କ୍ୱାର୍ଟରରେ ବେଙ୍ଗଲର ନୈହାଟୀ ସ୍ପୋର୍ଟିଂ

ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ କ୍ରିକେଟ୍‌

ଭୁବନେଶ୍ୱର: ବେଙ୍ଗଲର ନଇହାଟୀ ସ୍ପୋର୍ଟିଂ ଅଷ୍ଟମ ତଥା ଶେଷ ଦଳ ଭାବେ ଅରବିନ୍ଦ ସ୍ମାରକୀ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ ଗେଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି। ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଗୁରୁବାର ଉତ୍କଣ୍ଠାପୂର୍ଣ୍ଣ ଶେଷ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ବେଙ୍ଗଲ ଦଳ ୨ ରନ୍‌ରେ ଝାଡ଼ଖଣ୍ଡର ସନେଟ୍‌ କ୍ରିକେଟ୍‌ କ୍ଲବ୍‌ (ରାଞ୍ଚି)କୁ ପରାସ୍ତ କରିଦେଇଛି। ଏହି ଅଳ୍ପ ରନ୍‌ ବିଶିଷ୍ଟ ମ୍ୟାଚ୍‌ରେ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା। ବେଙ୍ଗଲ ଦଳ ଆସନ୍ତା ୩୧ ତାରିଖ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ବୁଧବାରର ବିଜେତା ଦିଲ୍ଲୀର ମଦନଲାଲ ଓ ଚେତନ ଚୌହାନ୍‌ ଏକାଡେମିକୁ ଭେଟିବ। ତେବେ ପ୍ରି-କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟ ମ୍ୟାଟ୍‌ ଉପରେ ଖେଳାଯାଇଥିଲା ବେଳେ କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟରୁ ଫାଇନାଲ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ଗୁଡ଼ିକ କ୍ଲବ୍‌ ଦ୍ୱାରା ପ୍ରସ୍ତୁତ ଟର୍ଫ ଓ୍ଵିକେଟ୍‌ରେ ଖେଳାଯିବ। ଏପ୍ରିଲ ୧ ତାରିଖ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ ପାରାମାଉଣ୍ଟ୍‌ (ଏ) ବନାମ ୟୁନିଅନ୍‌ ସ୍ପୋର୍ଟିଂ, ୩ ତାରିଖ ତୃତୀୟ କ୍ୱାର୍ଟର ଫାଇନାଲ୍‌ ପାରାମାଉଣ୍ଟ୍‌ (ବି) ବନାମ ରାମେଶ୍ୱର ସ୍ପୋର୍ଟିଂ ଏବଂ ୪ ତାରିଖ ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ ସହିଦ୍‌ ସ୍ପୋର୍ଟିଂ ଓ ଜୁଭେନାଇଲ୍‌ ଏକାଡେମି ମଧ୍ୟରେ ଖେଳାଯିବ। ଗୁରୁବାର ଟସ୍‌ ଜିତି ବେଙ୍ଗଲ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଝାଡ଼ଖଣ୍ଡ ବୋଲରଙ୍କ ମିଳିତ ଆକ୍ରମଣ ଆଗରେ ତିଷ୍ଠିନପାରି ନିର୍ଧାରିତ ସଂଖ୍ୟାର ପ୍ରାୟ ଅଧା ଓଭର ପୂର୍ବରୁ ବେଙ୍ଗଲ ଦଳ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଝାଡ଼ଖଣ୍ଡ ପକ୍ଷରୁ ସାଓ୍ଵନ୍‌ କୁମାର (୩/୧୬), ସର୍ଫରାଜ ଆଲାମ୍‌ (୨/୬), ରାହୁଲ୍‌ କୁମାର ସ (୨/୧୨) ଏବଂ ରୋହନ ସିହ୍ନା (୨/୨୧) ଚମତ୍କାର ବୋଲିଂ କରି ବେଙ୍ଗଲ ପାଳିକୁ ୨୦.୧ ଓଭରରେ ୮୪ ରନ୍‌ ମଧ୍ୟରେ ସଫା କରିଦେଇଥିଲେ। ବେଙ୍ଗଲ ପକ୍ଷରୁ ଅନିକେତ ଦାସ (୨୯) ଓ ସୁମନ ସେଠୀ (୨୧) କେବଳ ଦୁଇ ଅଙ୍କ ଅତିକ୍ରମ କରିଥିଲେ। ଜବାବରେ ବେଙ୍ଗଲ ସ୍ପିନରମାନେ ଝାଡ଼ଖଣ୍ଡକୁ ଆରମ୍ଭରୁ ଝଟ୍‌କା ଦେଇ ଚାଲିଥିଲେ। ଏପରିକି ଦଳୀୟ ସ୍କୋର୍‌ ୨୫ ବେଳକୁ ୬ ଜଣ ଝାଡ଼ଖଣ୍ଡୀ ବ୍ୟାଟ୍‌ସମ୍ୟାନ୍‌ ପାଭିଲିୟନ୍‌ ଫେରି ଯାଇଥିଲେ। ତେବେ ଅମିତ ଗୁପ୍ତା (୪୭ ବଲ୍‌ରୁ ୩୫, ୪ ଚୌକା, ୨ ଛକା) ଏକାକି ଦୁଇ ଅଙ୍କ ଟପି ଲଢ଼ିଥିଲେ ମଧ୍ୟ ଝାଡ଼ଖଣ୍ଡ ବିଜୟଠୁ ୩ ରନ୍‌ ଦୂରରେ ସୀମିତ ରହିଯାଇଥିଲା। ୩୭.୨ ଓଭରରେ ୮୨ ରନ୍‌ କରି ଦଳ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବିଜୟୀ ବେଙ୍ଗଲ ପକ୍ଷରୁ ସୂରଜ ଯାଦବ ୮ ଓଭରରେ ୪ ରନ୍‌ ଦେଇ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲା ବେଳେ ଆକାଶ ସର୍‌କାର ୨୧ ରନ୍‌ରେ ୨, ଦୀପନ୍‌ ଘୋଷ ୨୧ ରନ୍‌ରେ ୨ ଓ ହର୍ଷ ପାଣ୍ଡେ ୧୭ ରନ୍‌ରେ ୨ ଓ୍ଵିକେଟ୍‌ ଦଖଲ କରିଥିଲେ। ବିଜୟୀ ବେଙ୍ଗଲ ଦଳର ସୂରଜ ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଜେଇଏମ୍‌ ସ୍କୁଲ୍‌ର ଅଧ୍ୟକ୍ଷା ସଂଧ୍ୟା ଜେନା ଅତିଥି ଭାବେ ଯୋଗଦେଇ ସୂରଜଙ୍କୁ ପୁରସ୍କୃତ କରିଥିଲେ। ପ୍ରଦୀପ ଜେନା ଓ ଅଜୟ ନାୟକ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ମହମ୍ମଦ ଆଜାଦ୍‌ ମ୍ୟାଚ୍‌ ରେଫରି ରହିଥିଲେ।

ସମ୍ବନ୍ଧିତ ଖବର