ଭଦ୍ରକ ପ୍ରିମିୟର ଲିଗ: ମହାବୀର ଓ୍ଵାରିୟର୍ସ ଓ ୟୁନିକ୍‌ ଫାଇଟର୍ସ ବିଜୟୀ

ଭଦ୍ରକ: ଭଦ୍ରକର ଚରମ୍ପା ପଥରକାଳୀ ରେଲେଓ୍ଵ ଗ୍ରାଉଣ୍ଡ ଠାରେ ଭଦ୍ରକ ପ୍ରିମିୟର ଲିଗ୍‌ର ତୃତୀୟ ସଂସ୍କରଣର ଆଜି ୯ମ ଦିବସରେ ଖେଳାଯାଇଥିବା ୨ଟି ମ୍ୟାଚରେ ମହାବୀର ଓ୍ଵାରିୟର୍ସ ଓ ୟୁନିକ ଫାଇଟର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ ମହାବୀର ଓ୍ଵାରିୟର୍ସ ଓ ଚରମ୍ପା ବ୍ଳାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମହାବୀର ଓ୍ଵାରିୟର୍ସ ଟସ ଜିତି ଫିଲଡିଂ ନେଇଥିଲା। ଚରମ୍ପା ବ୍ଲାଷ୍ଟର୍ସ ପ୍ରଥମେ ବ୍ୟାଟିଂ କରି ୧୫.୪ଓଭରରେ ସମସ୍ତ ଉଇକେଟ ହରାଇ ୭୮ରନ କରିଥିଲା। ଦଳ ପକ୍ଷରୁ ପ୍ରୟାସ ସିଂ ଠାକୁର ୨୩ ଓ ରାକେଶ ପଟ୍ଟନାୟକ ୧୭ରନ କରିଥିଲେ। ପ୍ରତିପକ୍ଷ ମହାବୀର ଓ୍ଵାରିୟର୍ସର ବୋଲର ସୌରେଶ କନୌଜିଆ ୧୮ରନ ବିନିମୟରେ ୪ଟି ଉଇକେଟ ନେଇଥିଲେ। ଜବାବରେ ମହାବୀର ଓ୍ଵାରିୟର୍ସର ସବ୍ୟସାଚୀ ଆଚାର୍ଯ୍ୟଙ୍କ ୩୨, ଅଜୟ ରାଉତଙ୍କ ୨୬ରନ ବଳରେ ଦଳ ୧୩ଓଭରରେ ୫ଉଇକେଟ ହରାଇ ୭୯ରନ କରି ବିଜୟୀ ହୋଇଥିଲା। ସୌରେଶ କନୌଜିଆଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ଦ୍ୱିତୀୟ ମ୍ୟାଚ୍‌ ୟୁନିକ୍‌ ଫାଇଟର୍ସ ଓ ଭଦ୍ରକ ବୁଲ୍‌ସ ମଧ୍ୟରେ ହୋଇଥିଲା। ୟୁନିକ୍‌ ଫାଇଟର୍ସ ୨୦ ଓଭରରେ କ୍ଷମାସଗାର ବଳଙ୍କ ୬୫, ସାଇବା ସିଂଙ୍କ ୨୫ରନ ବଳରେ ୮ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା। ପ୍ରତିପକ୍ଷ ଭଦ୍ରକ ବୁଲସ୍‌ ଦଳର ବୋଲର ମହମ୍ମଦ ଇଜାଜ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭଦ୍ରକ ବୁଲ୍‌ସ ଦଳର ଜ୍ୟୋତିରଂଜନ ମହାରଣାଙ୍କ ୬୭, ସନ୍ତୋଷ ପରିଡ଼ାଙ୍କ ୩୮ରନ ବଳରେ ନିର୍ଦ୍ଧାରିତ ୨୦ଓଭରରେ ୮ଉଇକେଟ ହରାଇ ୧୫୮ ରନରେ ସୀମିତ ରହିଥିଲେ। ସନ୍ତୋଷ ପରିଡ଼ାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଶରତ ଚନ୍ଦ୍ର ସାହୁ ଓ ପି.ଆର.ଭି.ସିଂ ଉଭୟ ମ୍ୟାଚକୁ ପରିଚାଳନା କରିଥିଲେ। ଶିଳ୍ପପତି ବିଜୟ କୁମାର ଗୁପ୍ତା ମୁଖ୍ୟଅତିଥି ଓ ଆରପିଏଫ ଇନିସପେକ୍ଟର ଦିନେଶ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ବିପିଏଲ କମିଟିର ସଭାପତି ରଂଜନ ଦାସ, ଚେୟାରମ୍ୟାନ ବୁଲୁ ମହାନ୍ତି, ଉପସଭାପତି ଦିଲ୍ଲୀପ ଦାସ, ସଂପାଦକ ଇଂ ଶ୍ରୀଧର ରାଉତ, ମୁଖ୍ୟ ସଂଯୋଜକ ଶ୍ରୀବତ୍ସ ଉପାଧ୍ୟାୟ, ସହ ସଂପାଦକ ଶ୍ରୀଧର ମିଶ୍ର, ଟେକନିକାଲ ହେଡ଼ କେଭି ପ୍ରସାଦ, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ମିଡ଼ିଆ ପ୍ରଭାରୀ ବିମଳ ମିଶ୍ର, ପରେଶ ନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟିର ଚିିତ୍ତରଂଜନ ମିଶ୍ର, ରାଜେଶ ନାଏକ, ହୃଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର