ଓଡ଼ିଶା କ୍ରୀଡ଼ାର ଶ୍ରେଷ୍ଠ ଭିତ୍ତିଭୂମୀ, କଳିଙ୍ଗ ଷ୍ଟାଡିୟମ୍

ଭୁବନେଶ୍ବର: ହକି ବିଶ୍ବକପ୍ ଯେତିକି ପା‌େଖଇ ଆସୁଛି ଓଡ଼ିଶା ସେତିକି ଚଳଚଞ୍ଚଳ ହୋଇଉଠୁଛି। କ୍ରୀଡ଼ାକ୍ଷେତ୍ରରେ ଏକାଧିକ କୀର୍ତିମାନ ସ୍ଥାପନ କରି ଦେଶ ଓ ବିଦେଶରେ ସୃଷ୍ଟି କରିଛି ସମ୍ଭାବନାର ନୂତନ ସୂ‌େର୍ଯ୍ୟା‌ଦୟ। କଳିଙ୍ଗ ଷ୍ଟାଡିୟମ୍ ବିଗତ ୫ ବର୍ଷ ଭିତରେ ଏକାଧିକ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆ‌ୟୋଜନ କରି ନିଜ ଇତିହାସରେ ଯୋଡ଼ିପାରିଛି ସଫଳତାର ଅନେକ ଫର୍ଦ। ଏସବୁ ସମ୍ଭବ ହେବା ପଛରେ ମୁଖ୍ୟ ଭୂମିକା ନିର୍ବାହ କରିଛି ରାଜ୍ୟ ରାଜଧାନୀର ଛାତି ଉପରେ ସଗର୍ବେ ଛିଡ଼ା ହୋଇଥିବା କଳିଙ୍ଗ ଷ୍ଟାଡିୟମ। ଓଡ଼ିଶା କ୍ରୀଡ଼ାର ଏହି ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମୀରେ ସମ୍ପ୍ରତି ନୂଆ କଳେବର ସହ ଯୋଡ଼ି ହୋଇଛି ବିଜୁ ପଟ୍ଟନାୟକ ହକି କମ୍ପ୍ଲେକ୍ସ। ସଂକ୍ଷେପରେ ଏହା ‘କଳିଙ୍ଗ ହକି କମ୍ପ୍ଲେକ୍ସ’ ନାମରେ ନାମିତ। ଯାହା ରାଜ୍ୟକୁ ଅନ୍ତର୍ଜାତୀୟ ମାନର ନୂଆ ଷ୍ଟାଡିୟମ ପ୍ରଦାନ କରିଛି। ‌ରାଜ୍ୟର ଏହି ମୂଳ କ୍ରୀଡ଼ା ଭିତ୍ତିଭୂମୀ ଅନେକ ଦିନ ଧରି ଗାଇବ ରାଜ୍ୟ ଗୌରବର‌ ଗାଥା। ଏହାକୁ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ଭିତ୍ତିଭୂମୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ହକି ବିଶ୍ବକପ୍ ଆଉ ମାତ୍ର ୬ ସପ୍ତାହ ରହିଥିବାବେଳେ ‘କଳିଙ୍ଗ ଷ୍ଟାଡିୟମ୍’ ସମ୍ପର୍କରେ ‘ସମ୍ବାଦ’ ପ୍ରଦାନ କରୁଛି ସ୍ବତନ୍ତ୍ର ଉପସ୍ଥାପନା।

ଇତିହାସ କଳିଙ୍ଗ ଷ୍ଟାଡିୟମ ରାଜ୍ୟର କ୍ରୀଡ଼ାର ଆବହମାନ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଗ। ୧୯୫୮ ମସିହାରେ କଟକରେ ପ୍ରତିଷ୍ଠିତ ବାରବାଟୀ ଷ୍ଟାଡିୟମ କେବଳ କ୍ରିକେଟ୍ ଓ ଫୁଟବଲ୍‌ ପାଇଁ ଉଦ୍ଦିଷ୍ଟ ଥିବାବେଳେ ରାଜ୍ୟରେ ଅନ୍ୟତ୍ର ବାହ୍ୟଖେଳ ପାଇଁ ବଡ଼ ପ୍ରତିଯୋଗିତା ଆୟୋଜନ ଏକରକମ ଅସମ୍ଭବ ଥିଲା। ଏହି ସମସ୍ୟାକୁ ହୃଦୟଙ୍ଗମ କରି ରାଜଧାନୀରେ ଏକ ଦୀର୍ଘସ୍ଥାୟୀ ବିଶାଳ କ୍ରୀଡ଼ା ଭିତ୍ତିଭୂମୀ ଗଢ଼ି ତୋଳିବାର ସ୍ବପ୍ନ ଦେଖିଥିଲେ ଖୋଦ କ୍ରୀଡ଼ାବିତ୍ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ପରବର୍ତୀ ସମୟରେ ରାଜ୍ୟ କ୍ରୀଡ଼ାର ସାମଗ୍ରିକ ବିକାଶ, ଓଡ଼ିଶା ‌େଖଳାଳିଙ୍କୁ ପ୍ରୋତ୍ସାହନ, ବିବିଧ କ୍ରୀଡ଼ାର ଆୟୋଜନ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରି ଆସିଛି ଏହି ଷ୍ଟାଡିୟମ। ୧୯୯୮ ମସିହାରେ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ପାଖାପାଖି ୧୨ ବର୍ଷ ପରେ ୨୦୧୦ ମସିହାରେ ସମ୍ପୂର୍ଣ୍ଣ ରୂପେ ଆତ୍ମପ୍ରକାଶ କରିଥିଲା। ‌େସହିଦିନଠାରୁ ଓଡ଼ିଶାର ସାମଗ୍ରିକ କ୍ରୀଡ଼ା କେନ୍ଦ୍ର ଭାବେ ଏହା ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ।

ଷ୍ଟାଡିୟମ ସମ୍ପର୍କରେ ଭୁବନେଶ୍ବର ଜୟଦେବ ବିହାର ଓ ନୂଆପଲ୍ଲୀ ଅଞ୍ଚଳ ମଧ୍ୟରେ ବିଦ୍ୟୁତମାର୍ଗ ସଲଗ୍ନ ଏକ ସୁବିସ୍ତିର୍ଣ୍ଣ ଅଞ୍ଚଳ‌େର ଏହା ଅବସ୍ଥିତ। ଏହାର ପରିସରରେ ଥିବା ମୁଖ୍ୟ ଷ୍ଟାଡୟମରେ ୮ ଲେନ୍ ବିଶିଷ୍ଟ ଦୌଡ଼କୁଦ ଟ୍ରାକ ଏବଂ ଫୁଟ୍‌ବଲ୍ ପଡ଼ିଆ, ହକି ପାଇଁ ସ୍ବତନ୍ତ୍ର ହକି କମ୍ପ୍ଲେକ୍ସ ଓ ଅଭ୍ୟାସ ଟର୍ଫ, ୭ଟି ସିନ୍ଥେଟିକ ଓ କ୍ଲେ ଟେନିସ୍ କୋର୍ଟ, ଭଲିବଲ, ବାସ୍କେଟବଲ, ଟେବୁଲ୍‌‌ ଟେନିସ୍, ଭାରୋତ୍ତୋଳନ ହଲ, ଜିମ୍ନାସିୟମ, କରାଟେ, ସ୍କେଟିଂ, ସୁଟିଂ, ୱାଲ୍ କ୍ଲାଇମ୍ବିଂ, ଲମ୍ବା ଚଲାପଥ ଆଦି ରହିଛି। ହକି ଷ୍ଟାଡିୟମର ସମ୍ପ୍ରସାରଣ ପାଇଁ ଅତ୍ୟାଧୁନିକ ସନ୍ତରଣାଗାରକୁ ଭଙ୍ଗାଯାଇଥିଲେ ମଧ୍ୟ ନୂଆ ରୂପରେ ଆସୁଛି। ବଡ଼ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଆଗରୁ ବଡ଼ ପ୍ରତିଯୋଗିତା ହେଉନଥିବାରୁ ଅଭିଯୋଗ ଆସୁଥିଲା। କିନ୍ତୁ ବିଗତ ୫ ବର୍ଷ ଭିତରେ ଏହା ନୂଆ ନୂଆ ମାଇଲଖୁଣ୍ଟ ଛାଡ଼ିଛି। ହକି ଇଣ୍ଡିଆ ଲିଗ୍‌ଠାରୁ ଆରମ୍ଭ କରି ଏଫଆଇଏଚ୍ ଚାମ୍ପିଅନ୍ସ ଟ୍ରଫି, ଇଣ୍ଡୋ-ଜାପାନ ହକି ଶୃଙ୍ଖଳା, ବିଶ୍ବ ହକି ଲିଗ୍ ଫାଇନାଲ୍‌ସ ପରେ ଏବେ ବିଶ୍ବକପ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।‌ ଗତବର୍ଷ ୯୦ ଦିନ ଭିତରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୨ତମ ସଂସ୍କରଣ ଆୟୋଜନ କରି ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ସରକାର। ସେହିଭଳି ଇଣ୍ଡିଆନ ସୁପର ଲିଗ୍, ସୁପର୍ କପ୍, ଗତ ମାସରେ ଜାତୀୟ ଓପନ୍‌ ଦୌଡ଼କୁଦ ମଧ୍ୟ ନୂଆ ନୂଆ ମାଇଲଖୁଣ୍ଟ ଛାଡ଼ିଛି ଷ୍ଟାଡିୟମ୍ ଇତିହାସରେ। ହକି ବିଶ୍ବକପ୍ କଳିଙ୍ଗ ଷ୍ଟାଡିୟମରେ ସଫଳତାର ଫର୍ଦରେ ଆଗକୁ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଅନନ୍ୟ ଉପଲବଧିର ସ୍ବର୍ଣ୍ଣିମ ସାକ୍ଷର। ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ବକପ୍‌ର ୧୪ତମ ସଂସ୍କରଣ। ବିଶ୍ବର ଶ୍ରେଷ୍ଠ ୧୬ ଦଳ ବିଶ୍ବମୁକୁଟ ପାଇଁ କଳିଙ୍ଗ ଲଢ଼େଇରେ ହେବ ଅବତୀର୍ଣ୍ଣ। ପୂର୍ବରୁ ଷ୍ଟାଡିୟମରେ ପୂର୍ବ ଓ ପଶ୍ଚିମ ଦୁଇଟି ଗ୍ୟାଲେରି ଥିବାବେଳେ ଏବେ ଏଥିରେ ଉତ୍ତର ଓ ଦକ୍ଷିଣ ଯୋଡ଼ି ହୋଇଛି। ଦର୍ଶକ ବସିବା କ୍ଷମତା ୧୫,୦୦୦କୁ ବଢ଼ିଛି। ଉତ୍ତର ଗ୍ୟାଲେରି ବେସମେଣ୍ଟ୍ ଅଞ୍ଚଳକୁ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ପଥଗୁଡ଼ିକୁ ପ୍ରଶସ୍ତ କରିଦିଆଯାଇଛି। ବିଦ୍ୟୁତ ମାର୍ଗରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଗେଟ ନମ୍ବର ୨ ଓ ୫ ଦ୍ବାର ମୁଖ୍ୟ ରାସ୍ତା ଉପରେ ଦୁଇଟି ଫୁଟ୍ ଓଭର୍ ବ୍ରିଜ୍ ନିର୍ମାଣ କରାଯାଇଛି। ଷ୍ଟାଡିୟମ୍ ବିକାଶ ପାଇଁ ଏହାର ଚତୁଃପାର୍ଶ୍ବରେ ଥିବା ଜବରଦଖଲ ମଧ୍ୟ ଉଚ୍ଚେଦ କରାଯାଇଛି। କ୍ରୀଡ଼ା ସମ୍ବଦ୍ଧିୟ ବିଭିନ୍ନ ତୈଳଚିତ୍ରରେ ପ୍ରାଚୀରଗୁଡ଼ିକୁ ସଜ୍ଜା ଯାଇଛି। ପାର୍କିଂ ପାଇଁ ଏଜି କଲୋନି ଏବଂ ବିଡିଏ ସିଟି ସେଣ୍ଟରଠାରେ ସ୍ଥାନ ଚିହ୍ନଟ ହୋଇଛି। ପ୍ରସ୍ତୁତି ଶେଷ ସୋପାନରେ ୧୯ ଦିନ ବ୍ୟାପୀ ହେବାକୁ ଥିବା ବିଶ୍ବକପ୍ ପାଇଁ ଷ୍ଟାଡିୟମ ବୁଧବାର ଉଦ୍‌ଘାଟିତ ହେବା ପରେ ହକି ଉତ୍ସାହ ବି ଜୋର ଧରିଛି। ପ୍ରସ୍ତୁତି ଶେ‌ଷ‌ ସୋପାନରେ ପହଞ୍ଚିଛି। ଭୁବନେଶ୍ବରକୁ ଦେଶର ‘କ୍ରୀଡ଼ା ରାଜଧାନୀ’ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ହକି ବିଶ୍ବକପ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଓଡ଼ିଶା ଆସିବ ନ୍ୟୁ ସା‌ଉଥ୍‌ ୱେଲ୍ସ ହକି ଦଳ
ଭୁବ‌େନଶ୍ବର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିନିମୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ରାଜ୍ୟ ହକି ଦଳ ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଆସିବ। ଏଠାରେ ପାଖା ପାଖି ଦୁଇ ସପ୍ତାହ ରହି କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ମ୍ୟାଚ୍ ଖେଳିବ। ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବା ପରେ ନଭେମ୍ବର ୪ ତାରିଖ ଅପର‌ାହ୍ନରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଓଡ଼ିଶା ଏକାଦଶ ବିପକ୍ଷରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବ। ସେହିଭଳି କଳିଙ୍ଗ ଷ୍ଟାଡ଼ିୟମରେ ମଧ୍ୟ ଆଉ ଦୁଇଟି ଅଭ୍ୟାସ ମ୍ୟାଚରେ ଅବତୀର୍ଣ୍ଣ ହେବ। ଭୁବନେଶ୍ବର ପହଞ୍ଚିବା ପରେ ନ୍ୟୁ ସାଉଥ୍ ୱେଲ୍ସ ଦଳ ନଭେମ୍ବର ୨ ତାରିଖରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ୩ ତାରିଖରେ ଅଭ୍ୟାସ କରିବା ପରେ ୪ ତାରିଖରେ ଓଡ଼ିଶା ଏକାଦଶ ବିପକ୍ଷରେ ପ୍ରସ୍ତାବିତ ପ୍ରଦର୍ଶନୀ ମ୍ୟାଚ୍ ଖେଳିବ। ୫ ତାରିଖ ଦିନ ପୁଣି ଭୁବନେଶ୍ବର ଫେରି କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଅଭ୍ୟାସ ଜାରି ରଖିବ। ତେବେ ଏଥିନେଇ ଚୂଡ଼ାନ୍ତ ଗସ୍ତସୂଚୀ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଆସନ୍ତା କିଛି ଦିନ ଭିତରେ ଏଥିନେଇ କ୍ରୀଡ଼ା ବିଭାଗ ତରଫରୁ ଆନୁଷ୍ଠାନିକ ସୂଚନା ଦିଆଯିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ରାଉରକେଲା ପ୍ରଶାସନ ନଭେମ୍ବର ୪ ତାରିଖ ପ୍ରଦର୍ଶନୀ ମ୍ୟାଚ୍ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗୁରୁବାର ଏଥିନେଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ରଶ୍ମିତା ପଣ୍ଡା ଏହାର ଅଧ୍ୟକ୍ଷତା କରିଥିଲେ। ରାଉରକେଲା ଗସ୍ତ ବେଳେ ନ୍ୟୁ ସାଉଥ୍ ୱେଲ୍ସ ଖେଳାଳିମାନେ ସ୍ଥାନୀୟ ହକି ତାରକା ଏବଂ ବିଦ୍ୟାଳୟ ପିଲାଙ୍କ ସହ ଭାବ ଆଦାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର