ଭୁବନେଶ୍ୱରରେ ହେବ ରାଜ୍ୟର ସର୍ବୋକୃଷ୍ଟ ବ୍ୟାଡମିଣ୍ଟନ ଏକାଡେମି

ଖର୍ଚ୍ଚ ହେବ ୪ କୋଟି, ପ୍ରଶିକ୍ଷଣ ଦେବେ ଇଣ୍ଡୋନେସିଆ ପ୍ରଶିକ୍ଷକ ନବାଗତ ଓ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବ ପ୍ରଦୀପ ଫାଉଣ୍ଡେସନ୍‌

କଟକ: ଭୁବନେଶ୍ୱରସ୍ଥିତ ପୁରୀ ବାଏପାସ୍‌ ରୋଡ୍‌ରେ ରାଜ୍ୟର ସର୍ବୋକୃଷ୍ଟ ବ୍ୟାଡମିଣ୍ଟନ ଏକାଡେମି ଖୋଲାଯିବ। ସେଥିରେ ୧୬ ଅଭ୍ୟାସ କୋର୍ଟ ରହିବ। ଏଥିସହିତ ଜିମ୍ନାସିୟମ୍‌, ସୁଇମିଂ ପୁଲ୍‌, ଖେଳାଳି ଓ ପ୍ରଶିକ୍ଷକଙ୍କ ରହିବା ପାଇଁ ଫ୍ଲାଟ୍‌ ନିର୍ମାଣ କରାଯିବ। ଏଭଳି ଏକ ପ୍ରକଳ୍ପ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ପ୍ରଦୀପ କୁମାର ମହାନ୍ତିଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏହି ଏକାଡେମି ନିର୍ମାଣ କରାଯିବାକୁ ଯୋଜନା ରହିଛି। ଏଥିପାଇଁ ପ୍ରଦୀପ ଫାଉଣ୍ଡେସନ୍‌ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପାଇଁ ଇଣ୍ଡୋନେସିଆ ଏକାଡେମି ସହିତ ପ୍ରଦୀପ ଫାଉଣ୍ଡେସନ୍‌ର ବୁଝାମଣା କରାଯାଇଥିବା ସୂଚନା ଦିଆଯାଇଛି। ତୃଣମୂଳସ୍ତରରୁ ରାଜ୍ୟର ଖେଳାଳିମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ଆନ୍ତର୍ଜାତିକ ମାନର ପ୍ରଶିକ୍ଷଣ ଦେବା ଲକ୍ଷ୍ୟରେ ଏକାଡେମିର ପରିକଳ୍ପନା କରାଯାଇଥିବା କୁହାଯାଇଛି। ବର୍ତ୍ତମାନ ରାଜ୍ୟ ସଂଘ ସ୍ୱୀକୃତିପ୍ରାପ୍ତ ତିନିଟି ବ୍ୟାଡମିଣ୍ଟନ ଏକାଡେମି ଓଡ଼ିଶାରେ ରହିଛି। ସମ୍ବଲପୁର ଷ୍ଟାଡିୟମ ପରିସରରେ ୩ କୋର୍ଟ ବିଶିଷ୍ଟ ଏକାଡେମି ରହିଥିଲା ବେଳେ ବାରିପଦାରେ ୪ କୋର୍ଟ ବିଶିଷ୍ଟ ଏକାଡେମୀ କାର୍ଯ୍ୟ କରୁଛି। ବର୍ତ୍ତମାନ ବଡ଼ବିଲ୍‌ଠାରେ ୩ କୋର୍ଟ ବିଶିଷ୍ଟ ଏକାଡେମିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଏକାଡେମି ଗୁଡ଼ିକରେ ସ୍ଥାନୀୟ ପ୍ରତିଭାଙ୍କୁ ତାଲିମ ଦିଆଯିବ। ଏଠାରେ ଯେଉଁମାନେ ଉନ୍ନତ ପ୍ରଦର୍ଶନ କରିବେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ପ୍ରସ୍ତାବିତ ଏକାଡେମିରେ ତାଲିମ ଦିଆଯିବ। ଭାରତୀୟ ବ୍ୟାଡମିଣ୍ଟନ ସଂଘର ସହଯୋଗକ୍ରମେ ଇଣ୍ଡୋନେସିଆ ଏକାଡେମିର ପ୍ରଶିକ୍ଷକମାନେ ଓଡ଼ିଶା ଆସି ତାଲିମ ପ୍ରଦାନ କରିବେ। ସବୁକିଛି ଠିକ୍‌ଠାକ୍‌ ଚାଲିଲେ ଆଗକୁ ଏକାଧିକ ବିଦେଶୀ ପ୍ରଶିକ୍ଷକ ଏଠାରେ ପ୍ରତିଭାବାନ୍‌ ଖେଳାଳିଙ୍କୁ ବୈଷୟିକ ପରାମର୍ଶ ଓ ତାଲିମ ଦେବେ ବୋଲି ପ୍ରଦୀପ କହିଛନ୍ତି। ତେବେ ପ୍ରସ୍ତାବିତ ଏକାଡେମି ପାଇଁ ପ୍ରାୟ ୫ ଏକର ଜମି ଆବଶ୍ୟକ ହେଉଥିବା ବେଳେ ପ୍ରାୟ ୪ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କୁହାଯାଇଛି। ଏସମ୍ପର୍କିତ ସବିଶେଷ ବିବରଣୀ ରାଜ୍ୟ କ୍ରୀଡ଼ା ବିଭାଗକୁ ପ୍ରଦାନ କରାଯାଇଛି। ଏବେ ଆଲୋଚନାସ୍ଥିତିରେ ସବୁକିଛି ଥିବାବେଳେ ସରକାର ଜମି ଯୋଗାଇ ଦେଲେ ତାହାକୁ କ୍ରୀଡ଼ାର ବିକାଶ ଦିଗରେ ବିନିଯୋଗ କରାଯିବ ବୋଲି କୁହାଯାଇଛି।

ବର୍ତ୍ତମାନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଖେଳାଳିମାନଙ୍କ ମଧ୍ୟରେ ଭରପୂର ପ୍ରତିଭା ଦେଖିବାକୁ ମିଳୁଛି। କେବଳ ସେମାନଙ୍କୁ ବୈଷୟିକ କ୍ଷେତ୍ରରେ ଆହୁରି ମଜବୁତ୍‌ କରିପାରିଲେ ଓଡ଼ିଶାରୁ ମଧ୍ୟ ଆନ୍ତର୍ଜାତିକ ଖେଳାଳି ବାହାରି ପାରିବେ। ଏଥିପାଇଁ ସେମାନଙ୍କୁ ଭଲ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ହେବ। ଏକାଡେମି ଖୋଲିବା ପରେ ପ୍ରାୟୋଜକ ଯୋଗାଡ଼ କରାଯାଇ ନବାଗତମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ଯୋଜନା ରହିଥିବା ସେ କହିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ ସଂଘର ଯୁଗ୍ମ ସମ୍ପାଦକ ଥିବା ପ୍ରଦୀପ ଗତବର୍ଷ ‘ସଟଲ୍‌ ଟାଇମ୍ସ’ ନାମରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକମାନଙ୍କୁ ବ୍ୟାଡମିଣ୍ଟନ ପ୍ରଶିକ୍ଷଣର ତାଲିମ୍‌ ପ୍ରଦାନ କରିଥିଲେ। ରାଉରକେଲା, ସମ୍ବଲପୁର ଓ ବାରିପଦାଠାରେ ହୋଇଥିବା ସଟଲ୍‌ ଟାଇମ୍ସରେ ଶ୍ରୀଲଙ୍କାର ଜାତୀୟ ପ୍ରଶିକ୍ଷକ ପ୍ରଦୀପ କୁମାର ତାଲମ୍‌ ଦେଇଥିଲେ। ଚଳିତ ବର୍ଷ ଜୁନ୍‌ କିମ୍ବା ଜୁଲାଇ ବେଳକୁ ଭାରତର କିଛି ଆନ୍ତର୍ଜାତିକ ଖେଳାଳିଙ୍କୁ ଓଡ଼ିଶା ଅଣାଯାଇ ବିଦ୍ୟାଳୟସ୍ତରରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ମ୍ୟାଚ୍‌ର ଆୟୋଜନ ପାଇଁ ଚିନ୍ତା କରାଯାଉଛି। ତୃଣମୂଳସ୍ତରରୁ ବ୍ୟାଡମିଣ୍ଟନରେ ପାରଦର୍ଶିତା ପାଇଁ ଏହି କାର୍ଯ୍ୟକ୍ରମ ସେମାନଙ୍କୁ ପ୍ରେରଣା ଯୋଗାଇବ। ରାଜ୍ୟରେ ଅନେକ ପଂଜୀକୃତ ଖେଳାଳି ଖେଳୁଥିଲେ ବି ଆନ୍ତର୍ଜାତିକସ୍ତରକୁ କେହି ଆସିପାରୁନାହାନ୍ତି। ତେଣୁ ଏକାଡେମି ଖୋଲାଯିବା ପରେ ସେଠାରେ ବର୍ଷତମାମ୍‌ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ଆନ୍ତର୍ଜାତିକ ମାନର ଖେଳାଳିଭାବେ ଗଢାଯିବ ବୋଲି ପ୍ରଦୀପ କହିଛନ୍ତି।

ସମ୍ବନ୍ଧିତ ଖବର