ଶ୍ରେଷ୍ଠ ଭାରତୀୟ ଧାବିକା: ଦୂତି ଚାନ୍ଦ, କମଲଜିତ ସାନ୍ଧୁ

ଜାତୀୟ ଓ ଅନ୍ତର୍ଜାତୀୟ ଦୌଡ଼ ଦୃଶ୍ୟପଟ୍ଟର ଚର୍ଚିତ ଚେହେରା ଦୂତି ଚାନ୍ଦ। ୧୦୦ ଓ ୨୦୦ ମିଟରରେ ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରି ବରିଷ୍ଠ ବର୍ଗରେ ବି ଏବେ ବିଜେତା ଅଛନ୍ତି ଏବଂ ଜାତୀୟ କୀର୍ତ୍ତିମାନକୁ ବାରମ୍ବାର ଭାଙ୍ଗି ଏବେ ଏହାର ଅଧିକାରିଣୀ (୧୧.୨୨ ସେକେଣ୍ଡ୍‌, ରାଞ୍ଚି, ୨୦୧୯) ରହିଛନ୍ତି। ୨୦୧୬ ମସିହା‌ରେ ନିଜ ରାଜ୍ୟ (ଓଡ଼ିଶା)ର ରଚିତା ପଣ୍ଡା ମିସ୍ତ୍ରୀଙ୍କ (୧୧.୩୮ ସେକେଣ୍ଡ୍‌) କୀର୍ତ୍ତିମାନକୁ ଭାଙ୍ଗିବା ପରଠାରୁ ଦୂତି ଆଉ ପଛକୁ ଫେରି ଚାହିଁନାହାନ୍ତି। ଦେଶର ଶ୍ରେଷ୍ଠ ଧାବିକା ହେବାର ଗୌରବ ସହିତ ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ୧୦୦ ଓ ୨୦୦ ମିଟର୍‌ରେ ଏସୀୟ କ୍ରୀଡ଼ା (ରୌପ୍ୟ, ଜାକର୍ତ୍ତା, ୨୦୧୮) ପଦକ ହାସଲ କରିଥିଲେ। ୨୪ ବର୍ଷୀୟା ଦୂତି ଏସୀୟ ଦୌଡ଼କୁଦରୁ ୫ କାଂସ୍ୟ (୨୦୧୩ ପୁନେ, ୨୦୧୭ ଭୁବନେଶ୍ବର, ୨୦୧୯ ଦୋହା) ଏବଂ ଦୁଇଟି ଦକ୍ଷିଣ ଏସୀୟ କ୍ରୀଡ଼ା (୨୦୧୬, ‌ଗୁଆହାଟୀ) ପଦକ ଜିତିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ।

କମଲଜିତ ସାନ୍ଧୁ
ପିଟି ଉଷାଙ୍କ ପୂର୍ବରୁ କମଲଜିତ ସାନ୍ଧୁ ଥିଲେ ଭାରତୀୟ ମହିଳା ଦୌଡ଼କୁଦ ଜଗତର ପୋଷ୍ଟର ଗର୍ଲ। ପଞ୍ଜାବର ଏହି ଚର୍ଚିତ ଧାବିକା ୧୯୭୦ ମସିହା ବ୍ୟାଂକକ୍ ଏସୀୟ କ୍ରୀଡ଼ାର ୪୦୦ ମିଟରରେ ସ୍ବର୍ଣ୍ଣ ଜିତିଥିଲେ। ୫୭.୩ ସେକେଣ୍ଡ ସମୟ ସହ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ। ୧୯୭୧ ମସିହାରେ ଏଥିଲାଗି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ସେହିବର୍ଷ ଇଟାଲିର ତୁରିନଠାରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୪୦୦ ମିଟର ଫାଇନାଲରେ ପ୍ରବେଶ କରିଥିଲେ। ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ମଧ୍ୟ କମଲଜିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୧୯୭୩ରେ ସେ ଦୌଡ଼କୁଦରୁ ଅବସର ନେଇଥିଲେ।‌

