ରାଜ୍ୟର ବ୍ରହ୍ମପୁର ଭଳି ମହାନଗର ନିଗମ ତଥା କଳିଙ୍ଗ ଷ୍ଟାଡିୟମ୍ରେ କାର୍ଯ୍ୟରତ ଉଚ୍ଚ ଗୁଣବତ୍ତା କେନ୍ଦ୍ର (ଏଚ୍ପିସି)ରୁ ଓଡ଼ିଶା ଖେଳାଳିଙ୍କୁ ବିଶେଷ ଲାଭ ମିଳୁନି। ଏହା ବରିଷ୍ଠ ସ୍ତରୀୟ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଓଡ଼ିଆ ଖେଳାଳିଙ୍କ କମିକମି ଚାଲିଥିବା ପ୍ରତିନିଧିତ୍ବ ଓ ପ୍ରଦର୍ଶନରୁ ସ୍ପଷ୍ଟ ହୋଇଥାଏ। ଜାତୀୟ ପ୍ରତିନିଧିତ୍ବ କମିବାରୁ ସ୍ବାଭାବିକ ଭାବେ ରାଜ୍ୟରୁ ଯେତେ ସଂଖ୍ୟକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବା କଥା ସେତିକି ହୋଇପାରୁ ନାହାନ୍ତି। ଯେଉଁ ତିନିଟି ଖେଳରୁ ଭାରତୀୟ ଦଳକୁ ଓଡ଼ିଶା ସବୁଠୁ ଅଧିକ ଖେଳାଳି ଯୋଗାଇଥାଏ, ସେହି ତିନିଟି ଖେଳ ଯଥା ହକି, ମହିଳା ଫୁଟ୍ବଲ୍ ଓ ଦୌଡ଼କୁଦରେ ମଧ୍ୟ ଓଡ଼ିଶା ଖେଳାଳିଙ୍କ ଉପସ୍ଥିତି ପୂର୍ବାପେକ୍ଷା ଢେର କମିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଲୋକଦେଖାଣିଆ ଭାବେ ସୃଷ୍ଟି କରାଯାଇଥିବା ବିଶ୍ବସ୍ତରୀୟ ଭିତ୍ତିଭୂମିର ଲାଭ ତୃଣମୂଳ ସ୍ତରରେ ଆଦୌ ପହଞ୍ଚୁନି।
ଏଥିରୁ ଓଡ଼ିଆ ଖେଳାଳି ନୁହେଁ ବରଂ ବାହାର ରାଜ୍ୟର ଖେଳାଳି ଅଧିକ ଲାଭବାନ ହେଉଥିବା ଚର୍ଚ୍ଚା ହେଉଛି। ଏପରିକି ବାହାବା ନେବା ଲୋଭରେ ବାହାର ରାଜ୍ୟର କିଛି ଖେଳାଳିଙ୍କୁ ଓଡ଼ିଶାର ବୋଲି ଦାବି କରି ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବାର ଦୁଃଖଦ ପରମ୍ପରା ମଧ୍ୟ ଓଡ଼ିଶା କ୍ରୀଡ଼ାରେ କିଛି ପ୍ରଶାସକ ସୃଷ୍ଟି କରିଛନ୍ତି। ଏବେ ଏହି ଧାରା ବଦଳାଇବାକୁ କ୍ରୀଡ଼ାବିତ୍ମାନେ ଦାବି କରିଛନ୍ତି। ଏଣୁ ଭିତ୍ତିଭୂମି ନିର୍ମାଣର ସମୀକ୍ଷା ସହ ତୃଣମୂଳସ୍ତରରୁ ଖେଳାଳି ଚୟନ, ଚିହ୍ନଟ, ସେମାନଙ୍କ ପ୍ରଶିକ୍ଷଣ, ଡାଏଟ୍ ପ୍ଲାନ୍ ତଥା କ୍ରୀଡ଼ା ଛାତ୍ରାବାସଗୁଡ଼ିକର ଉନ୍ନତୀକରଣ ଆଦିକୁ ଅଧିକ ଗୁରୁତ୍ବ ଦେବାର ସମୟ ସମ୍ଭବତଃ ଆସିଯାଇଛି। ଏଥିନେଇ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଜଣେ ପ୍ରତିଷ୍ଠିତ କ୍ରୀଡ଼ା ପ୍ରଶିକ୍ଷକ କହିଛନ୍ତି ଯେ ଯେଉଁଠି ଖେଳାଳିମାନେ ଖେଳିବାକୁ ପଡ଼ିଆ ପାଉନାହାନ୍ତି। ଅନ୍ତର୍ଜାତୀୟ ଭିତ୍ତିଭୂମି ନାଁରେ ଛୋଟଛୋଟ ପିଲାଙ୍କୁ ଷ୍ଟାଡିୟମ୍ ଭିତରକୁ ପୂରାଇ ଦିଆଯାଉନି। କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ସେମାନଙ୍କ କାମ ପରିବର୍ତ୍ତେ ଅଲଗା କାମରେ ଲଗାଯାଉଛି, ସେଠୁ ଅଲିମ୍ପିକ୍ସସ୍ତରର ଖେଳାଳି କେମିତି ସୃଷ୍ଟି ହେବେ? ନୂଆ କ୍ରୀଡ଼ାମନ୍ତ୍ରୀ ଭିତ୍ତିଭୂମି ଅପେକ୍ଷା ଖେଳାଳିଙ୍କୁ ଗୁରୁତ୍ବ ଦେଲେ ହୁଏତ ହରିୟାଣା ଓ ପଞ୍ଜାବ ଆଦି ଛୋଟ ରାଜ୍ୟ ଭଳି ଓଡ଼ିଶା ଅଧିକ ଅଲିମ୍ପିଆନ୍ ସୃଷ୍ଟି କରିପାରିବ।
