ନୂଆଦିଲ୍ଲୀ: ୨୦୨୦ରେ ମହାମାରୀ କରୋନା କ୍ରିକେଟ୍‌ ଏବଂ ଅନ୍ୟ କ୍ରୀଡ଼ାଗୁଡ଼ିକ ଉପରେ ବଡ଼ ପ୍ରଭାବ ପକାଇଥିଲା। ବହୁ ପ୍ରତିଯୋଗିତା ବାତିଲ ସ୍ଥଗିତ ଏବଂ ବାତିଲ ହୋଇଥିଲା। ପ୍ରଶଂସକଙ୍କଠୁ ଆରମ୍ଭ କରି ଖେଳାଳି ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହୋଇଥିଲେ। ହେଲେ ୨୦୨୧ କିଛିଟା ଅଲଗା ରହିଥିଲା। କଠୋର କଟକଣା ଏବଂ ଜୈବ ବଳୟରେ ମ୍ୟାଚ୍‌ ଖେଳାଯାଇଥିଲା। କିଛି ଉଚ୍ଚସ୍ତରୀୟ ଦ୍ବିପାକ୍ଷିକ ଶୃଙ୍ଖଳା ସହ ଆଇସିସି ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଓ ଟି-୨୦ ବିଶ୍ବକପ୍‌ ଭଳି ଦୁଇଟି ବଡ଼ ପ୍ରତିଯୋଗିତା ୨୦୨୧ରେ ଆୟୋଜିତ ହୋଇଥିଲା। ଜୈବ ବଳୟରେ କିଛି ଖେଳାଳି ଆଶାଠୁ ଭଲ ପ୍ରଦର୍ଶନ ଦେଇଥିଲେ। ସଂପ୍ରତି ଚାଲିଥିବା ମହାମାରୀ ସମୟରେ କ୍ରିକେଟ୍‌ର ସବୁ ଫର୍ମାଟ୍‌ (ଡିସେମ୍ବର ୨୦ ତାରିଖ ମଧ୍ୟରେ)ରେ ଶ୍ରେଷ୍ଠ ଦେଇଥିବା ୫ କ୍ରିକେଟ୍‌ ତାରକାଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା।

Advertisment

ଜୋ ରୁଟ୍‌ (ଇଂଲଣ୍ଡ)
ଏହି ବର୍ଷ ରନ୍‌ ବର୍ଷା କରିଥିଲେ ଇଂଲଣ୍ଡ ଅଧିନାୟକ ‌ଜୋ ରୁଟ୍‌। ଟେଷ୍ଟ୍‌ କ୍ରିକେଟ୍‌ରେ ତାଙ୍କୁ କେତେକ ରନ୍‌ ମେସିନ୍‌ ଭାବେ ସମ୍ବୋଧିତ କରିଥିଲେ। ୩୦ ବର୍ଷୀୟ ରୁଟ୍‌ ୧୪ ଟେଷ୍ଟ୍‌ ଖେଳି ୧୬୩୦ ରନ୍‌ କରିବା ସହ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ କରିବାରେ ସେ ପାକିସ୍ତାନର ମହମ୍ମଦ ୟୁସୁଫ (୧୭୮୮ ରନ୍‌, ୨୦୦୬), ୱେଷ୍ଟ୍‌ଇଣ୍ଡିଜ୍‌ର ଭିଭିଆନ୍‌ ରିଚାର୍ଡ୍ସ (୧୭୧୦ ରନ୍‌, ୧୯୭୬), ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ୍‌ (୧୬୫୬ ରନ୍‌, ୨୦୦୮)ଙ୍କ ପରେ ଚତୁର୍ଥ ବ୍ୟାଟର୍‌ ହୋଇଥିଲେ। ବକ୍ସିଂ ଡେ ଟେଷ୍ଟ୍‌ ପୂର୍ବରୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ ସଂଗ୍ରହକାରୀଙ୍କଠୁ ୧୫୯ ରନ୍‌ ପଛରେ ରହିଛନ୍ତି। ସେ ମେଲ୍‌ବର୍ଣ୍ଣ ଟେଷ୍ଟ‌୍‌‌ର ପ୍ରଥମ ପାଳିରେ ୫୦ ରନ୍‌ କରିଥିବାରୁ ଏବେ ୧୦୯ ରନ୍‌‌ ପଛରେ ରହିଛନ୍ତି। ବକ୍ସିଂ ଡେ’ ଟେ‌ଷ୍ଟ୍‌ ପୂର୍ବରୁ ‌ରୁଟ୍‌ ଚଳିତ ବର୍ଷ ୬ ଶତକ ଓ ୩ ଅର୍ଦ୍ଧଶତକ ସହ ୬୨.୬୯ ହାରାହାରିରେ ରନ୍‌ ସଂଗ୍ରହ କରିଛନ୍ତି। ସେ ମଧ୍ୟ ଚଳିତ ବର୍ଷ ୨ଟି ଦ୍ବିଶତକ ମାରିଥିଲେ। ‌ରୁଟ୍‌ ଚେନ୍ନାଇରେ ଭାରତ ବିପକ୍ଷରେ ଖେଳି ୧୦୦ ଅନ୍ତର୍ଜାତୀୟ ଟେ‌ଷ୍ଟ୍‌ ଖେଳିବାର ମାଇଲଖୁଣ୍ଟ ଛୁଇଁଥିଲେ। ବ୍ୟକ୍ତିଗତ ସଫଳତା ପାଇଥିଲେ ମଧ୍ୟ ଇଂଲଣ୍ଡ ଅଧିନାୟକ ଭାବେ ତାଙ୍କର ବର୍ଷ ଭଲ ଯାଇନଥିଲା।