ସାଇନି ୱିଲସନ୍
ସାଇନି ୱିଲସନ୍ ୧୪ ବର୍ଷ ଧରି ୮୦୦ ମିଟରରେ ଜାତୀୟ ବିଜୟିନୀ ଥିଲେ। ୭୫ ଅନ୍ତର୍ଜାତୀୟ ମିଟ୍‌ରେ ସେ ଭାରତର ପ୍ରତିନିଧିତ୍ବ କରିଥିଲେ। ଚାରିଟି ବିଶ୍ବକପ୍‌ରେ ସେ ଏସିଆ ଦଳରୁ ଖେଳିଥିଲେ। ୧୯୮୫ ମସିହାରୁ ଲଗାତାର ୬ଟି ଏସିଆନ୍ ଟ୍ରାକ୍ ଆଣ୍ଡ ଫିଲ୍ଡରେ ଅଂଶଗ୍ରହଣ କରିଥିଲେ। ଏସୀୟ ପ୍ରତିଯୋଗିତାରେ ସାଇନ୍‌ ୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ଦୁଇଟି କାଂସ୍ୟ ପଦକ ଜିତିଥିଲେ। ସାଫ୍ କ୍ରୀଡ଼ାରେ ସେ ୧୮ ସ୍ବର୍ଣ୍ଣ ଓ ୨ କାଂସ୍ୟ ପଦକ ଜିତିଥିଲେ। କେରଳ ଜନ୍ମିତା ସାଇନି ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ମହିଳା ୮୦୦ ମିଟରର ଫାଇନାଲରେ ପ୍ରବେଶ କରିଥିଲେ। ୧୯୮୪ ଅଲିମ୍ପିକ୍ସରେ ସାଇନି ଓ ଉଷା ଭାରତୀୟ ୪୦୦ ରିଲେ ଦଳକୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ। ସେ ଚାରିଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୩ ଏସୀୟ କ୍ରୀଡ଼ାରୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ କାଂସ୍ୟ ପଦକ ଜିତିଥିଲେ।

ନୀଳିମା‌ ଘୋଷ
ପ୍ରଥମ ଭାରତୀୟ ମହିଳା ଟ୍ରାକ୍‌ ଆଥ୍‌ଲେଟ୍‌ ଭାବେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ଭାଗ ନେଇଥିଲେ ନୀଳିମା ଘୋଷ। ୧୯୫୨ ହେଲସିଙ୍କୀ ଅଲିମ୍ପିକ୍ସର ୧୦୦ ମିଟର୍‌ ଏବଂ ୮୦ ମିଟରରେ ସେ ଭାଗ‌ ନେଇଥିଲେ। ୧୩.୮୦‌ ସେକେଣ୍ଡ୍ ସହିତ୧୦୦ ମିଟରେ ଆଗକୁ ବଢ଼ି ପାରିନଥିଲେ। ୨ ଦିନ ପରେ ୮୦ ମିଟର‌ ଦୌଡ଼ରେ କିନ୍ତୁ ପଞ୍ଚମ ସ୍ଥାନରେ ରହିଥିଲେ। ମହାନ ଆଥ୍‌ଲେଟ୍‌ ଫନି କ୍ଲାଙ୍କର୍ସ କୋଏନଙ୍କ ହିଟ୍‌ ସମୟଠାରୁ ସେ ମାତ୍ର ୨ ସେକେଣ୍ଡ୍‌ ପଛରେ ରହିଥିଲେ।

ରଚିତା ପଣ୍ଡା ମିସ୍ତ୍ରୀ
ଓଡ଼ିଶା ଓ ମହାରାଷ୍ଟ୍ରର ପାଣି ପବନରେ ବଢ଼ିଥିବା ରଚିତା ମିସ୍ତ୍ରୀ ପଣ୍ଡା (୧୧.୨୬ ‌ସେକେଣ୍ଡ୍‌) ତିରୁବନନ୍ତପୁରମ ଜାତୀୟ ସର୍କିଟ୍‌ ଆଥ୍‌ଲେଟିକ୍‌ ମିଟ୍‌ରେ ପିଟି ଉଷା (୧୧.୩୯ ସେକେଣ୍ଡ୍‌)ଙ୍କ ଜାତୀୟ କୀର୍ତ୍ତିମାନକୁ ଭାଙ୍ଗି ଚହଳ ସୃଷ୍ଟି କରିଥିଲେ। ଦୀର୍ଘ ୧୩ ବର୍ଷ ଧରି ରଚିତା ଏହି କୀର୍ତ୍ତିମାନକୁ ନିଜ ନାମରେ ରଖିବା ପରେ ୨୦୧୩ ମସିହାରେ ମର୍ଲିନ କେ ଯୋ‌ସେଫ୍‌ ଏହାକୁ ଭାଙ୍ଗିଥିଲେ। ୧୦୦ ଓ ୨୦୦ ମିଟର୍‌ରେ ୪ ଥର ଜାତୀୟ ସ୍ବର୍ଣ୍ଣ ବିଜୟୀ ରଚିତା ୧୯୯୭ ଜାତୀୟ କ୍ରୀଡ଼ାରେ ୧୦୦ ମିଟର୍‌ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୦୦ ମସିହାର ସିଡନି ଅଲିମ୍ପିକ୍ସରେ ଭାରତୀୟ ରିଲେ ଦଳରୁ ପ୍ରତିନିଧିତ୍ବ କରିବାର ଗୌରବ ପାଇଥିଲେ। ୧୯୯୮ ଫୁକୁୱକା ଏସୀୟ ଦୌଡ଼କୁଦରେ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟା ଥିଲେ। ୨୦୦୦ ଜାକର୍ତା ଏସୀୟ ଦୌଡ଼କୁଦରେ ୧୦୦ ମିଟର୍‌ କାଂସ୍ୟ ପଦକ ଜିତିଥିଲେ। ୧୯୯୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା।

