ଭୁବନେଶ୍ବର: ଜର୍ମାନିର ବର୍ଲିନରେ ଚାଲିଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନା ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ କଳ୍ପନା ୫:୪୨.୪୨ ସମୟ ସହିତ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି ଶିବାନୀ (୫:୨୨.୪୧) ସ୍ବର୍ଣ୍ଣ ଏବଂ କୋଷ୍ଟାରିକାର ଆନା ଜୁମ୍ବାଦୋ (୫:୪୬.୬୩) କାଂସ୍ୟ ପଦକ ଜିତିଥିଲେ। ଆଠଗଡ଼ ଜିଲ୍ଲାର ରେଗେଡ଼ାପଡ଼ା ଗାଁର ଏକ ଆର୍ଥିକ ଅନଗ୍ରସର ଜିଲ୍ଲାରୁ ଆସିଥିବା କଳ୍ପନାଙ୍କ ପିତା ଗଦାଧର ଓ ଗୀତାଞ୍ଜଳି ଜେନା କୃଷିକାର୍ଯ୍ୟ କରିଥାନ୍ତି। ୨୦୧୯ରେ ଆଠଗଡ଼ର ବିଭିଏମଏମଏମଆରବିଟି ଅନୁଷ୍ଠାନରେ କଳ୍ପନା ସାମିଲ ହେବା ସହ ବ୍ୟାଡମିଣ୍ଟନ୍, ଆଥଲେଟିକ୍ସ, ଫ୍ଲୋରବଲ୍ ଶିଖିଥିଲେ। କିନ୍ତୁ ଏକାଧିକ ଥର ଜାତୀୟ ବିଜେତା ହୋଇଥିବା ଝାଡ଼ଖଣ୍ଡର ସତବୀର ସିଂହ ସାହୋତାଙ୍କ ଅଧିନରେ ସନ୍ତରଣ ଶିଖିଥିଲେ। ବିଶ୍ବ କ୍ରୀଡ଼ା ପାଇଁ ମନୋନୀତ ହେବା ପୂର୍ବରୁ ପ୍ରଶିକ୍ଷକ ବିବେକାନନ୍ଦ ମହାନ୍ତିଙ୍କ ଅଧିନରେ ଅଭ୍ୟାସ କରିଥିଲେ। ଏପରିକି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଏକ ରେସିଂ ସାଇକେଲ୍ ପ୍ରଦାନ କରି କଳ୍ପନାଙ୍କୁ ଉତ୍ସାହିତ କରିଥିଲେ। ବର୍ଲିନ ଯାତ୍ରା ପୂର୍ବରୁ କଳ୍ପନା ରାଜ୍ୟର ସାଇକ୍ଲିଂ କିଂବଦନ୍ତି ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ମିନତି ମହାପାତ୍ରଙ୍କୁ ଭେଟିଥିଲେ। ଏସବୁର ସୁଫଳ ଏବେ ମିଳିବା ଆରମ୍ଭ ହୋଇଛି। କଳ୍ପନାଙ୍କ ନିକଟକୁ ଏବେ ଅଭିନନ୍ଦନର ସୁଅ ଛୁଟିଛି। ଏସ୍ଓବି ଓଡ଼ିଶାର ସଭାପତି କସ୍ତୁରୀ ମହାପାତ୍ର, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର, ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ, ବିଆର୍ଏମ୍-ଆଶା ଉପ ସଭାପତ ପ୍ରଦୀପ୍ତ ରଥ, ଅନ୍ତର୍ଜାତୀୟ ଦୃଷ୍ଟିବାଧକ କ୍ରିକେଟର୍ ମହମ୍ମଦ ଜାଫର ଇକବାଲ୍, କିଟ୍ ବିଶ୍ବବିଦ୍ୟାଳୟ କ୍ରୀଡ଼ା ବିଭାଗ ମହାପ୍ରବଂଧକ ଗଗନେନ୍ଦୁ ଦାଶ ପ୍ରମୁଖ କଳ୍ପନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଭାରତ ପଦକ ୫୦ ଟପିଲା
ବର୍ଲିନରେ ଜୁନ୍ ୧୭ ତାରିଖରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବୁଧବାର ପଞ୍ଚମ ଦିବସ ସୁଦ୍ଧା ଭାରତ ୫୫ ପଦକ ଜିତି ନେଇଛି। ଏହା ମଧ୍ୟରେ ୧୫ ସ୍ବର୍ଣ୍ଣ ପଦକ ସହ ୨୭ ରୌପ୍ୟ ଓ ୧୩ କାଂସ୍ୟ ପଦକ ସାମିଲ ଅଛି। ଏହି ୫୫ ପଦକ ଭାରତକୁ ଆଥଲେଟିକ୍ସ, ସାଇକ୍ଲିଂ, ରୋଲର୍ ସ୍କେଟିଂ, ଶକ୍ତିଉତ୍ତୋଳନ ଓ ସନ୍ତରଣରୁ ମିଳିଛି।
ଟିକ୍ରାପଡ଼ା/ଭୁବନେଶ୍ବର: ଜର୍ମାନୀର ରାଜଧାନୀ ବର୍ଲିନଠାରେ ଚାଲିଥିବା ସ୍ବତନ୍ତ୍ର ବିଶ୍ବ ଅଲିମ୍ପିକ୍ସରେ ବଲାଙ୍ଗୀର ଜିଲ୍ଲା ସଇନ୍ତଳାସ୍ଥିତ ଆର୍ଏସ୍ଡି ସ୍ବତନ୍ତ୍ର ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୈଷ୍ଣବ ରାଜପଲିଆ ଗୁରୁବାର ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସଟ୍ପୁଟ୍ ଥ୍ରୋରେ ଏହି ସଫଳତା ପାଇଛନ୍ତି। ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍ ଟିକ୍ରାପଡ଼ାର ଭୁବନ ରାଜପଲିଆଙ୍କ ଏକମାତ୍ର ଭିନ୍ନକ୍ଷମ ପୁଅ ବୈଷ୍ଣବ ଗତ ଜୁନ୍ ୪ ତାରିଖ ଦିନ ସ୍ବତନ୍ତ୍ର ଅଲିମ୍ପିକ୍ରେ ଭାଗନେବାକୁ ବର୍ଲିନ ଯାତ୍ରା କରିଥିଲେ। ତାଙ୍କର ଏହି ସଫଳତା ସଂପର୍କରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସମାନ ସଟ୍ପୁଟ୍ ଇଭେଣ୍ଟର ବାଳିକା ବର୍ଗରେ ଓଡ଼ିଆ ଝିଅ ଅରିଦିତା ଚକ୍ରବର୍ତ୍ତୀ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ଅରିଦିତା ଭୁବନେଶ୍ବରର ବୋଲି ଜଣାପଡ଼ିଛି।