ଡେଭିଡ ୱାର୍ଣ୍ଣର (ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ଭାରତ ବିପକ୍ଷ‌ ଟେଷ୍ଟ୍‌ ଶୃଙ୍ଖଳାରେ ୫, ୧୩, ୧ ଓ ୪୮ ରନ୍‌ କରି ୨୦୨୧ ଆରମ୍ଭ କରିଥିଲେ। ଆଇପିଏଲ୍‌ରେ ତାଙ୍କ ନେତୃତ୍ବାଧୀନ ହାଇଦ୍ରାବାଦ ପ୍ରଥମ ୬ ମ୍ୟାଚ୍‌ରେ ଗୋଟିଏ ବିଜୟ ପାଇଥିଲା। ଫଳରେ ୱାର୍ଣ୍ଣରଙ୍କୁ ଅଧିନାୟକ ପଦ ହରାଇବାକୁ ପଡ଼ିଥିଲା। ଆଇପିଏଲ୍‌ର ଦ୍ବିତୀୟ ଚରଣରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଥିଲା। କିନ୍ତୁ ଟି-୨୦ ବିଶ୍ବକପ୍‌‌ରେ ୩୫ ବର୍ଷୀୟ ୱ‌ାର୍ଣ୍ଣର (୨୮୯ ରନ୍‌) ଚାମ୍ପିଅନ୍‌ ଭଳି ପ୍ରତ୍ୟାବର୍ତ୍ତନ କରି ପାକିସ୍ତାନର ବାବର ଆଜମ (୩୦୩ ରନ୍‌)ଙ୍କ ପରେ ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ। ସେ ପ୍ରତିଯୋଗିତାର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହେବା ସହ ଅଷ୍ଟ୍ରେଲିଆକୁ ପ୍ରଥମ ଟି-୨୦ ବିଶ୍ବକପ୍‌ ଭେଟି ଦେଇଥିଲେ। ଏହି ବି‌ଶ୍ବକପ୍‌ରେ ସେ ୪୮ ହାରାହାରି ଏବଂ ୧୪୬ରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲେ। ସଂପ୍ରତି ଚାଲିଥିବା ଆସେସ୍‌ରେ ସେ ବକ୍ସିଂ ଡେ ଟେଷ୍ଟ୍‌ ପୂର୍ବରୁ ୩ ପାଳିରେ ୨୦୨ (୯୪, ୯୫, ୧୩) ରନ୍‌ କରିସାରିଲେଣି।

ରବିଚନ୍ଦ୍ରନ ଅଶ୍ବିନ (ଭାରତ)
ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ୨୦୨୧ ଭଲ ରହିଥିଲା। ସେ ଏହି ବର୍ଷ ଅନେକ ସ୍ମରଣୀୟ ମାଇଲଖୁଣ୍ଟ ଛୁଇଁବା ସହ ଲମ୍ବା ଫର୍ମାଟ୍‌ରେ ମଧ୍ୟ ଅବିଶ୍ବସନୀୟ ପ୍ରଦର୍ଶନ ଦେଇଥିଲେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଟେଷ୍ଟ୍‌ ବୋଲର ୮ ମ୍ୟାଚ୍‌ ଖେଳି ୧୬.୩ ହାରରେ ୫୨ ୱିକେଟ୍‌ ଦଖଲ କରି ଚଳିତ ବର୍ଷର ସର୍ବାଧିକ ୱିକେଟ୍‌ ହାସଲକାରୀଙ୍କ ମଧ୍ୟରେ ଆଗରେ ରହିଛନ୍ତି। ଏଥିରେ ୩ଟି ୫ ୱିକେଟ୍‌ ସଫଳତା ରହିଛି। ସେ ମଧ୍ୟ ଚଳିତ ବର୍ଷ ହରଭଜନ ସିଂହ (୪୧୭ ୱିକେଟ୍‌)ଙ୍କୁ ପଛରେ ପକାଇ ଭାରତୀୟ ଭାବେ ସର୍ବାଧିକ ୱିକେଟ୍‌ ଦଖଲକାରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ୪ ବର୍ଷର ବ୍ୟବଧାନ‌ ପରେ ୩୫ ବର୍ଷୀୟ ଅଶ୍ବିନ ଟି-୨୦ ଫର୍ମାଟକୁ ଫେରିଥିଲେ। ‌ତାଙ୍କୁ ଚଳିତ ବର୍ଷ ଟି-୨୦ ବିଶ୍ବକପ୍‌ରେ ବ୍ଲୁ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଅଶ୍ବିନଙ୍କ ବ୍ୟାଟ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୨୮ରୁ ଅଧିକ ହାରରେ ୩୩୭ ରନ୍‌ କରିଥିଲେ। ସିଡ୍‌ନିରେ ଗୁରୁତ୍ବପୂର୍ଣ୍ଣ ଅପରାଜିତ ୩୯ ରନ୍‌ ଏବଂ ଚେନ୍ନାଇରେ ୧୦୬ ରନ୍‌ ଚଳିତ ୨୦୨୧ର ପ୍ରମୁଖ ଥିଲା। ସେ ମଧ୍ୟ ଟେଷ୍ଟ୍‌ ଅଲ୍‌ରାଉଣ୍ଡର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ରୋହିତ ଶର୍ମା (ଭାରତ)
ଭାରତୀୟ ଓପନର୍‌ ରୋହିତ ଶର୍ମାଙ୍କ ୨୦୨୧ ଅନ୍ତର୍ଜାତୀୟ ପ୍ରଦର୍ଶନ ଚମତ୍କାର ରହିଥିଲା। ଅଷ୍ଟ୍ରେଲିଆ, ଘରେ ଏବଂ ଇଂଲଣ୍ଡରେ ରୋହିତଙ୍କ ବ୍ୟାଟ୍‌ ଚାଲିଥିଲା। ରୋହିତଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଆଇପିଏଲ୍‌ ପ୍ଲେ ଅଫ୍‌ ଯୋଗ୍ୟତା ଅର୍ଜନ କରିପାରିନଥିଲା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଟି-୨୦ ବିଶ୍ବକପ୍‌ରୁ ଭାରତ ବିଦା ହୋଇଥିଲା। କିନ୍ତୁ ଲମ୍ବା ଫର୍ମାଟ୍‌ରେ ରୋହିତ ୧୧ ମ୍ୟାଚ୍‌ ଖେଳି ୪୭.୬୮ ହାରରେ ୯୦୬ ରନ୍‌ ସଂଗ୍ରହ କରିଥିଲେ। ସେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମାଟିରେ ୪ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଓପନିଂରେ ରୋହିତଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ‌ଘରୋଇ ମାଟିରେ ବିଜୟ ପାଇଥିଲା। ଏହି ବର୍ଷ ରୋହିତ ସୀମିତ ଓଭର ଅଧିନାୟକ ଭାର ନେଇଥିଲେ।

ମହମ୍ମଦ ରିଜୱାନ (ପାକିସ୍ତାନ)
ପାକିସ୍ତାନର ମହମ୍ମଦ ରିଜୱାନ ସବୁଠୁ ଛୋଟ ଫର୍ମାଟ୍‌ରେ ଛାପ ଛାଡ଼ିଥିଲେ। ପୂର୍ବରୁ ୨୬ ଟି-୨୦ ଖେଳି ୩୧୩ ରନ୍‌ କରିଥିବା ରିଜୱାନ ଚଳିତ ବର୍ଷ ୨୯ ମ୍ୟାଚ୍‌ ଖେଳି ୭୩ ହାରରେ ୧୩୨୬ ରନ୍‌ ସଂଗ୍ରହ କରିଥିଲେ। ଯାହା ୨୦୨୧ର ସର୍ବାଧିକ। ସେ ଏକାକି ପାକିସ୍ତାନକୁ ଅନେକ ବିଜୟ ଦେଇଥିଲେ। ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଦଳକୁ ପହଞ୍ଚାଇବାରେ ତାଙ୍କ ଅବଦାନ ଅଧିକ ରହିଥିଲା। ଚଳିତ ବର୍ଷ ଟି-୨୦ରେ ସେ ୧୩୪.୮୯ ଷ୍ଟ୍ରାଇକ୍‌ରେଟ୍‌ ସହ ଗୋଟିଏ ଶତକ ଏବଂ ୧୨ ଅର୍ଦ୍ଧଶତକ ମାରିଥିଲେ। ଟି-୨୦ କ୍ୟାଲେଣ୍ଡର ବର୍ଷ (ଅନ୍ତର୍ଜାତୀୟ, ଘରୋଇ, ଫ୍ରାଞ୍ଚାଇଜ୍‌ ଓ ଅନ୍ୟାନ୍ୟ)ରେ ୨୦୦୦ ରନ୍‌ ଅଧିକ ରନ୍‌ କରିବାରେ ରିଜୱାନ୍‌ (୨୦୩୬ ରନ୍‌) ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି।