ବେନ୍‌ ଷ୍ଟୋକ୍ସ ଇଂଲଣ୍ଡର ନୂଆ ଟେଷ୍ଟ୍ ଅଧିନାୟକ

ଲଣ୍ଡନ୍‌: ଗତ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ର ନାୟକ ବେନ୍‌ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଟେଷ୍ଟ୍ ଦଳର ନୂଆ ଅଧିନାୟକ ନିଯୁକ୍ତ କରାଯାଇଛି। ଗୁରୁବାର ଇଂଲଣ୍ଡ୍ ଆଣ୍ଡ୍ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଏହି ଘୋଷଣା କରିଛି। ‘‘ଷ୍ଟୋକ୍ସ ଏଭଳି ଦାୟିତ୍ବ ଓ ସମ୍ମାନକୁ ଗ୍ରହଣ କରିଥିବାରୁ ମୁଁ ଉଲ୍ଲସିତ। ସେ ଏହି ସୁଯୋଗ ପାଇଁ ଅତ୍ୟନ୍ତ ହକ୍‌ଦାର’ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଇସିବି ପରିଚାଳନା ନିର୍ଦେଶକ ରବ୍ କି। ବେନ୍‌ଙ୍କୁ ଟେଷ୍ଟ୍ ଅଧିନାୟକ ସମର୍ପଣ କରିବାକୁ ମୁଁ କୌଣସି ଦ୍ବିବିଧାରେ ପଡ଼ିନଥିଲି ବୋଲି ପ୍ରକାଶ କରିଥ‌ିଲେ ଏହି ପୂର୍ବତନ କ୍ରିକେଟର୍‌। ‌ଦେଶର ଲାଲ୍ ବଲ୍ କ୍ରିକେଟକୁ ପରବର୍ତୀ ସ୍ତରକୁ‌ ନେବାକୁ ସେ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ବୋଲି ମଧ୍ୟ ରବ୍‌ କହିଥିଲେ। ୩୦ ବର୍ଷୀୟ ଷ୍ଟୋକ୍ସ ଇଂଲଣ୍ଡ ପାଇଁ ୭୯ ଟେଷ୍ଟ୍ ଖେଳି ୫,୦୦୦ରୁ ଊର୍ଧ୍ବ ରନ୍‌ ସଂଗ୍ରହ କରିବା ସହ ୧୭୪ ୱିକେଟ୍‌ ମଧ୍ୟ ନେଇଛନ୍ତି। ବିଶ୍ବ କ୍ରିକେଟର୍‌ ଅନ୍ୟତମ ସଫଳ ଅଲରାଉଣ୍ଡର୍‌ ଭାବେ ମଧ୍ୟ ବେନ୍ ‌ଷ୍ଟୋକ୍ସ ପରିଚିତ। ଇଂଲଣ୍ଡ ପୁରୁଷ କ୍ରିକେଟ୍‌ ଦଳ ଗତ ଆସେସ୍‌ ଶୃଙ୍ଖଳାରେ ଅଷ୍ଟ୍ରେଲିଆଠୁ ୦-୪ରେ ଏବଂ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୦-୧ରେ ପରାସ୍ତ ହେବା ପରେ ଜୋ ରୁଟ୍‌ ଅଧିନାୟକ ପଦ ଛାଡ଼ି ଦେଇଥିଲେ। ଜୁନ୍‌ ମାସରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଘରୋଇ ଶୃଙ୍ଖଳାରୁ ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ବ କାଳ ଆରମ୍ଭ ହେବ।

ସମ୍ବନ୍ଧିତ ଖବର