ଅହମଦାବାଦ: ଆସନ୍ତା କାଲି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ବକପର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିପାରେ । ଏହାକୁ ଦେଖିବାକୁ କ୍ରିକେଟପ୍ରେମୀ ଚାତକ ପରି ଚାହିଁ ରହିଛନ୍ତି ।
ତେବେ ଏହି ମ୍ୟାଚକୁ ନେଇ ବେଟିଂ ବଜାର ବି ସରଗରମ ହୋଇଉଠିଛି । ଟସଠାରୁ ଆରମ୍ଭ କରି ମ୍ୟାଚର ଶେଷ ବଲ ପର୍ଯ୍ୟନ୍ତ ବେଟିଂ କରାଯାଉଛି । ବର୍ତ୍ତମାନ ବେଟିଂ ବଜାରରେ ଭାରତର ମୂଲ୍ୟ .୪୫ ପଇସା ଏବଂ ଅଷ୍ଟ୍ରେଲିଆର ମୂଲ୍ୟ .୫୭ ପଇସା ରହିଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଟସ୍ ରୁ ଶେଷ ବଲ୍ ପର୍ଯ୍ୟନ୍ତ ବେଟିଂର ରୋମାଞ୍ଚ ଲାଗି ରହିବ। ଫ୍ରି ପ୍ରେସ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜଣେ ବୁକି କହିଛନ୍ତି ଯେ ସେ ପୂର୍ବରୁ ଏତେ ଚାପ ଏବଂ ଉତ୍ସାହ କେବେ ଦେଖିନଥିଲେ। ମ୍ୟାଚ୍କୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସ୍ତରର କ୍ରେଜ୍ ଦେଖିବାକୁ ମିଳୁଛି।
ଅନ୍ୟପକ୍ଷରେ ମ୍ୟାଚକୁ ନେଇ ଲାଗୁଥିବା ବେଟିଂର ଫାଇଦା ଉଠାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ଦାଉଦ ଇବ୍ରାହିମର ଡି-କମ୍ପାନି । ମୁମ୍ବାଇ, କରାଚୀ, ଦୁବାଇ, ଦିଲ୍ଲୀ, ଅହମଦାବାଦ, ଇନ୍ଦୋର, ବ୍ୟାଙ୍କକ୍ ଆଦି ସ୍ଥାନରେ ଥିବା ଦାଉଦର ବେଟିଂ ସିଣ୍ଡିକେଟ୍ ଏହି ଫାଇନାଲ ମ୍ୟାଚ ଉପରେ ନଜର ରଖିଛି ଓ ବେଟିଂ ପାଇଁ ପ୍ରସ୍ତୁତ ହୋଇରହିଛି ।