ଅଶ୍ବିନୀ ନଚାପ୍ପା
କର୍ଣ୍ଣାଟକ ପ୍ରତିଭା ଅଶ୍ବିନୀ ଭାରତ ପାଇଁ ୩ଟି (୧୯୮୪-ନେପାଳ, ୨ ରୌପ୍ୟ, ୧୯୮୬-ବାଂଲାଦେଶ, ୨ ରୌପ୍ୟ, ୧୯୮୮-ପାକିସ୍ତାନ, ୩ ସ୍ବର୍ଣ୍ଣ)‌ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ଦୁଇଟି ଏସିଆଡ୍‌ (୧୯୮୬, ଦକ୍ଷିଣ‌ କୋରିଆ) ଏବଂ ୧୯୯୦, ବେଜିଂ (୧୦୦ ମିଟର୍ ରିଲେ ରୌପ୍ୟ)ରେ ମଧ୍ୟ ଦେଶର ପ୍ରତିନିଧିତ୍ବ କରିଥିଲେ। ୧୯୮୭ ରୋମ୍‌ ଓ ୧୯୯୧ ଟୋକିଓ ବିଶ୍ବ ପ୍ରତିଯୋଗିତାରେ ଭାରତୀୟ ୪୦୦ ମିଟର୍ ରିଲେ ଦଳର ଅଂଶୀଦାର ଥିଲେ। ଅଶି ଦଶକରେ ସେ ଦୁଇ ଥର ଖ୍ୟାତନାମା ପିଟି ଉଷାଙ୍କୁ ପଛରେ ପକାଇବାରେ ସଫଳ ହୋଇଥିଲେ। ସେଥିପାଇଁ ତାଙ୍କୁ ଭାରତର ଫ୍ଲୋ ଜୋ କୁହାଯାଇଥାଏ। ୧୯୮୮ରେ ସେ ଅର୍ଜୁନ ପୁରସ୍କାର ପାଇଥିଲେ।

ସରସ୍ବତୀ ସାହା
ତ୍ରିପୁରା ଜନ୍ମିତ ସରସ୍ବତୀ ସାହା ଦେ ରଚିତା ମିସ୍ତ୍ରୀ ପଣ୍ଡାଙ୍କୁ ପଛରେ ପକାଇ ୨୦୦୦ ମସିହାରୁ ୨୦୦ ମିଟର୍ ଜାତୀୟ କୀର୍ତ୍ତିମାନ (୨୨.୮୨ ସେକେଣ୍ଡ, ଲୁଧିଆନା)କୁ ନିଜ ନାମରେ ରଖିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ୨୩ ସେକେଣ୍ଡ୍ ତଳକୁ ପ୍ରଦର୍ଶନ ଦେଇଥିଲେ। ୨୦୦୨ ବୁସାନ ଏସିଆଡ୍‌ ସ୍ବର୍ଣ୍ଣ ଜିତିବା ତାଙ୍କ ଖେଳ ଜୀବନର ସର୍ବୋଚ୍ଚ ସଫଳତା। ସରସ୍ବତୀଙ୍କ କୀର୍ତ୍ତିମାନକୁ ଅଦ୍ୟାବଧି କେହି ଟପି ନାହାନ୍ତି। ୨୦୦୨ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଚ୍‌ ଏମ୍‌ ଜ୍ୟୋତି
ହିରିୟୁର୍‌ ମଞ୍ଜୁନାଥ ଜ୍ୟୋତି ୧୦୦, ୨୦୦ ମିଟର ଏବଂ ୧୦୦ ମିଟର ରିଲେ ଦୌଡ଼ରେ ଥରେ ଲେଖାଏଁ ଜାତୀୟ ବିଜେତା ହୋଇଥିଲେ। ଜ୍ୟୋତି ୨୦୧୬ ମସିହାରେ ୪ ଗୁଣା ୧୦୦ ମିଟର୍‌ ରିଲେରେ ଜାତୀୟ କୀର୍ତ୍ତିମାନ (୪୩.୪୨ ସେକେଣ୍ଡ୍‌)ର ଭାଗୀଦାରି ରହିଥିଲେ। ଅଲମାଟିଠାରେ ଏହି କୀର୍ତ୍ତିମାନ ପ୍ରତିଷ୍ଠା ହୋଇଥିଲା। ୨୦୦୯ ଏସୀୟ ଦୌଡ଼କୁଦରେ ୧୦୦ ମିଟର୍‌ ଏବଂ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦୦ ମିଟର୍ ରିଲେରେ କାଂସ୍ୟ ପଦକ ଜିତିଥିଲେ।

ହିମା ଦାସ
ମାତ୍ର ୨୦ ବର୍ଷ ବୟସରେ ଆସାମର ହିମା ଦାସ ଅନେକ କୀର୍ତ୍ତିମାନ ଅଧିକାରିଣୀ ହୋଇ ପାରିଛନ୍ତି। ‘ଧିଙ୍ଗ ଏକ୍ସପ୍ରେସ୍’ ଭାବେ ପରିଚିତ ହିମା ୪୦୦ ମିଟରରେ ନୂଆ ଜାତୀୟ କୀର୍ତ୍ତିମାନ (୫୦.୭୯ ସେକେଣ୍ଡ, ୨୦୧୮ ଜାକର୍ତ୍ତା ଏସିଆଡ୍‌) କରିଛନ୍ତି। ସେଠାରେ ମଧ୍ୟ ଜାକର୍ତ୍ତା ଏସୀୟ କ୍ରୀଡ଼ାର ୪୦୦ ମିଟର ରିଲେରେ ସ୍ବର୍ଣ୍ଣ ଓ ୪୦୦ ମିଟର ମିଶ୍ରିତ ରିଲେରେ ସ୍ବର୍ଣ୍ଣ ଜିତିବା ସହ ୪୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ୨୦୧୮ରେ ତାଙ୍କୁ ଏହି ସଫଳତା ଲାଗି ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ଆଇଏଏଫ୍ ୨୦ ବର୍ଷରୁ କମ୍ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।

ପିଟି ଉଷା
ଭାରତୀୟ ଦୌଡ଼କୁଦ ଜଗତର ମହାରାଣୀ ପିଟି ଉଷା। ‘ପାୟୋଲି ଏକ୍ସପ୍ରେସ୍’ ଭାବେ ପରିଚିତ। ନିଜ ସ୍ବର୍ଣ୍ଣିମ ସମୟରେ ସେ କେବଳ ଭାରତ ନୁ‌ହେଁ ସମଗ୍ର ଏସିଆ ମହାଦେଶରେ ଶ୍ରେଷ୍ଠ ଧାବିକାର ମାନ୍ୟତା ଲାଭ କରିଥିଲେ। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଉଷା କିନ୍ତୁ ଖାସ୍ କରିସ୍ମା କରି ପାରି ନଥିଲେ। ହେଲେ ୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ (୧୦୦, ୨୦୦ ମିଟର) ଜିତି ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ଷ ଏସିଆନ୍ ଟ୍ରାକ୍ ଆଣ୍ଡ ଫିଲ୍ଡର ୪୦୦ ମିଟର ନୂଆ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲେ। ୧୯୮୪ ଲସଏଞ୍ଜେଲ୍ସ ଅଲିମ୍ପିକ୍ସର ୪୦୦ ମିଟରରେ ‌ସେକେଣ୍ଡର ୧୦୦ ଭାଗରୁ କମ୍ ସମୟ ପାଇଁ ପଦକରୁ ବଞ୍ଚିତ ହୋଇଥିଲେ। ଏହା ପରେ ୧୯୮୫ ଜାକର୍ତ୍ତା ଏସିଆନ୍ ଟ୍ରାକ୍ ଆଣ୍ଡ ଫିଲ୍ଡରେ ୬ଟି ସ୍ବର୍ଣ୍ଣ ପଦକ ଜିତି ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହା ମଧ୍ୟ କୌଣସି ଅନ୍ତର୍ଜାତୀୟ ମିଟ୍‌ରେ ଯେ କୌଣସି ଆଥଲେଟ୍ ଜିତିଥିବା ପଦକ ମଧ୍ୟରେ ସର୍ବାଧିକ। ୧୯୮୬ ସିଓଲ ଏସୀୟ କ୍ରୀଡ଼ାରେ ଉଷା ଚାରିଟି ସ୍ବର୍ଣ୍ଣ ଓ ଗୋଟିଏ ‌ରୌପ୍ୟ ପଦକ ପାଇଥିଲେ। ୧୯୯୮ ଏସିଆନ୍ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ସହ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଦେଢ଼ ଦଶନ୍ଧୀର ଖେଳ ଜୀବନରେ ୧୦୧ ଅନ୍ତର୍ଜାତୀୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର