ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ ଯଦିଓ ରବିବାରଠୁ ଶେଷ ହୋଇଗଲାଣି, କିନ୍ତୁ ସାମାଜିକ ଗଣମାଧ୍ୟମ ଓ ଦୁଇ ଦେଶର ଗଣମାଧ୍ୟମରେ ଜନି ବେୟାରେଷ୍ଟାଙ୍କ ଆଉଟ୍କୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ପ୍ରଥମେ ଏହି ବିବାଦ ଉପରେ ସୋମବାର ଇଂଲଣ୍ଡର ଖବରକାଗଜଗୁଡ଼ିକରେ ଅଷ୍ଟ୍ରେଲିଆ ଖେଳାଳିମାନଙ୍କୁ ସମାଲୋଚନା କରାଯାଇଥିଲା। ଏହି ସମାଲୋଚନାର କଡ଼ା ଜବାବ ଦେଇଛି ଅଷ୍ଟ୍ରେଲିଆର ଖବରକାଗଜ ‘ଦ ୱେଷ୍ଟ ଅଷ୍ଟ୍ରେଲିଆନ୍’। ଏହି ଖବରକାଗଜରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ଛୋଟ ପିଲାଙ୍କ ବେଶରେ ଚିତ୍ରିତ କରିବା ସହ ‘କ୍ରାଏ ବେବିସ୍’ (କାନ୍ଦୁଥିବା ଶିଶୁ) ହେଡ୍ଲାଇନ୍ ଦିଆଯାଇଛି।
ସାମାଜିକ ଗଣମାଧ୍ୟମରେ ଏହି ଖବରକାଗଜର କଭରପେଜ୍ ଭାଇରାଲ୍ ହେବା ପରେ ଷ୍ଟୋକ୍ସ ମଧ୍ୟ ଏହା ଉପରେ ଜବାବ ରଖିଛନ୍ତି। ଉକ୍ତ ଫଟୋରେ କାନ୍ଦୁଥିବା ପିଲା ସେ ନୁହଁନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ। ରବିବାର ମ୍ୟାଚ୍ ଶେଷ ହେବା ପରେ ସେ ମଧ୍ୟ ଏହିପରି ଭାବେ ମ୍ୟାଚ୍ ଜିତିବାକୁ ଚାହୁଁନଥିବା କହିଥିଲେ। ତାଙ୍କ ମତରେ ଯଦି ବେୟାରଷ୍ଟୋଙ୍କ ଗୋଟିଏ ପାଦ କ୍ରିଜ୍ ଭିତରେ ରହିଥାନ୍ତା, ତାହେଲେ ସେ ଅପିଲ୍ କରିଥାନ୍ତେ। କିନ୍ତୁ ପିଚ୍ରେ ଯାହା ବି ହୋଇଥିଲା ତାହା ନିୟମ ଅନୁସାରେ ହୋଇଛି ବୋଲି ଷ୍ଟୋକ୍ସ ସ୍ବୀକାର କରିଥିଲେ। ସେହିପରି ୱିକେଟ୍କିପରଙ୍କ ପାଇଁ ଏଭଳି ଆଉଟ୍ କରିବା ସାଧାରଣ କଥା ହୋଇଗଲାଣି। ପୂର୍ବରୁ ବେୟାରଷ୍ଟା ମଧ୍ୟ ପ୍ରଥମ ଦିନରେ ଡେଭିଡ୍ ୱାର୍ଣ୍ଣରଙ୍କ ସହ ଏବଂ ୨୦୧୯ରେ ସ୍ମିଥ୍ଙ୍କ ସହ ଏପରି କରିଥିଲେ। ତେଣୁ ଏହି ୱିକେଟ୍ର ସଂପୂର୍ଣ୍ଣ ଶ୍ରେୟ ସେ ଆଲେକ୍ସ କ୍ୟାରିଙ୍କୁ ଦେଇଥିଲେ। ରବିବାର ଦ୍ବିତୀୟ ମ୍ୟାଚ୍ରେ ବିଜୟ ପରେ ଆସେସ୍ରେ ଅଷ୍ଟ୍ରେଲିଆ ୨-୦ ରେ ଅଗ୍ରଣୀ ପାଇଛି।