୍ତାନ ମୁହାଁ ମୁହିଁ ହେବେ। ତିନି ଥର ବିଜେତା ଭାରତ ଏବଂ ଦୁଇ ଥର ବିଜେତା ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଭାରତ ତା’ର ପ୍ରଥମ ଚାରିଟି ମ୍ୟାଚ୍ ଜିତି ସେମିଫାଇନାଲ ଯାଇଛି। ହେଲେ ପାକିସ୍ତାନ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାଗ୍ୟଶାଳୀ ବିଜୟ ହାସଲ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ସାହିନ ଆଫ୍ରିଦି ନିଜ ଦଳକୁ ସେମିଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଭାରତ କିନ୍ତୁ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଆଇପିଏଲ୍ ନିଲାମରେ ୩.୨ ଓ ୩ କୋଟିରେ ଟଙ୍କାରେ ବିକ୍ରି ହୋଇଥିବା କମଲେଶ ନାଗରକୋଟୀ ଓ ଶିଭମ ମାଭୀ ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅଧିନାୟକ ପୃଥ୍ଵୀ ସ’, ଶୁଭମନ ଗିଲ୍ଙ୍କ ଭଳି ବ୍ୟାଟ୍ସମ୍ୟାନ୍ ବି ଭଲ ଲୟରେ ରହିଛନ୍ତି। ହେଲେ ପୂର୍ବ ସଫଳତା ପାକିସ୍ତାନ ସପକ୍ଷରେ ରହିଛି। ଉଭୟ ୧୯ ବର୍ଷରୁ କମ୍ ବିଶ୍ୱକପରେ ୭ ଥର ଭେଟା ଭେଟି ହୋଇଥିଲା ବେଳେ ସେଥିମଧ୍ୟରୁ ଭାରତ ୪ ଏବଂ ପାକିସ୍ତାନ ୩ଟିରେ ବିଜୟୀ ହୋଇଛି। ୨୦୦୬ରେ ଭାରତକୁ ହରାଇ ପାକିସ୍ତାନ ବିଜେତା ଆଖ୍ୟା ଅର୍ଜନ କରିଥିଲା।
ଆଫଗାନିସ୍ତାନକୁ ଅଟକାଇ ଫାଇନାଲରେ ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପର ଫାଇନାଲରେ ପହଞ୍ଚି ଯାଇଛି। ପ୍ରତିଯୋଗିତାର କଳା ଘୋଡ଼ା ତଥା ଏସୀୟ କ୍ରିକେଟ୍ର ଉଦୀୟମାନ ଦଳ ଆଫଗାନିସ୍ତାନକୁ ୬ ଓ୍ଵିକେଟ୍ରେ ହରାଇ କଙ୍ଗାରୁ ଦଳ ପୁନର୍ବାର କନିଷ୍ଠ ବିଶ୍ୱକପ୍ ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛି। ଅନ୍ୟ ପକ୍ଷରେ ଅପରାଜେୟ ଆଫଗାନିସ୍ତାନର ବିଜୟ ଧାରାରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ଦଳ ମଧ୍ୟ ପ୍ରଥମ ଥର ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି। ଅଷ୍ଟ୍ରେଲିଆ ଶନିବାରର ଫାଇନାଲରେ ମଙ୍ଗଳବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲ୍ ମୁକାବିଲାର ବିଜେତାକୁ ଭେଟିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ନିଜ ନିଜ କ୍ୱାର୍ଟର ଫାଇନାଲରେ ସହଜ ବିଜୟ ହାସଲ କରି ସେମିକୁ ଯାଇଛନ୍ତି। ଆସନ୍ତାକାଲିର ଏହି ଲଢ଼େଇକୁ ସମସ୍ତେ ଯେମିତି ଚାହିଁ ବସିଛନ୍ତି।
ଉଭୟ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ପ୍ରତିଯୋଗିତାରେ ଚମତ୍କାର କ୍ରିକେଟ୍ ଖେଳି ଆସୁଥିବାରୁ ସୋମବାରର ପ୍ରଥମ ସେମିଫାଇନାଲ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା। ହେଲେ ଶେଷରେ ଅଷ୍ଟ୍ରେଲିଆ ଏକତରଫା ବିଜୟ ହାସଲ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ହିଁ ଆଫଗାନିସ୍ତାନ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଦ୍ରୁତ ବୋଲର ଜୋନାଥନ ମେର୍ଲୋ ୪ ଓ୍ଵିକେଟ୍ ଅକ୍ତିଆର କରିବା ସହ ଆଫଗାନିସ୍ତାନ ୪୮ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ମାତ୍ର ୧୮୧ ରନ୍ କରି ପାରିଥିଲା। ଇକ୍ରାମ ଅଲ୍ଲୀଖିଲଙ୍କ ୮୦ ରନ୍ ଦଳର ଏକମାତ୍ର ଅର୍ଧଶତକ ଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଜ୍ୟାକ୍ ଏଡଓ୍ଵାର୍ଡସଙ୍କ ୭୨ ଏବଂ ଭାରତୀୟ ବଂଶୋଦ୍ଭବ ଖେଳାଳି ପରମ ଉପଲଙ୍କ ଅପରାଜିତ ୩୨ ରନ୍ ବଳରେ ୩୭.୩ ଓଭରରେ ୧୮୨ ରନ୍ କରି ବିଜୟୀ ହୋଇଥିଲା। ତା’ ସହ ଫାଇନାଲ୍ ଟିକେଟ ହାସଲ କରି ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/odisha-cricket-1-4.jpg)