ଓଡ଼ିଶା ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ଗନ୍ତାଘର ଏବଂ ଭୁବନେଶ୍ବର ଦେଶର କ୍ରୀଡ଼ା କ୍ୟାପିଟାଲ୍ ବୋଲି ବିଗତ କିଛି ବର୍ଷ ହେବ ପ୍ରଚାର ହୋଇଆସୁଛି। ଦୁଇ ଦୁଇଥର ହକି ବିଶ୍ବକପ୍ ସହ ଏସୀୟ ଦୌଡ଼କୁଦ ତଥା ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ଓଡ଼ିଶା ବିଶ୍ବ ମାନଚିତ୍ରରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାର ବାର୍ତ୍ତା ମଧ୍ୟ ବରାବର ସରକାରୀସ୍ତରରୁ ଦିଆଯାଇଛି। ଭାରତୀୟ ହକି ଦଳର ପ୍ରାୟୋଜକ ହେବାରେ ଓଡ଼ିଶା ବି ଦେଶର ପ୍ରଥମ ରାଜ୍ୟ ହେବାର ଗୌରବ ଅର୍ଜନ କରିଛି। ଖାଲି ହକି ନୁହେଁ, ବହୁ ଖେଳର ଆୟୋଜକ ଓ ପ୍ରାୟୋଜକ ଭାବେ ସାରା ବିଶ୍ବରୁ ଓଡ଼ିଶା ଅଜସ୍ର ପ୍ରଶଂସା ସାଉଁଣ୍ଟିବା ସହ ଆଗାମୀ ସମୟରେ ଅଲିମ୍ପିକ୍ସ ଭଳି ବଡ଼ ପ୍ରତିଯୋଗିତାର ଆୟୋଜନ ଲାଗି ଦାବି ଉପସ୍ଥାପନ କରିବ ବୋଲି ଏକଦା ବିଗତଦିନର ସରକାର ଦାବି କରିଥିଲେ। ହେଲେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବାର ନିଶା ଏବଂ ପୂର୍ବରୁ ଥିବା ସୁବିଧାସୁଯୋଗର ଭଙ୍ଗାଗଢ଼ା ଧାରାରୁ ଯେ ଓଡ଼ିଶା ଖେଳାଳି ବିଶେଷ ଉପକୃତ ହୋଇ ନାହାନ୍ତି, ତାହା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଖେଳାଳିଙ୍କ ସଂଖ୍ୟାରୁ ସ୍ପଷ୍ଟ ହୋଇଯାଏ।
ଏସବୁ ଭିତରେ ଆଉ ଏକ ବଡ଼ ଅଭିଯୋଗ ମଧ୍ୟ ହୋଇଥାଏ। ବିଗତ ଦିନରେ ଖେଳକୁ ଖେଳାଳି ସୃଷ୍ଟି କରିବା ମାଧ୍ୟମ ପରିବର୍ତ୍ତେ ରାଜନୈତିକ ବାରିସି କରାଯାଇଥିବା ତଥା ବିଭିନ୍ନ ଯୋଜନା ନାଁରେ କୌଣସି ମହତ୍ବ ନଥିବା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ଚର୍ଚ୍ଚା ମଧ୍ୟ ହୁଏ। ସେହିଭଳି ବିଭିନ୍ନ ଖେଳ ସଂଘର ନିୟନ୍ତ୍ରଣ ସରକାରୀ ଅଧିକାରୀଙ୍କ ମାଧ୍ୟମରେ ସରକାର ନେଇ ଯାଇଥିବାର ଅଭିଯୋଗ ମଧ୍ୟ୍ୟ ବାରମ୍ବାର ଆସିଛି। ପ୍ରଶିକ୍ଷକଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ କିମ୍ବା ଓଏସ୍ଡି ନିଯୁକ୍ତି ଦିଆଯିବା ସହ ଖେଳାଳି ଚୟନରେ ଘୋର ପାତର ଅନ୍ତର କରାଯାଉଥିବାର ଅଭିଯୋଗ ମଧ୍ୟ ଅନେକ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଛି। କ୍ରୀଡ଼ା ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ଦୁର୍ନୀତିର ଗନ୍ଧ ମଧ୍ୟ ଅନେକ ସମୟରେ ବାହାରକୁ ଆସିଛି। ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମ୍ ବୀର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍ର ପାଚେରି ଖୁବ୍ କମ୍ ଦିନ ଭିତରେ ଭାଙ୍ଗିବା ହେଉ କିମ୍ବା କଳିଙ୍ଗ ଷ୍ଟାଡିୟମ୍ର ନବନିର୍ମିତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଛାତରୁ ପାଣି ଗଳିବା ହେଉ, ଏସବୁ କ୍ରୀଡ଼ାରୁ ଲକ୍ଷ୍ୟ ବିଚ୍ୟୁତ ହେବାର ମୁଖ୍ୟ କାରକ ସାଜିଛି।