ମୁମ୍ବାଇ: ସେଖ୍ ହସିନାଙ୍କ ଗାଦି ଯିବା ପରେ ଭାରତ ପାଇଁ ରାଜନୈତିକ ଦୃଷ୍ଟିରୁ ବାଂଲାଦେଶ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ସେହିଭଳି ପାକିସ୍ତାନରେ ପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତି (୨-୦) ନୂଆ ଇତିହାସ ରଚିଥିବା ବାଂଲା କ୍ରିକେଟ୍ ଦଳ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ମସ୍ତବଡ଼ ଚ୍ୟାଲେଞ୍ଜ୍ ପାଲଟିଛି। ଚେନ୍ନାଇ ଓ କାନପୁରରେ ଦୁଇ ଦେଶର କ୍ରିକେଟ୍ ଦଳ ଦୁଇ ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ପାକିସ୍ତାନ ବିଜୟରେ ଉଲ୍ଲସିତ ବାଂଲାଦେଶ ଖେଳାଳିମାନେ ଏବେଠୁ ଶୃଙ୍ଖଳା ଜିତିବାର ବାହାସ୍ଫୋଟ ମାରିବା ଆରମ୍ଭ କରିଦେଲେଣି। ଏପରିକି କିଛି ବାଂଲା ଖେଳାଳି ମଧ୍ୟ ତାରକା ଖଚିତ ଭାରତୀୟ ଦଳକୁ ଆଗୁଆ ଚେତାବନୀ ଦେଇ ସାରିଲେଣି। ଭାରତୀୟ ଖେଳାଳିମାନେ କିନ୍ତୁ ଏକବାର ଚୁପ୍ଚାପ୍ ରହିଛନ୍ତି। କେହି କିଛି କହୁ ନାହାନ୍ତି। ଅବଶ୍ୟ ବାଂଲାଦେଶକୁ ହାଲ୍କା ଭାବେ ନେବା ମସ୍ତବଡ଼ ଭୁଲ୍ ହେବ ବୋଲି କିଛି ପୂର୍ବତନ ଭାରତୀୟ କ୍ରିକେଟର୍ ରୋହିତ ବାହିନୀକୁ ଚେତାଇ ଦେଇଛନ୍ତି। ତଥାପି ଦଳୀୟ ସନ୍ତୁଳନ, ଅଭିଜ୍ଞତା ଓ ପୂର୍ବ ରେକର୍ଡ ଏସବୁକୁ ଦେଖିଲେ, ଭାରତ ବିଶେଷ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ତଥାପି ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଖେଳାଳି ସ୍ପିନ୍ ଆଗରେ ବିନା
ଲଢ଼େଇରେ ଆତ୍ମସମର୍ପଣ କରିବା ଏବଂ ବାଂଲାଦେଶ ପାଖରେ ଦୁଇରୁ ତିନି ଜଣ ଉଚ୍ଚକୋଟୀର ସ୍ପିନର ରହିବା ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ। ଭାରତ ଶୃଙ୍ଖଳା ପାଇଁ ଦଳ ଘୋଷଣା କରି ସାରିଥିଲା ବେଳେ ବାଂଲାଦେଶ କିନ୍ତୁ ଏବେ ବି ଦଳ ଗଠନ ନେଇ ଦ୍ବନ୍ଦ୍ବରେ ରହିଛି। ତଥାପି ପାକିସ୍ତାନରେ ଐତିହାସିକ ଶୃଙ୍ଖଳା ଜିତିଥିବା ବାଂଲା ଦଳରେ ବଡ଼ ଧରଣର ପରିବର୍ତ୍ତନ ହେବାର ଆଶଙ୍କା କମ୍ ରହିଛି। ପୁଣି