ଲଣ୍ଡନ : ଇଂଲଣ୍ଡ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଦିନିକିଆ କ୍ରିକେଟକୁ ୧୦୦ ପ୍ରତିଶତ ଦେଇପାରୁନଥିବାରୁ ଅବସର ନେଉଥିବା ସେ ପ୍ରକାଶ କରିଛନ୍ତି । ଦିନିକିଆ କ୍ରିକେଟରୁ ଅବସର ନେବା ପରେ ସେ ଟେଷ୍ଟ ଓ ଟି-୨୦ ଉପରେ ଫୋକସ କରିବେ ।
ମଙ୍ଗଳବାରଦିନ ଚେଷ୍ଟର ଲି ଷ୍ଟ୍ରିଟଠାରେ ସେ ନିଜ କ୍ୟାରିୟରର ଶେଷ ଦିନିକିଆ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ।
ଜଣେ ଅଲରାଉଣ୍ଡର ଭାବେ ଷ୍ଟୋକ୍ସ ଇଂଲଣ୍ଡ ଦଳ ପାଇଁ ଅନେକ ସ୍ମରଣୀୟ ବିଜୟ ଆଣିଦେଇଛନ୍ତି । ୨୦୧୯ ବିଶ୍ବକପରେ ଇଂଲଣ୍ଡକୁ ଚାମ୍ପିଅନ କରିବାରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଥିଲା । ନିକଟରେ ତାଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ୫ମ ଟେଷ୍ଟରେ ଭାରତକୁ ହରାଇଥିଲା ।
ଦିନିକିଆ କ୍ରିକେଟରେ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ୧୦୪ଟି ମ୍ୟାଚ ଖେଳିଛନ୍ତି । ତେବେ ବିଗତ କିଛି ମାସ ଧରି ସେ ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରୁନଥିଲେ । ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସେ ମୋଟ ୪୮ ରନ କରିଥିଲେ । ବୋଲିଂରେ ବି ସେ ଗୋଟିଏ ବି ଓ୍ବିକେଟ ନେଇପାରିନଥିଲେ ।
ସୋସିଆଲ ମିଡିଆରେ ନିଜର ଅବସର ଘୋଷଣା କରି ଷ୍ଟୋକ୍ସ ଲେଖିଛନ୍ତି ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବାର ସମୟ ଆସିଯାଇଛି ।