କ୍ରିକେଟ୍‌ରୁ ବେଣୁଗୋପାଳଙ୍କ ଅବସର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ତଥା ଆନ୍ଧ୍ର ପ୍ରଦେଶ ରଣଜୀ ଦଳର ଅଧିନାୟକ ବେଣୁଗୋପାଳ ରାଓ ମଙ୍ଗଳବାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷ ବୟସ୍କ ବେଣୁଗୋପାଳ ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ‌ବୋଲି ଆନ୍ଧ୍ର କ୍ରିକେଟ୍‌ ସଂଘ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି। ସେ ଭାରତ ପାଇଁ ୧୬ ଦିନିକିଆ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳିଥିଲା ବେଳେ ଡେକାନ୍‌ ଚାର୍ଜର୍ସ ଓ ସନ୍‌ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୬୫ ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି। ବିଶାଖାପାଟଣାର ଏହି କ୍ରିକେଟର୍‌ ୨୦୦୫ ଜୁଲାଇ ୩୦ ତାରିଖରେ ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳି ଭାରତ ପକ୍ଷରୁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ଠିକ୍‌ ୧୫ ବର୍ଷ ପରେ ସମାନ ମାସ ଓ ତାରିଖରେ ବେଣୁ ଅବସର ଘୋଷଣା କରିଛନ୍ତି। ସେ ଦିନିକିଆରେ ୧୧ ପାଳି ଖେଳି ମାତ୍ର ୨୧୮ ରନ୍‌ ନିଜ ନାମରେ ରଖିଛନ୍ତି। ୨୦୦୬ ମେ’ ୨୩ ତାରିଖରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ବାସେତାରେଠାରେ ବେଣୁ ନିଜର ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଏହା ବ୍ୟତୀତ ବେଣୁ ୧୨୧ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୭୦୮୧ ରନ୍‌ କରିଛନ୍ତି। ଯେଉଁଥିରେ ୧୭ ଶତକ ଓ ୩୦ ଅର୍ଧଶତକ ସାମିଲ ରହିଛି। ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ସେ ଡେକାନ୍‌ ଚାର୍ଜର୍ସ ଏବଂ ସନ୍‌ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲ୍‌ରେ ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର