ଭୁବନେଶ୍ବର (ସୁରେଶ ସ୍ବାଇଁ): ଚଳିତ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌‌ରେ ଭାରତର ଅଭିଯାନ ସୋମବାର ଶେଷ ହୋଇଯିବ। ବିଶ୍ବକପ୍‌ ପୂର୍ବରୁ କ୍ବାର୍ଟର ଫାଇନାଲ୍ ଆଶା ଦେଖାଇଥିବା ଭାରତୀୟ ଦଳର ସ୍ବିଡିଶ୍‌ ପ୍ରଶିକ୍ଷକ ଥମାସ ଡେନର୍ବି ବାସ୍ତବତାକୁ ହୃଦୟଙ୍ଗମ କରିସାରିଛନ୍ତି। ସେହି ଦୃଷ୍ଟିରୁ ସୋମବାରର ବ୍ରାଜିଲ୍ ବିପକ୍ଷ ମ୍ୟାଚ୍‌ରେ ଚାପମୁକ୍ତ ‌ହୋଇ ନିର୍ଭୟରେ ଖେଳିବାକୁ ପରାମର୍ଶ ଦେଇଛନ୍ତି। ବ୍ରାଜିଲ୍‌କୁ ଏକ କ୍ଲାସିକାଲ୍ ଫୁଟ୍‌ବଲ୍ ଦଳର ଆଖ୍ୟା ‌ଦେଇ ଡେନର୍ବି କହିଛନ୍ତି ଏହି ମୁକାବିଲା ନିଶ୍ଚିତ କଠୋର ହେବ। ତେବେ ଫୁଟ୍‌ବଲ୍‌ ହିଁ ଫୁଟ୍‌ବଲ୍, କୌଣସି ଦଳ କିଛି ବି ହୋଇପାରେ, ଆଶା କରିବା ସେଭଳି କିଛି ହେଉ ବୋଲି କହିଛନ୍ତି ଏହି ୬୩ ବର୍ଷୀୟ ଏହି ଅନ୍ତର୍ଜାତୀୟ ଅଭିଜ୍ଞ ମିଡ୍‌ଫିଲ୍ଡର। ସେଟ୍‌ ପିସ୍‌, ସଂଗଠିତ, ଫ୍ରି କିକ୍‌, କର୍ଣ୍ଣର ଗେମ୍‌ରେ ଉନ୍ନତ କରିପାରିଲେ ଆମେ ନିଶ୍ଚିତ ଲଢ଼ିପାରିବୁ। ଠିକଣା ସମୟରେ ଠିକଣା ଖେଳାଳିଙ୍କୁ ‌ବଲ୍ ପାସ୍‌ କରିବାର କଳା ହିଁ ଫୁଟ୍‌ବଲ୍‌ରେ ସଫଳତା ଦେଇଥାଏ। ଆମ ନିକଟରେ ଜଣେ ଶୀର୍ଷଶ୍ରେଣୀୟ ଫରୱାର୍ଡ ଥିଲେ ଭିନ୍ନ କିଛି କରି ହୋଇଥା’ନ୍ତା। ଶାରୀରିକ ଫିଟ୍‌ନେସ୍‌ ସହିତ ଦ୍ରୁତ ଗତିରେ ଦୌଡ଼ିବା ଫୁଟ୍‌ବଲ୍‌ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ବୋଲି ରବିବାର ସଂଧ୍ୟାରେ ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ ଫୁଟ୍‌ବଲ୍ ଆରେନାରେ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଥିଲେ ଡେନର୍ବି।

Advertisment

ଭାରତକୁ ସମୟ ଲାଗିବ
ଭାରତୀୟ ଫୁଟ୍‌ବଲ୍ କିନ୍ତୁ ବିକଶିତ ହେବାକୁ ଅଧିକ ସମୟ ଲାଗିବ। ତାଲିମ ପରେ ତାଲିମ, ନିୟମିତ ଅଭ୍ୟାସ, ଏକାଡେମିରେ ବର୍ଷ ବର୍ଷ ସମୟ କାଟିବା ହିଁ ‌ଖେଳାଳିଙ୍କୁ ଗଢ଼ି ତୋଳିବ। ଆମେରିକା ଦଳରେ ଖୁବ୍ କ୍ବଚିତ ଖେଳାଳି ନିଜ ଦେଶରେ ତାଲିମ ନେଇ ଭାରତ ଆସିଛନ୍ତି। ଅଧିକାଂଶ ୟୁରୋପୀୟ କ୍ଲବ୍‌ ଓ ଏକାଡେମିରେ ଖେଳ ଜୀବନ ଗଢ଼ିଛନ୍ତି। ତଥାପି ୫ ମାସ ଭିତରେ ଭାରତୀୟ ଖେଳାଳିମାନେ ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ହେବା ନିଶ୍ଚିତ ଭାବେ ବଡ଼ କଥା। ସ୍ବିଡେନ୍‌ର ଜନସଂଖ୍ୟା ମାତ୍ର ୧୦ କୋଟିରୁ ଅଧିକ, ଭାରତର ୧୪୦ କୋଟିରୁ ଊର୍ଧ୍ବ। ଫିଫା‌ ମହିଳା ମାନ୍ୟତାରେ ସ୍ବିଡେନ୍‌ ଏବେ ୨ ନମ୍ବର ଦେଶ ଓ ଭାରତ ୬୧ ନମ୍ବର। ଫରକ ଏତିକି ସେଠାରେ ଫୁଟ୍‌ବଲ୍‌ ପ୍ରତି ଅତ୍ୟଧିକ ଯତ୍ନ ଓ ଆଗ୍ରହ ରହିଛି। ଭାରତରେ ପ୍ରତିଭାବାନ ଖେଳାଳି ରହିଛନ୍ତି। ସେମାନଙ୍କ ଶାରୀରିକ ଗଠନ କିଛି ବଡ଼ ପ୍ରତିବଂଧକ ନୁହେଁ। କିନ୍ତୁ ବିଶ୍ବସ୍ତରୀୟ ଖେଳାଳି ଗଢ଼ି ତୋଳିବା ପାଇଁ ୬,୭ କିମ୍ବା ୮ ବର୍ଷ ବୟସରୁ ଖେଳିବାର ଆବଶ୍ୟକତା ରହିଛି। ସ୍ବିଡେନ୍‌ରେ ପ୍ରତି ଶନିବାର ଓ ରବିବାର ସକାଳେ ଓ ସଂଧ୍ୟାରେ ହଜାର ହଜାର ସଂଖ୍ୟାରେ‌‌ ଛୋଟ ପିଲା ଫୁଟ୍‌ବଲ୍ ଖେଳନ୍ତି। ସ୍କୁଲ୍‌ରେ ମଧ୍ୟ ପ୍ରାତଃ ଅଧିବେଶନରେ ଫୁଟ୍‌ବଲ୍ ଧାର୍ଯ୍ୟ ଥାଏ। ସେମାନଙ୍କ ମଧ୍ୟରୁ କେତେକ ସିଧାସଳଖ ଏକାଡେମିରେ ଯୋଡ଼ି ହୁଅନ୍ତି। ଅନ୍ୟମାନେ ହ୍ୟାଣ୍ଡବଲ୍ ଓ ଅନ୍ୟ ଖେଳକୁ ଆପଣାଇ ନିଅନ୍ତି। ଭାରତର ଜନସଂଖ୍ୟା ତୁଳନାରେ ଏହି‌ ଖେଳପ୍ରତି ସାମଗ୍ରିକ ଭାବେ ଓ ତୃଣମୂଳସ୍ତରରୁ ଗ୍ରହଣୀୟତା ନାହିଁ ବୋଲି ଡେନର୍ବି ସୂଚାଇ ଦେଇଥିଲେ। ଭାରତୀୟ ଖେଳାଳିଙ୍କୁ ପ୍ରସ୍ତୁତ କରିବା ଏବଂ ବିଶ୍ବକପ୍‌ରେ ଖେଳାଇବା ଅବସରରେ କେବଳ ଭୁବନେଶ୍ବର ନୁ‌ହେଁ ଭାରତକୁ ମୁଁ ମଧ୍ୟ ଢେର ଉପଭୋଗ କରିଛି ବୋଲି ଡେନର୍ବି ଶେଷରେ ପ୍ରକାଶ କରିଥିଲେ।