ସୁଟିଂରେ ଶ୍ରେଷ୍ଠ ପଦକ ସୁଯୋଗ: ବିନ୍ଦ୍ରା

ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ଭାରତ ପାଇଁ ବନ୍ଧୁକଚାଳନା ବା ସୁଟିଂ ସର୍ବାଧିକ ପଦକ ଆଣିବ। ଏଭଳି ଆକଳନ କରିଛନ୍ତି ଦେଶର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା। ବୁଧବାର ଆୟୋଜିତ ‘ଅଲିମ୍ପିକ୍ସ ସ୍ବପ୍ନରେ ଭାରତର ଶ୍ରେଷ୍ଠ ଲକ୍ଷ୍ୟ’ ୱେବିନାରରେ ବିନ୍ଦ୍ରା ଭାରତର ଅଲିମ୍ପିକ୍ସ ଇତିହାସ, ନିଜ ଅଲିମ୍ପିକ୍ସ ଅଭିଯାନ ତଥା ଟୋକିଓ ଅଲିମ୍ପକ୍ସରେ ଭାରତର ସମ୍ଭାବନା ଉପରେ ବହୁମୂଲ୍ୟ ମନ୍ତବ୍ୟ ଦେଇଥିଲେ। ସେହିଭଳି କ୍ରୀଡ଼ା ସଂସ୍କୃତି କିମ୍ବା କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ବରଂ ଛୋଟ ପାର୍କ କିମ୍ବା ପଡ଼ିଆରେ କିଛି ଆଧୁନିକ ସାଜ ସରଞ୍ଜାମ ରଖି ମଧ୍ୟ ଖେଳାଳି ସୃଷ୍ଟି କରିବେ ବୋଲି କହିଥିଲେ। ଭାରତରେ ପାରାଲିମ୍ପିକ୍ସ କ୍ରୀଡ଼ାର ବିକାଶ ଧାରାକୁ ନେଇ ସନ୍ତୋଷ ଜାହିର କରିଥିଲେ ବିନ୍ଦ୍ରା।

ୱେବିନାରର ଅନ୍ୟତମ ଅତିଥି ଥିବା କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ କ୍ରୀଡ଼ା ବିକାଶ ନେଇ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ହକି ସହ ବିଭିନ୍ନ ଖେଳର ତୃଣମୂଳସ୍ତରୀୟ ବିକାଶ ଲାଗି ଓଡ଼ିଶା ସରକାର ଆଗାମୀ ସମୟରେ ଆହୁରି ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ଦିବସ ଅବସରରେ ଆୟୋଜିତ ହୋଇଥିବା ଏହି ୱେବିନାରର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ କର୍ପୋରେଟ୍ ସେବାର ଉପସଭାପତି ଚାଣକ୍ୟ ଚୌଧୁରୀ ଟାଟା ସମୁହ କ୍ରୀଡ଼ା ବିକାଶ ନେଇ ନେଉଥିବା ବିଭିନ୍ନ ପଦକ୍ଷେପର ବିବରଣୀ ରଖିବା ସହ ଭାରତୀୟ କ୍ରୀଡ଼ାର ଭବିଷ୍ୟତ ନେଇ ସକାରାତ୍ମକ ଭାବନା ପ୍ରକାଶ କରିଥିଲେ। ଟାଟା ଷ୍ଟିଲ୍, ନାଭାଲ ଟାଟା ହକି ଏକାଡେମି ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ୱେବିନାରର ସଂଯୋଜନା ଦୀକ୍ଷା ତିୱାରୀ ଓ ରାଜୀବ ସେଠ୍ କରିଥିଲେ।

ସମ୍ବନ୍ଧିତ ଖବର