ଚଳିତ ମାସ ୧୯ ତାରିଖରୁ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ଏବଂ ୨୭ ତାରିଖରୁ କାନପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ରେ ପିଚ୍କୁ ନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଉଭୟ ଷ୍ଟାଡିୟମ୍ର ପିଚ୍ ପାରମ୍ପରିକ ଭାବେ ସ୍ପିନର୍ଙ୍କୁ ସୁହାଉଥିବାରୁ ଉଭୟ ମ୍ୟାଚ୍ରେ ସ୍ପିନର୍ ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ବିଜୟ ପରେ ବାଂଲାଦେଶ ଖେଳାଳିମାନେ ବେଶ୍ ଉତ୍ସାହିତ ଅଛନ୍ତି, ହେଲେ ଭାରତକୁ କେବେ ବି ବାଂଲାଦେଶ ତା’ ଟେଷ୍ଟ୍ ଇତିହାସରେ ହରାଇ ନାହିଁ। ଉଭୟ ଦେଶ ମଧ୍ୟରେ ଆଜି ପର୍ଯ୍ୟନ୍ତ ୮ଟି ଶୃଙ୍ଖଳା ଖେଳାଯାଇଛି। ୨୦୧୫ ମସିହାର ଗୋଟିକିଆ ଶୃଙ୍ଖଳା ଅମୀମାଂସିତ ରହିବା ଛଡ଼ା ଅନ୍ୟ ସବୁ ଶୃଙ୍ଖଳା ଭାରତ ଜିତିଛି। ୨୦୦୦-୦୧ର ପ୍ରଥମ ଶୃଙ୍ଖଳାକୁ ଭାରତ ୧-୦ (୧), ୨୦୦୪-୦୫ର ଦ୍ବିତୀୟ ଶୃଙ୍ଖଳାକୁ ୨-୦ (୨), ୨୦୦୭ର ତୃତୀୟ ଶୃଙ୍ଖଳାକୁ ୧-୦ (୧), ୨୦୦୯-୧୦ର ଚତୁର୍ଥ ଶୃଙ୍ଖଳାକୁ ୨-୦ (୨), ୨୦୧୬-୧୭ର ଷଷ୍ଠ ଶୃଙ୍ଖଳାକୁ ୧-୦(୧), ୨୦୧୯-୨୦ର ସପ୍ତମ ଶୃଙ୍ଖଳାକୁ ୨-୦ (୨) ଏବଂ ୨୦୨୨-୨୩ର ଅଷ୍ଟମ ଶୃଙ୍ଖଳାକୁ ୨-୦ (୨)ରେ ଜିତିଛି।
ରୋହିତ ବାହିନୀକୁ ନାହିଦଙ୍କ ଚେତାବନୀ
ଭାରତ ଶୃଙ୍ଖଳା ପାଇଁ ଆମେ ପାକିସ୍ତାନ ଗସ୍ତଠାରୁ ବି ଭଲ ପ୍ରସ୍ତୁତି କରିଛୁ। ମଙ୍ଗଳବାର ଏଭଳି ମନ୍ତବ୍ୟ ଦେଇଛନ୍ତି ବାଂଲାଦେଶ ଦ୍ରୁତ ବୋଲର ନାହିଦ ରାଣା। ଘଣ୍ଟାପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରୁଥିବା ନାହିଦ ନିକଟରେ ବାଂଲାଦେଶ ହାସଲ କରିଥିବା ପାକିସ୍ତାନ ବିପକ୍ଷ ଐତିହାସିକ ଶୃଙ୍ଖଳା ମୂଳପୋଛ ବିଜୟରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ। ଦୁଇ ମ୍ୟାଚ୍ରୁ ୬ ୱିକେଟ୍ ନେଇ ପାକିସ୍ତାନ ବ୍ୟାଟର୍ଙ୍କୁ ନିୟମିତ ପରୀକ୍ଷାରେ ପକାଇଥିଲେ ସେ। ଭାରତରେ ମଧ୍ୟ ଏହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି ନାହିଦ। ଭାରତୀୟ ବ୍ୟାଟର୍ଙ୍କୁ ପରୋକ୍ଷ ଚେତାବନୀ ଦେଇ ସେ ଆହୁରି କହିଛନ୍ତି ଯେ ଭାରତ ଶୃଙ୍ଖଳା ଲାଗି ଆମେ ବହୁତ ଭଲ ପ୍ରସ୍ତୁତି କରିଛୁ। ଏବେ କେବଳ ରଣନୀତିର ସଫଳ ରୂପାୟନକୁ ଅପେକ୍ଷା କରିଛୁ। ୧୫୦ କିଲୋମିଟରରୁ ଅଧିକ ଗତିରେ ବୋଲିଂ କରୁଥିଲେ ମଧ୍ୟ ଦଳୀୟ ରଣନୀତି ଅନୁସାରେ ହିଁ ମୁଁ ବଲ୍ ପକାଇବି। ଭାରତ ଶୃଙ୍ଖଳା ନେଇ ନାହିଦ ଦେଇଥିବା ମନ୍ତବ୍ୟର ଭିଡିଓ ବାଂଲାଦେଶ କ୍ରିକେଟ୍ ବୋର୍ଡ ମଧ୍ୟ ନିଜ ‘ଏକ୍ସ’ ପୃଷ୍ଠାରେ ପ୍ରକାଶ କରିଛି।
ନେଟ୍ସ ପାଇଁ ୬.୪ ଫୁଟିଆ ସ୍ପିନର୍
ବାଂଲାଦେଶ ସ୍ପିନର ପାକିସ୍ତାନ ବ୍ୟାଟର୍ଙ୍କୁ ଅକଳରେ ପକାଇ ଲଗାତାର ଦୁଇଟି ଟେଷ୍ଟ୍ ଜିତିବାର ବିରଳ ସଫଳତା ଲାଭ କରିବା ପରେ ଭାରତ ଏଥିନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଭାରତୀୟ ବ୍ୟାଟର୍ଙ୍କୁ ଅଧିକ ସ୍ପିନ୍ ଅଭ୍ୟାସ ଦେବା ଲାଗି ଚୟନକର୍ତ୍ତାମାନେ ଭାରତର ନେଟ୍ ବୋଲର ତାଲିକାରେ ମୁମ୍ବାଇର ୬ ଫୁଟ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ସ୍ପିନର ହିମାଂଶୁ ସିଂହଙ୍କୁ ସାମିଲ କରିଛି। ହିମାଂଶୁ ପୂର୍ବରୁ ମୁମ୍ବାଇ ୧୬ ଏବଂ ୨୩ ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରିସାରିଛନ୍ତି। ଗତ ସପ୍ତାହରେ ବେଙ୍ଗାଲୁରୁରେ ଅନୁଷ୍ଠିତ କେ ଥିମାପିଆ ସ୍ମାରକୀ ପ୍ରତିଯୋଗିତାରେ ଆନ୍ଧ୍ର ବିପକ୍ଷରେ ୭୪ ରନ୍ ଦେଇ ୭ ୱିକେଟ୍ କରାୟତ୍ତ କରିଛନ୍ତି ସେ। ମୁମ୍ବାଇ ବରିଷ୍ଠ ଦଳରୁ ଖେଳି ନଥିଲେ ମଧ୍ୟ ତାଙ୍କୁ ଏବେଠୁ ମହାନ ସ୍ପିନର ଆର୍ ଅଶ୍ବିନଙ୍କ ସହ ତୁଳନା କରାଯାଉଛି। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅନ୍ୟ ଚୟନକର୍ତ୍ତାମାନେ ତାଙ୍କ ବୋଲିଂ ଶୈଳୀ ଓ ପ୍ରଦର୍ଶନରେ ପ୍ରଭାବିତ ହେଲା ପରେ ଭାରତୀୟ ଦଳର ଅନ୍ୟତମ ନେଟ୍ ବୋଲର ଭାବେ ହିମାଂଶୁଙ୍କୁ ବାଛିଛନ୍ତି। ବାଂଲା ଶୃଙ୍ଖଳା ଲାଗି ଭାରତୀୟ ଖେଳାଳିଙ୍କର ଚେନ୍ନାଇରେ ହେବାକୁ ଥିବା ପ୍ରସ୍ତୁତି ଶିବିରରେ ସେ ଯୋଗଦେବେ। ଏଥିଲାଗି ୧୬ ଜଣିଆ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ୧୨ ତାରିଖ ସୁଦ୍ଧା ଚେନ୍ନାଇ ପହଞ୍ଚିବାକୁ ବିସିସିଆଇ ନିର୍ଦ୍ଦେଶ ଦେଇଛି।
ଦୟାଲ ଦେଖାଇବେ ଦମ୍
ଆଇପିଏଲ୍ ୨୦୨୩ ଋତୁର ଏକ ମ୍ୟାଚ୍ରେ ରିଙ୍କୁ ସିଂହ ଲଗାତାର ୫ ଛକା ମାରିବାଠାରୁ ଭାରତୀୟ ଟେଷ୍ଟ୍ ଦଳକୁ ଡାକରା ପର୍ଯ୍ୟନ୍ତ, ଉତ୍ତରପ୍ରଦେଶ ଦ୍ରୁତ ବୋଲର ଯଶ୍ ଦୟାଲଙ୍କ କ୍ରିକେଟ୍ ଜୀବନ ନାଟକୀୟ ମୋଡ଼ ନେଇଛି। କୋଲ୍କାତା ନାଇଟ୍ ରାଇଡର୍ସ ବ୍ୟାଟର୍ ରିଙ୍କୁ ସିଂହ ଠିକ୍ ୧୫ ମାସ ତଳେ ତାଙ୍କୁ ଗୋଟିଏ ଓଭରରେ ଲଗାତାର ୫ଟି ଛକା ମାରିବା ପରେ ୟଶ୍ ଢେର କିଛି ଦିନ କାହା ସହ କଥା ହୋଇ ନଥିଲେ। ଏଥିଲାଗି ମା’ ରାଧା ଦୟାଲ୍ ବେଶ୍ ଚିନ୍ତିତ ହୋଇ ଯାଇଥିଲେ। ଏବେ ବାଂଲାଦେଶ ଶୃଙ୍ଖଳା ପାଇଁ ଭାରତୀୟ ଦଳକୁ ୟଶ୍ ଡାକରା ପାଇବା ନେଇ ରାଧା ବେଶ୍ ଖୁସି ଅଛନ୍ତି। ପୁରୁଣା କଥାକୁ ମନେ ପକାଇ ଭାବବିହ୍ବଳ ହୋଇଯାଉଥିଲେ ମଧ୍ୟ ସୁଯୋଗ ମିଳିଲେ ୟଶ୍ ନିଶ୍ଚିତ ଭଲ କରିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ରାଧା। ଏପରିକି ରାଧା ନିଜ ପୁଅକୁ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ଙ୍କ ସହ ତୁଳନା କରନ୍ତି। ଯୁବରାଜ ସିଂହ ୬ ଛକା ମାରିବା ସତ୍ତ୍ବେ ବ୍ରଡ୍ ଯେମିତି ନିଜ ଉପରେ ଭରସା ରଖି ୬୦୦ରୁ ଅଧିକ ଟେଷ୍ଟ୍ ୱିକେଟ୍ ନେଇ ସାରିଲେଣି, ୟଶ୍ ମଧ୍ୟ ଆଇପିଏଲ୍ ଦୁଃଖକୁ ଭୁଲି ସଫଳତାର ନୂଆ ସ୍ତର ଛୁଇଁବେ ବୋଲି କହିଛନ୍ତି ସେ। ସୂଚନାଯୋଗ୍ୟ ଯେ ୟଶ୍ ଗତବର୍ଷ ଗୁଜରାଟ ଟାଇଟନ୍ସରୁ ଖେଳି ଆଇପିଏଲ୍ ଇତିହାସର ଅନ୍ୟତମ ମହଙ୍ଗା ବୋଲର ହେବାର ଅପଯଶ ମୁଣ୍ଡାଇଥିଲେ। ତେବେ ଚଳିତବର୍ଷ ଆର୍ସିବିର ପ୍ରତିନିଧିତ୍ବ କରି ୧୩ ମ୍ୟାଚ୍ରୁ ୧୫ ୱିକେଟ୍ ଅକ୍ତିଆର କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୬ ବର୍ଷୀୟ ୟଶ୍ ଉତ୍ତରପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳି ୨୪ ପ୍ରଥମଶ୍ରେଣୀ ମ୍ୟାଚ୍ରୁ ୭୬ ୱିକେଟ୍ ମଧ୍ୟ ନେଇଛନ୍ତି।